ଷ୍ଟେସନରେ ଛାତିଥରା ଦୃଶ୍ୟ

Spread the love

କଅଳଁ ଶିଶୁର କରୁଣ କାନ୍ଦ, ପାଖରେ ଶୋଇଛି ମା। ମା ମା ଯେତେ ଡାକିଲେ ବି ଶିଶୁର କରୁଣ ଡାକ ମା ଶୁଣିପାରୁ ନାହିଁ । ଶିଶୁଟି ମାକୁ ଯେତେ ଉଠାଉଛି ମା କିନ୍ତୁ ଉଠୁନି , କାହିକିଁ ନା ମା ଶୋଇଛି ଚିରନିଦ୍ରାରେ। ୫ ବର୍ଷର କଁଅଳ ଦିବ୍ୟାଙ୍ଗ ଶିଶୁଟି ବା କେମିତି ଜାଣିବ ତା ମା ଆଉ ଏହି ଦୁନିଆରେ ନାହିଁ । ତଥାପି ଶିଶୁଟିର ବିଶ୍ୱାସ ରହିଛି କି ତା ମା ନିଦରୁ ଉଠିବ ଆଉ ତାକୁ କୋଳେଇ ନେଇ ଖାଇବାକୁ ଦେବ। ସେହି ଆଶାରେ ଦିବ୍ୟାଙ୍ଗ ଶିଶୁଟି ମା ମା ଡାକୁଛି। ଆଉ ମା ମା ଡାକି ଶିଶୁଟିର ପାଟି ବି ଥକିଗଲାଣି। କିନ୍ତୁ ମା କାନରେ ପହଞ୍ଚି ପାରୁନି ଶିଶୁର କରୁଣ ଡାକ । ନିରୀହ ଶିଶୁଟିକୁ ବା କଣ ଜଣା, ଭାବୁଛି କାଳେ ତା ମା ତା ଉପରେ ଅଭିମାନ କରିଛି ସେଥିପାଇଁ ମା କୋଳ ନ ଛାଡି ନିଜ ମା କୁ ବୁଝାଇବା ପାଇଁ ଚେଷ୍ଟା କରୁଛି । ପାଖରେ ଅନେକ ଲୋକ ମଧ୍ୟ ଛିଡା ଅଛନ୍ତି କିନ୍ତୁ ନିରୀହ ଶିଶୁଟି କାହା ପାଖକୁ ଯିବା ପାଇଁ ବି ଅମଙ୍ଗ । ତେବେ ଏଭଳି ହୃଦୟ ବିଦାରକ ଚିତ୍ର ଆସିଛି ବିହାର ଭାଗଲପୁର ରେଳୱେ ଷ୍ଟେସନରୁ ।

ଏଭଳି ଖବର ୫ ବର୍ଷରେ ତୃତୀୟ ଥର ଘଟିଥିବା ଜଣାପଡିଛି। ରବିବାର ସକାଳ ସମୟରେ ରେଲୱେ ପ୍ଲାଟଫର୍ମରେ ଜଣେ ଅଜଣା ମହିଳା ମୁଣ୍ଡ ଉପରେ ହାତ ରଖି ଶୋଇଥିବା ବେଳେ ଛୋଟ ଛୁଆଟି କୋଳରେ ଥିବା ଦେଖିବାକୁ ପାଇଥିଲା ରେଳୱେ ପୋଲିସ। ସଙ୍ଗେସଙ୍ଗେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସେପଟେ ମହିଳାଙ୍କୁ ଚିହ୍ନଟ ପାଇଁ ତାଙ୍କୁ ୭୨ ଘଣ୍ଟା ରଖାଯାଇଥିଲା। କିନ୍ତୁ ଯେତେବେଳେ ତାଙ୍କୁ କେହି ଚିହ୍ନଟ କରିପାରିଲେ ନାହିଁ ଗୁରୁବାର ଦିନ ପୋଲିସ ମୃତ ମହିଳାଙ୍କ ଶବ ସତ୍କାର କରିଥିଲା। ଏହାସହ ଛୁଆ ଓ ମାଆର ପରିଚୟ ଏବଂ ଠିକଣା ଜାଣିବାକୁ ଉଦ୍ୟମ ଚାଲିଥିବା ବେଳେ ପୋଲିସ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିବା ନେଇ ଜିଆରପି ଇନସପେକ୍ଟର ଅରବିନ୍ଦ କୁମାର କହିଛନ୍ତି। ସେପଟେ ଛୁଆକୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଯାଇଥିବା ବେଳେ ଅତ୍ୟଧିକ ପୃଷ୍ଟିହୀନ ଅଭାବରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ରେଳ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ୨୦୨୦ ମସିହାରେ ମୁଜ୍ଜାଫରପୁର ରେଳୱେ ଷ୍ଟେସନ ଏବଂ ୨୦୧୭ ମସିହାରେ ମଧ୍ୟପ୍ରଦେଶ ଦମୋହ ରେଳୱେ ଷ୍ଟେସନରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *