ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦେଶର ଜନସଂଖ୍ୟା ଉପରେ ଦାୟର ଯାଚିକା ଉପରେ ଏକ ନୋଟିସ କରିଛନ୍ତି। ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ଉପଯୁକ୍ତ ନିୟମ, ନିୟାମକ ଓ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ଏକ ଯାଚିକା ମାଧ୍ୟମରେ ଅପିଲ କରାଯାଇଥିଲା।
ଜଷ୍ଟିସ କେ ଏମ ଜୋସେଫ ଓ ଜଷ୍ଟିସ ହୃଷିକେଶ ରୟଙ୍କ ଖଣ୍ଡପୀଠ ଜନସଂଖ୍ୟା ଉପରେ ସରକାରର ପଦକ୍ଷେପ ଜାଣିବାକୁ ଚାହିଁବା ସହ ସମାନ ପ୍ରସଙ୍ଗକୁ ନେଇ ପେଣ୍ଡିଂ ଥିବା ଅନ୍ୟାନ୍ୟ ଯାଚିକା ସହ ଏହାକୁ ଟ୍ୟାଗ କରିଛନ୍ତି।
ଅଖିଳ ଭାରତୀୟ ସନ୍ଥ ସମିତିର ସାଧାରଣ ସଚିବ ଦାଣ୍ଡି ସ୍ବାମୀ ଜିତେନ୍ଦ୍ରାନନ୍ଦ ସରସ୍ବତୀଙ୍କ ଦ୍ବାରା ଯାଚିକାରେ ଉଲ୍ଲେଖ କରାଯାଇଛି କି, ପ୍ରତି ବର୍ଷ ଦେଶର ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶର ପ୍ରାକୃତିକ ସମ୍ବଳ ସମିତ ରହିଛି ଓ ବର୍ଦ୍ଧିତ ଜନସଂଖ୍ୟାକୁ ଏହା ପୂରଣ କରିବାକୁ ରହିବ ନାହିଁ।
ଯାଚିକାରେ ଆହୁରି କୁହାଯାଇଛି କି, ବେକାରୀ, ଦାରିଦ୍ର୍ୟ ବୃଦ୍ଧି ପାଇଚାଲିଥିବା ବେଳେ ରାଜ୍ୟ ଏହା ଉପରେ ନିୟନ୍ତ୍ରଣ କରିପାରିବ ନାହିଁ। ତେଣୁ ଦେଶର ବର୍ଦ୍ଧିତ ଜନସଂଖ୍ୟା ସମସ୍ୟାର ସମାଧାନ କରିବାକୁ ଉପଯୁକ୍ତ ନିୟମ ପ୍ରସ୍ତୁତ କରିବା ସହ ଦିଶାନିର୍ଦ୍ଦେଶ ଜାରି କରି ଲୋକଙ୍କ ମୌଳିକ ଅଧିକାର ରକ୍ଷା କରିବାର ଆବଶ୍ୟକତା ରହିଛି।
ଯାଚିକା କର୍ତ୍ତା ଅନୁଭବ କରିଛନ୍ତି କି, ଲୋକଙ୍କ ଜୀବନଧାରଣର ମୌଳିକ ଅଧିକାର କ୍ଷୁନ୍ନ ହେବାରେ ଲାଗିଛି। ଲୋକଙ୍କୁ ସ୍ବଚ୍ଛ ବାୟୁ, ପାନୀ ଜଳ, ଉପଯୁକ୍ତ ସ୍ବାସ୍ଥ୍ୟ ସେବା, ଉପଯୁକ୍ତ ବାସ, ଉପଯୁକ୍ତ ଓ ନିଶ୍ଚିତ ଶିକ୍ଷା ପରି ସମ୍ବିଧାନିକ ଅଧିକାର ମିଳୁନାହିଁ। ତେଣୁ ନାସନାଲ କମିଶନ ଟୁ ରିଭ୍ୟୁ ଦ ୱାର୍କ ଅଫ କନଷ୍ଟିଚ୍ୟୁସନ ବା (ଏନସିଆରଡବ୍ଲୁସି) ଏହା ଉପରେ ଚିନ୍ତାବ୍ୟକ୍ତ କରିବା ସହ କେତେକ ପ୍ରସ୍ତାବ ଦେଇଛି। ଏନସିଆରଡବ୍ଲୁସିର ଏହି ପ୍ରସ୍ତାବ ଉପରେ କେନ୍ଦ୍ରକୁ କାର୍ଯ୍ୟକରିବା ଆବଶ୍ୟକ ବୋଲି ଯାଚିକାରେ ଉଲ୍ଲେଖ ରହିଛି।
ଏଠାରେ ସୂଚନା ଯୋଗ୍ୟ, ବର୍ତ୍ତମାନ ଦେଶର ଜନସଂଖ୍ୟା ୧୩୯ କୋଟିର ନିକଟରେ ପହଞ୍ଚିଲାଣି, ଯାହା ବିଶ୍ବ ଜନସଂଖ୍ୟାର ୧୭.୮% ରହିଛି। କିନ୍ତୁ ବିଶ୍ବର ଚାଷଜମିରୁ ୨ ପ୍ରତିଶତ ଭାରତର ଥିବା ବେଳେ ୪ପ୍ରତିଶତ ପାନୀୟ ଜଳ ସୁବିଧା ରହିଛି। ଆମେରିକାରେ ଦୈନିକ ୧୦ହଜାର ଶିଶୁ ଜନ୍ମ ହେଉଥିବା ବେଳେ ଦୈନିକ ୭୦ହଜାର ଶିଶୁ ଭାରତରେ ଜନ୍ମ ହେଉଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now