ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

Spread the love

ନୂଆଦିଲ୍ଲୀ : ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଚାଷୀଙ୍କ କଲ୍ୟାଣ, ଜମି ଉତ୍ପାଦକତାର ପୁନରୁଦ୍ଧାର ଏବଂ ଖାଦ୍ୟ ସୁରକ୍ଷା ଓ ପରିବେଶ ସ୍ଥିରତାକୁ ସୁନିଶ୍ଚିତ କରିବା ଲାଗି ମଞ୍ଜୁର କଲା ଏକାଧିକ ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ୩,୭୦,୧୨୮.୭ କୋଟି ଟଙ୍କାର ମୋଟ୍ ବ୍ୟୟବରାଦ ସହିତ ଚାଷୀଙ୍କ ପାଇଁ ନୂଆ ଯୋଜନାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁର କରିଛନ୍ତି । ଯୋଜନାରେ ସମୂହ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ସହିତ ଚାଷୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ଆର୍ଥିକ ଉନ୍ନତି ପ୍ରତି ଗୁରୁତ୍ୱାରୋପ କରାଯାଇଛି । ଏହି ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ପ୍ରାକୃତିକ ଓ ଜୈବିକ କୃଷିକୁ ମଜବୁତ କରିବ ଏବଂ ମାଟିର ଉତ୍ପାଦକତାକୁ ପୁନର୍ଜୀବିତ କରିବ; ଏଥିସହିତ ଖାଦ୍ୟ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବ ।

ଟିକସ ଏବଂ ନିମ୍ବ କୋଟିଂ ଶୁଳ୍କ ଛାଡ଼ି ଚାଷୀମାନଙ୍କ ପାଇଁ ୪୫ କିଲୋଗ୍ରାମ ବସ୍ତା ପିଛା ୨୪୨ ଟଙ୍କା ସମାନ ମୂଲ୍ୟରେ ୟୁରିଆର ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ୟୁରିଆ ସବସିଡି ଯୋଜନାକୁ ଜାରି ରଖିବା ପାଇଁ ସିସିଇଏ ମଞ୍ଜୁରି ଦେଇଛି । ପ୍ୟାକେଜରେ ତିନି ବର୍ଷ ପାଇଁ (୨୦୨୨-୨୩ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ) ୟୁରିଆ ସବସିଡିକୁ ନେଇ ୩,୬୮,୬୭୬.୭ କୋଟି ଟଙ୍କା ଆବଣ୍ଟନ କରିବା ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଛି । ଏହି ପ୍ୟାକେଜ୍ ନିକଟରେ ଅନୁମୋଦିତ ୨୦୨୩-୨୪ର ଖରିଫ ଋତୁ ପାଇଁ ୩୮,୦୦୦ କୋଟି ଟଙ୍କାର ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ)ର ଅତିରିକ୍ତ ଅଟେ । ଚାଷୀମାନଙ୍କୁ ୟୁରିଆ କ୍ରୟ ଲାଗି ଅତିରିକ୍ତ ଖର୍ଚ୍ଚ କରିବାର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଏହାଦ୍ୱାରା ସେମାନଙ୍କର ଇନପୁଟ ଖର୍ଚ୍ଚକୁ କମ କରିବାରେ ସହାୟତା ମିଳିବ । ବର୍ତ୍ତମାନ ୪୫ କିଲୋଗ୍ରାମ ୟୁରିଆ ବସ୍ତା ପିଛା ଏମଆରପି (ନିମ୍ବ କୋଟିଂ ଶୁଳ୍କ ଏବଂ ଲାଗୁ ଟିକସକୁ ଛାଡ଼ି) ୨୪୨ ଟଙ୍କା ରହିଥିବା ବେଳେ ବସ୍ତାର ବାସ୍ତବ ଦର ପ୍ରାୟ ୨୨୦୦ ଟଙ୍କା । ଏହି ଯୋଜନା ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଦ୍ୱାରା ବଜେଟ୍ ସହାୟତା ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯାଉଛି । ୟୁରିଆ ସବସିଡି ଯୋଜନାକୁ ଜାରି ରଖିବା ଦ୍ୱାରା ୟୁରିଆର ସ୍ୱଦେଶୀ ଉତ୍ପାଦନ ମଧ୍ୟ ସର୍ବାଧିକ ହୋଇପାରିବ ।

କ୍ରମାଗତ ଭାବେ ବଦଳୁଥିବା ଭୂ-ରାଜନୈତିକ ସ୍ଥିତି ଏବଂ କଞ୍ଚାମାଲ ଦରରେ ବୃଦ୍ଧି କାରଣରୁ, ବିଗତ କିଛି ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ସାର ମୂଲ୍ୟ ଅନେକ ଗୁଣା ବୃଦ୍ଧି ପାଇଛି । କିନ୍ତୁ ଭାରତ ସରକାର ସାର ସବସିଡି ବଢ଼ାଇ ଦେଶର ଚାଷୀମାନଙ୍କୁ ଦରବୃଦ୍ଧି ଠାରୁ ସୁରକ୍ଷା ଦେଇଛନ୍ତି । ଚାଷୀଙ୍କୁ ସୁରକ୍ଷା ଦେବା ଲାଗି ନିଜର ପ୍ରୟାସରେ ଭାରତ ସରକାର ସାର ସବସିଡିକୁ ୨୦୧୪-୧୫ରେ ୭୩,୦୬୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୨-୨୩ରେ ୨,୫୪,୭୯୯ କୋଟି ଟଙ୍କା କରି ଦିଆଯାଇଛି ।

Leave a Reply

Your email address will not be published. Required fields are marked *