ଏଣିକି ଅନଲାଇନ୍ ରେ ଆର୍ଥିକ କାରବାର ବିବରଣୀ ଦାଖଲ କରିପାରିବେ ରାଜନୈତିକ ଦଳ

ନୂଆଦିଲ୍ଲୀ : ଏଣିକି ରାଜନୈତିକ ଦଳଗୁଡ଼ିକ ଅନଲାଇନ୍ ରେ ନିଜର ଆର୍ଥିକ କାରବାର ବିବରଣୀ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଦାଖଲ କରିପାରିବେ । ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ – ଯୋଗଦାନ ରିପୋର୍ଟ, ଅଡିଟ୍ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର ବିବରଣୀ ଦାଖଲ କରିବା ଲାଗି ନିର୍ବାଚନ ଆୟୋଗ ଏକ ନୂଆ ୱେବ ପୋର୍ଟାଲ (https:ems.eci.gov.in/) ର ଶୁଭାରମ୍ଭ କରିଛନ୍ତି । ଫଳରେ ଅଲାଇନ୍ ରିପୋର୍ଟ ଦାଖଲ ସହଜ ହୋଇପାରିବ । ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଏବଂ ବିଗତ କିଛି ବର୍ଷ ଧରି ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଉଥିବା ପାରଦର୍ଶିତା ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁରୂପ ରାଜନୈତିକ ଦଳମାନଙ୍କୁ ଏହି ଆର୍ଥିକ ହିସାବ ନିର୍ବାଚନ ଆୟୋଗ/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାଖଲ କରିବା ଜରୁରୀ ।

ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ ଦୁଇଟି ଉଦ୍ଦେଶ୍ୟ ନେଇ ଏହି ସୁବିଧାକୁ ପ୍ରସ୍ତୁତ କରାଯାଇଛି : ପ୍ରଥମତଃ ବାସ୍ତବ ରିପୋର୍ଟ ଦାଖଲ କରିବାରେ ଆସୁଥିବା ସମସ୍ୟାକୁ ଦୂର କରିବା ଏବଂ ଦ୍ୱିତୀୟତଃ ମାନକୀକୃତ ସ୍ୱରୂପ ବା ଷ୍ଟାଣ୍ଡାର୍ଡାଇଜଡ୍ ଫର୍ମାଟରେ ନିର୍ଦ୍ଧାରିତ ସମୟ ସୁଦ୍ଧା ରିପୋର୍ଟ ଦାଖଲ କରିବାର ସୁବିଧା ଦେବା । ଅନଲାଇନ୍ ତଥ୍ୟ ଉପଲବ୍ଧ ହେବା ଫଳରେ ଅନୁପାଳନ ଓ ପାରଦର୍ଶିତା ସ୍ତର ବୃଦ୍ଧି ପାଇବ ବୋଳି ଆଶା କରାଯାଉଛି । ଉକ୍ତ ପତ୍ରରେ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କର ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି । ଏଥିସହିତ ନିର୍ବାଚନ ପ୍ରକ୍ରିୟା, ବିଶେଷ କରି ଆର୍ଥିକ ତଥ୍ୟ ପ୍ରକାଶ କ୍ଷେତ୍ରରେ ଗଣତାନ୍ତ୍ରିକ କାର୍ଯ୍ୟପ୍ରଣାଳୀ ଓ ପାରଦର୍ଶିତା ସିଦ୍ଧାନ୍ତର ପାଳନ କରିବାର ଦାୟିତ୍ୱ ସେମାନଙ୍କ ଉପରେ ରହିଛି ବୋଲି ପତ୍ରରେ ଦର୍ଶାଇଛନ୍ତି ।

ଏହି ଅନଲାଇନ ପୋର୍ଟାଲରେ ରାଜନୈତିକ ଦଳର ଅଧିକୃତ ପ୍ରତିନିଧିଙ୍କ ମୋବାଇଲ ନମ୍ବର ଓ ଇମେଲକୁ ବାର୍ତ୍ତା ପଠାଇବାର ସୁବିଧା ମଧ୍ୟ ରହିଛି ଯାହାଫଳରେ ଅନୁପାଳନ ତାରିଖ ଗଡ଼ିବା ପୂର୍ବରୁ ସେମାନଙ୍କୁ ସୂଚନା ମିଳିପାରିବ । ଗ୍ରାଫିକାଲ ଉଦାହରଣ ସହିତ ଏକ ବିସ୍ତୃତ ମାର୍ଗଦର୍ଶିକା ମାନୁଆଲ ଏବଂ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନର ଉତ୍ତର (ଏଫଏକ୍ୟୁ) ରାଜନୈତିକ ଦଳମାନଙ୍କୁ ପଠାଇ ଦିଆଯାଇଛି । ଯାହାଫଳରେ ସେମାନ ଅନଲାଇନ୍ ତଥ୍ୟ ଦାଖଲ କରିବାର ପ୍ରକ୍ରିୟା ସମ୍ପର୍କରେ ଭଲ ଭାବେ ଅବଗତ ହୋଇପାରିବେ । ଅନଲାଇନ ଫାଇଲିଂ ସମ୍ପର୍କରେ ଅଧିକ ମାର୍ଗଦର୍ଶନ ପାଇଁ ନିର୍ବାଚନ ଆୟୋଗ ବିଭିନ୍ନ ରାଜୖନିକ ଦଳଗୁଡ଼ିକର ନାମାଙ୍କିତ ବ୍ୟକ୍ତିଙ୍କ ପାଇଁ ଏକ ବ୍ୟବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବେ ।

ଯେଉଁ ସବୁ ରାଜନୈତିକ ଦଳ ଅନଲାଇନ୍ ମାଧ୍ୟମରେ ଆର୍ଥିକ କାରବାର ବିବରଣୀ ଦାଖଲ କରିବାକୁ ଚାହୁଁନାହାନ୍ତି ସେମାନଙ୍କୁ ଲିଖିତ ଭାବେ ନିର୍ବାଚନ ଆୟୋଗଙ୍କୁ ସୂଚନା ଦେବାକୁ ହେବ । ଏଥିରେ ସେମାନଙ୍କୁ ନିଜର ଆର୍ଥିକ କାରବାର ବିବରଣୀ ଅନଲାଇନରେ ଦାଖଲ ନ କରିବାର କାରଣ ଦର୍ଶାଇବାକୁ ହେବ ଏବଂ ସେମାନେ ନିର୍ଦ୍ଧାରିତ ଫର୍ମାଟରେ ସିଡି/ପେନ୍ ଡ୍ରାଇଭ୍ ସହିତ ହାର୍ଡ କପିରେ ନିଜର ରିପୋର୍ଟ ଦାଖଲ କରିବା ଜାରି ରଖିପାରିବେ । ଅନଲାଇନ୍ ଆର୍ଥିକ କାରବାର ବିବରଣୀ ଦାଖଲ ନକରିବା ଲାଗି ଦଳ ବିଶେଷଙ୍କ ଦ୍ୱାରା ପଠାଯାଇଥିବା ଔଚିତ୍ୟ ପତ୍ର ସହିତ ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସବୁ ରିପୋର୍ଟକୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନଲାଇନ୍ରେ ପ୍ରକାଶିତ ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *