ଅବିଭାଗିକୃତରାଜ୍ୟ

ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ

ଗୁଜୁରାଟରେ ବନ୍ଦେ ଭାରତ ଏକ୍ସପ୍ରେସ ଭଳି ହାଇସ୍ପିଡ୍ ଟ୍ରେନକୁ ସେପ୍ଟେମ୍ୱର ୩୦ରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। କିନ୍ତୁ ଏହାର ୬ ଦିନ ପରେ ମଇଁଷି ଗୋଠକୁ ଧକ୍କା ଦେବା ପରେ ଏହାର ସମ୍ମୁଖ ଭାଗ କୋଚ୍ ଚୁରମାର୍ ହୋଇଯାଇଛି। ମୁମ୍ୱାଇ ସେଣ୍ଟ୍ରାଲରୁ ଗାନ୍ଧୀନଗର ଯିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ଯାହାକୁ ନେଇ ଏହି ଏକ୍ସପ୍ରେସ କେଉଁ ମାନର ବୋଲି ପ୍ରଶ୍ନ ଉଠିଛି ବିଭିନ୍ନ ମହଲରୁ। ଯଦିଓ ଭାଙ୍ଗିଯାଇଥିବା ସମ୍ମୁଖ ଭାଗକୁ ମୁମ୍ୱାଇ ସେଣ୍ଟ୍ରାଲ କୋଚ୍ କେୟାର ୟୁନିଟରେ ନୂଆ ଲଗାଯାଇଥିଲା ଓ ପୁଣି ଟ୍ରେନଟି ଗନ୍ତବ୍ୟ ପଥରେ ଆଗେଇଥିଲା। କିନ୍ତୁ ସୋସିଆଲ ମିଡିଆରେ ତ ଏହାକୁ ନେଇ ଜବରଦସ୍ତ ଟ୍ରୋଲ ଆରମ୍ଭ ହୋଇସାରିଛି। ଭାରତର ସମ୍ପତ୍ତିକୁ କିଭଳି ଲୁଟ୍ ହେଉଛି, ତାହାର ଅବତାରଣା କରିଛନ୍ତି ଅନେକ ୟୁଜର୍ସ। ଏକ୍ସପ୍ରେସ ଟ୍ରେନ୍ କେମିତି ଚାଇନା ମାଲ୍ ଭଳି ଶସ୍ତା ଓ ଏବେ ହୀନସ୍ତା ହେଲା ବୋଲି ଅନେକ ସମାଲୋଚନା କରିଛନ୍ତି। କାରଣ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ପ୍ରଧାନମନ୍ତ୍ରୀ ନିଜେ ଗସ୍ତ କରି ଟ୍ରେନରେ ମହିଳା ଉଦ୍ୟୋଗୀ, ଯୁବ ପ୍ରତିଭା ଓ ସର୍ବୋପରି ଯେଉଁମାନେ ବନ୍ଦେ ଭାରତ ଟ୍ରେନ ତିଆରିରେ ସଂପୃକ୍ତ ଥିଲେ, ସେମାନଙ୍କ ସହ ଆଳାପ ଆଲୋଚନା କରିଥିଲେ। ଆଉ ଏହି ଗସ୍ତ ଏକ ସ୍ମରଣୀୟ ଥିଲା ବୋଲି ଟ୍ୱିଟରେ ଫଟୋ ପୋଷ୍ଟ କରି ଲେଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଆଉ ଏହି ଟ୍ରେନର ସମ୍ମୁଖ ଭାଗ ଭାଙ୍ଗିବାକୁ ନେଇ କିଏ କହିଛି ମୋଦିଙ୍କ ପ୍ରକଳ୍ପ ଲୋକଙ୍କ ଜୀବନ ସହ ଖେଳିବା ଲାଗି ପ୍ରଯୁଜ୍ୟ। ବିମୁଦ୍ରିକରଣରୁ ନେଇ ବନ୍ଦେ ଭାରତ ଟ୍ରେନ୍ ଯାଏ ଏହି ଧାରା ଜାରି ରହିଛି। ଆଉ କିଏ କହିଛି, ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ମୁଖ୍ୟ ବିନ୍ଦୁ ଭିତରେ ଏହାର ଓ୍ୱିଣ୍ଡୋ ପଥର ନିରୋଧୀ ବୋଲି ଦର୍ଶାଯାଇଥିଲା। ହେଲେ ଏ ତ ସାମାନ୍ୟ ମଇଁଷି ଗୋଠର ବଳକୁ ସମ୍ଭାଳିପାରିଲାନି। ଆଉ କିଏ କହିଛି ପ୍ଲାଏଉଡ୍ ପ୍ଲାଷ୍ଟିକରେ ବୋଧହୁଏ ଟ୍ରେନ୍ ଇଞ୍ଜିନ ହୋଇଛି। ଏହା ରେଲଓ୍ୱେ ଇତିହାସରେ ପ୍ରଥମ ଘଟଣା କହି କଟାକ୍ଷ କରିଛନ୍ତି। ଖୁବ କମ୍ ସମୟ ଭିତରେ କିଭଳି ସର୍ଜିକାଲ ଟିମ୍ ଭାଙ୍ଗିଯାଇଥିବା ଟ୍ରେନର ନାକକୁ ଯୋଡ଼ିଥିଲେ ଆଉ ଏହା କରି ଖୁସିରେ ଆତ୍ମହରା ହୋଇପଡ଼ିଥିଲେ, ତାହାର ଫଟୋ ପୋଷ୍ଟ କରି ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଆଉ କିଏ ତ ପାଦେ ଆଗେଇ କଟାକ୍ଷ କରିଛି ଯେ, କେବେସୁଦ୍ଧା ଟ୍ରେନର କ୍ୱାଲିଟି ଚେକ୍ କରିବାକୁ ଏଭଳି ମଇଁଷି ଗୋଠ ନିଜ ଉପରକୁ ଭାର ନେଇ ଦାୟିତ୍ୱ ମୁଣ୍ଡାଇବେ। ଆଉ କିଏ ଲେଖିଛି, ଯେଉଁମାନେ ଭାରତୀୟ ମଇଁଷିଙ୍କ ଶକ୍ତିକୁ ଅଣଦେଖା କରି ଆସୁଛନ୍ତି, ସେମାନେ ଦୟାକରି ଏହାର ଶକ୍ତିକୁ ପରଖନ୍ତୁ। ସେପଟେ ଏସବୁରେ କଂଗ୍ରେସ କାହିଁକି ଏତେ ଖୁସି ହେଉଛି କହି ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଭୁଲିଗଲା କି, ସେମାନେ ଶାସନ କରୁଥିଲା ବେଳେ ଟ୍ରେନରେ ବୋମା ଯାଉଥିଲା। ଆଉ ୨୦୧୪ ଆଗରୁ ନିରନ୍ତର ଟ୍ରେନ୍ ଲାଇନଚ୍ୟୁତ ହେଉଥିଲା। ତେବେ ଏହାକୁ କାଉଣ୍ଟର କରି ଅନେକ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭର ମାତ୍ର ୬ଟା ଦିନ ଭିତରେ ଏଭଳି କ୍ଷତି ନୂଆ ଇତିହାସ ରଚିଲା। ଶାସ୍ତ୍ରୀଜୀ ୧୯୫୨ରୁ ୧୯୫୬ ଯାଏ ରେଳମନ୍ତ୍ରୀ ଥିଲା ବେଳେ, ଏକ ଟ୍ରେନ୍ ଦୁର୍ଘଟଣାରେ ନିଜକୁ ଦାୟୀ କରି ତ୍ୱରିତ ଇସ୍ତଫା ଦେଇଥିଲେ। କିନ୍ତୁ ବନ୍ଦେ ଭାରତ ଟ୍ରେନର ଏଭଳି ସ୍ଥିତିରେ ଏମିତି କୌଣସି ଘଟଣା ଘଟିବନି ବୋଲି ନିଶ୍ଚିତ ରୁହନ୍ତୁ। କାରଣ ଆଉ କିଛି ଦିନ ପରେ ଏହାକୁ ଆଦାନୀଙ୍କୁ ବିକି ଦେଇଥିବେ ସରକାର। କଂଗ୍ରେସ ସମର୍ଥିତ ୟୁଜର୍ସ କହିଛନ୍ତି କି, ମୋଦିଙ୍କ ଆଦର୍ଶ ଓ ଠାଣି ଯେମିତି, କାମ ବି ସେମିତି ଦେଖାଣିଆ ଓ ନିମ୍ନମାନର। ଏଭଳି ପ୍ରକଳ୍ପରେ ସାମିଲ ପ୍ରତିଟି ବ୍ୟକ୍ତି ଦୟାକରି ଏଭଳି ଦୁର୍ନୀତି କରନ୍ତୁନି ବୋଲି ଅନେକ ଅପିଲ୍ କରିଛନ୍ତି ଟ୍ୱିଟରେ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button