ଅଗଷ୍ଟ ୧ ତାରିଖରେ ପୁଣେ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧ ତାରିଖରେ ମହାରାଷ୍ଟ୍ରର ପୁଣେ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଦାଗଦୁଶେଠ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ । ଦିନ ୧୧: ୪୫ ରେ ତାଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏହା ପରେ, ଦିନ ୧୨: ୪୫ ରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ୍ ଗୁଡିକୁ ପତାକା ଦେଖାଇ ସୁଭାରମ୍ଭ କରାଇବେ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପୁଣେ ମେଟ୍ରୋର ପ୍ରଥମ ପର୍ଯ୍ୟାୟର ଦୁଇଟି କରିଡରର କାର୍ଯ୍ୟ ସଂପୂର୍ଣ୍ଣ ହେବା ଅବସରରେ ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ରେ ହୋଇଥିଲା । ନୂତନ ସେକ୍ସନ ଗୁଡିକ ପୁଣେ ସହରର ଶିବାଜୀ ନଗର, ସିଭିଲ୍ କୋର୍ଟ, ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟାଳୟ, ପୁଣେ ଆରଟିଓ ଏବଂ ପୁଣେ ରେଳ ଷ୍ଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଗ କରିବ । ନାଗରିକମାନଙ୍କୁ ସମଗ୍ର ଦେଶରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଆଧୁନିକ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ହାସଲ କରିବା ଦିଗରେ ଏହି ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏହି ମାର୍ଗରେ ଥିବା କେତେକ ମେଟ୍ରୋ ଷ୍ଟେସନର ଡିଜାଇନ୍ ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ପାଇଛି । ଛତ୍ରପତି ସାମ୍ୱାଜୀ ଉଦୟନ୍ ମେଟ୍ରୋ ଷ୍ଟେସନ୍ ଏବଂ ଡେକାନ୍ ଜିମଖାନା ମେଟ୍ରୋ ଷ୍ଟେସନରେ ଛତ୍ରପତି ଶିବାଜୀ ମହାରାଜଙ୍କ ସୈନିକମାନେ ପିନ୍ଧିଥିବା ଟୋପି ସଦୃଶ ଏକ ନିଆରା ଡିଜାଇନ୍ ରହିଛି – ଯାହାକି “ମାଭାଲା ପଗଡି” ଭାବରେ ମଧ୍ୟ ଜଣାଶୁଣା । ଶିବାଜୀ ନଗର ଭୂତଳ ମେଟ୍ରୋ ଷ୍ଟେସନରେ ଏକ ସ୍ୱତନ୍ତ୍ର ଡିଜାଇନ୍ ରହିଛି ଯାହା ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ର୍ନିମିତ ଦୁର୍ଗକୁ ମନେ ପକାଇଥାଏ ।

ଅନ୍ୟ ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ସିଭିଲ୍ କୋର୍ଟ ମେଟ୍ରୋ ଷ୍ଟେସନ୍ ଦେଶର ସବୁଠାରୁ ଗଭୀର ମେଟ୍ରୋ ଷ୍ଟେସନ୍ ମଧ୍ୟରୁ ଅନ୍ୟତମ; ୩୩.୧ ମିଟରରେ ଗଭୀରତମ ସ୍ଥାନ । ଷ୍ଟେସନ ଛାତ ଏପରି ଭାବରେ ନିର୍ମାଣ ହୋଇଛି ଯେ ପ୍ଲାଟଫର୍ମରେ ସିଧାସଳଖ ସୂର୍ଯ୍ୟକିରଣ ପଡିଥାଏ ।

ପ୍ରଧାନମନ୍ତ୍ରୀ ପିମ୍ପ୍ରି ଚିଞ୍ଚାୱାଡ ମ୍ୟୁନିସିପାଲିଟି କର୍ପୋରେସନ (ପିସିଏମସି) ଅଧୀନରେ ଥିବା ବର୍ଜ୍ୟରୁ ଶକ୍ତି କାରଖାନାର ଉଦଘାଟନ କରିବେ । ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି କାରଖାନା ବାର୍ଷିକ ପ୍ରାୟ ୨.୫ ଲକ୍ଷ ଟନ୍ ବର୍ଜ୍ୟବସ୍ତୁ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରିବ ।

ସମସ୍ତଙ୍କ ପାଇଁ ଗୃହ ର୍ନିମାଣ ଲକ୍ଷ୍ୟକୁ ଆଗକୁ ନେଇ ପ୍ରଧାନମନ୍ତ୍ରୀ ପିସିଏମସି ଦ୍ୱାରା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ର୍ନିମିତ ୧୨୮୦ ରୁ ଅଧିକ ଘର ହସ୍ତାନ୍ତର କରିବେ । ସେ ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ର୍ନିମିତ ୨୬୫୦ ରୁ ଅଧିକ ପିଏମଏୱାଇ ଘର ମଧ୍ୟ ହସ୍ତାନ୍ତର କରିବେ । ଆହୁରି ମଧ୍ୟ, ପ୍ରଧାନମନ୍ତ୍ରୀ ପିସିଏମସି ଦ୍ୱାରା ର୍ନିମିତ ହେବାକୁ ଥିବା ପ୍ରାୟ ୧୧୯୦ ପିଏମଏୱାଇ ଘର ଏବଂ ପୁଣେ ମେଟ୍ରୋପଲିଟାନ ରିଜିଅନ ଡେଭଲପମେଣ୍ଟ ଅଥରିଟୀ ଦ୍ୱାରା ର୍ନିମିତ ୬୪୦୦ ରୁ ଅଧିକ ଘରରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଲୋକମାନ୍ୟ ତିଲକଙ୍କ ଉତ୍ତରାଧିକାରୀଙ୍କୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରାଯାଇଥିଲା । ଜାତିର ପ୍ରଗତି ଏବଂ ବିକାଶ ପାଇଁ ଉଲ୍ଲେଖନୀୟ ଏବଂ ଅସାଧାରଣ ଭାବରେ କାର୍ଯ୍ୟ କରିଥିବା ଏବଂ ଅବଦାନ ରଖିଥିବା ଲୋକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହା ପ୍ରତିବର୍ଷ ଅଗଷ୍ଟ ୧ – ଲୋକମାନ୍ୟ ତିଲକଙ୍କ ମୃତ୍ୟୁ ବାର୍ଷିକୀରେ ପ୍ରଦାନ କରାଯାଏ ।

ପ୍ରଧାନମନ୍ତ୍ରୀ ପୁରସ୍କାରର ୪୧ ତମ ଗ୍ରହଣକାରୀ ହେବେ । ଏହା ପୂର୍ବରୁ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଶଙ୍କର ଦୟାଲ ଶର୍ମା, ପ୍ରଣବ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଡକ୍ଟର ମନମୋହନ ସିଂହ, ଏନ ଆର ନାରାୟଣ ମୁର୍ତ୍ତୀ, ଡକ୍ଟର ଇ ଶ୍ରୀଧରନ୍ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *