ବିଦ୍ୟାଳୟରେ ଝୁଲୁଛି ତାଲା

ଗଞ୍ଜାମ: ପାଠପଢା ସମୟରେ ବିଦ୍ୟାଳୟରେ ଝୁଲୁଛି ତାଲା। ଆଉ ବାରଣ୍ଡାରେ ବସି ଶିକ୍ଷକଙ୍କୁ ଅପେକ୍ଷା କରିରହିଛନ୍ତି ଛାତ୍ରଛାତ୍ରୀ। ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟ ନଗର ବ୍ଲକ ରଘୁନାଥପଲ୍ଲୀ ପ୍ରାଥମିକ ବିଦ୍ୟାଳୟର। ଏଠି ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ସମସ୍ତ ସୁବିଧା ସତେ ଜେମିତି ସ୍ୱପ୍ନ ପାଲଟିଛି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଆଉ ସେମାନଙ୍କ ପାଇଁ ନିଜୁକ୍ତି ପାଇଛନ୍ତି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ। ମୋଟା ଅଙ୍କର ଦରମା ନେଇ ନିଜର କାର୍ଯ୍ୟ ସୂଚାରୁ ପୂପେ ତୁଲାଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ରହିଥିବା ବେଳେ ଅନେକ ସମୟରେ ଶିକ୍ଷକଙ୍କ ଦେଖା ମିଳୁନି। ଖାଲି ଏତିକି ନୁହେଁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବା ବେଳେ ୫ ଟଙ୍କିଆ ବିସ୍କୁଟ ଦେଇ ସମୟ ପୂର୍ବରୁ ସ୍କୁଲରେ ତାଲା ପକେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗାୟବ ହେଇଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବର୍ଷ ତମାମ ବାରଣ୍ଡାରେ ବସି ପାଠପଢୁଛନ୍ତି। ଅଧିକ ଶ୍ରେଣୀ ଗୃହ ନିର୍ମାଣ କରିବା , ପିଲାମାନେ ବାରଣ୍ଡେରେ ବସି ପାଠ ପଢିବା ଆଦି ଖବର ଉପରେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସେପଟେ ଏନେଇ ଅଧିକ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ।
ଏଠି ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଖାଦ୍ୟ ଖାଉଛି କିଏ? କାହିଁକି ବନ୍ଦ ରହୁଛି ମଧ୍ୟାନ ଭୋଜନ ରୋଷେଇ? କାହା ବଳରେ ବିଦ୍ୟାଳୟ ସମୟରେ ତାଲାପକାଇ ଫେରାର ହେଉଛନ୍ତି ଶିକ୍ଷକ? କାହିଁକି ଏଭିଯୋଗ ପରେ ବି ଏହି ଶିକ୍ଷକଙ୍କ ଉପରେ ନିଆଯାଉନି କୌଣସି କାର୍ଯ୍ୟାନୁଷ୍ଠାନ? ଆଉ କେବେ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକିରହିଲା ।