ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ନୁପୁର ଶର୍ମାଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ଗୋଟିଏ ଦଳର ମୁଖପାତ୍ର ଅଛ। କିନ୍ତୁ ଯାହା ଇଛା ତାହା କହିବାକୁ ତୁମକୁ ଲାଇସେନ୍ସ ଦେଲା କିଏ ବୋଲି କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ନୁପୁର ଦେଶର ନିରାପତ୍ତା ପାଇଁ ବିପଦ। ସେଥିଲାଗି ସାରା ଦେଶକୁ କ୍ଷମା ମାଗନ୍ତୁ ବୋଲି ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ। ମହମ୍ମଦ ପ୍ରଫେଟଙ୍କ ଉପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଲାଗି ବିଜେପି ନେତ୍ରୀ ନୁପୁର ଶର୍ମାଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ନୁପୁର ଦେଶର ନିରାପତ୍ତା ଲାଗି ବିପଦ। ନୁପୁରଙ୍କ ଟିପ୍ପଣୀ ଉତ୍ତେଜକ ଥିଲା। ଏହି ଟିପ୍ପଣୀ ପାଇଁ ଆଜି ସାରା ଦେଶ ଜଳୁଛି। ଉଦୟପୁର ଘଟଣା ପାଇଁ ବି ନୁପୁର ଦାୟୀ। ସେଥିଲାଗି ଦେଶବାସୀଙ୍କୁ କ୍ଷମା ମାଗ ବୋଲି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗୋଟିଏ ଦଳର ମୁଖପାତ୍ର ଅଛ। କିନ୍ତୁ ଯାହା ଇଛା ତାହା କହିବାକୁ କଅଣ ମୁଖପାତ୍ର ଭାବରେ ଦଳ ଲାଇସେନ୍ସ ଦେଇଛି କି ବୋଲି ପଚାରିଥିଲେ ଅଦାଲତ।
ମାମଲା ବିଚାରାଧୀନ ଥିଲା ବେଳେ ଟେଲିଭିଜନ ବିତର୍କରେ ବସି ଆଲୋଚନା କରିବା କଅଣ ଦରକାର ଥିଲା। ବୋଧହୁଏ କେବଳ ଏକ ଏଜେଣ୍ଡାକୁ ପ୍ରମୋଟ କରିବା ଉଦେଶ୍ୟ ଥିଲା। ଟେଲିଭିଜନ ମାଧ୍ୟମରେ ହିଁ କ୍ଷମା ମାଗନ୍ତୁ ନୁପୁର। ଯଦିଓ ବିତର୍କରେ କୌଣସି ପ୍ରତିପକ୍ଷର ଦୁର୍ବ୍ୟବହାର, ଅପବ୍ୟବହାର କି ଅଶାଳୀନ ମନ୍ତବ୍ୟ ଦେଖିଥିଲେ, ତେବେ ସେ ସର୍ବପ୍ରଥମେ ଆଙ୍କର ବିରୁଦ୍ଧରେ ଏତଲା ଦେବାର ଥିଲା। ପ୍ରଫେଟଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ଲାଗି ତାଙ୍କ ନାଁରେ ହୋଇଥିବା ଏକାଧିକ ଏତଲାକୁ ଗୋଟିଏରେ କ୍ଲବ୍ କରିବାକୁ କରିଥିବା ଆବେଦନର ଶୁଣାଣୀ କରି ଏଭଳି କଡ଼ା ଭାଷାରେ ନୁପୁରଙ୍କ ଉପରେ ବର୍ଷିଛନ୍ତି ଅଦାଲତ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲାଙ୍କ ଖଣ୍ଡପୀଠ ଏହା ବି ହୃଦବୋଧ କରିଛନ୍ତି କି, ନାମକୁ ମାତ୍ର ସର୍ତ୍ତ ରଖି କ୍ଷମା ମାଗିଥିବାରୁ ଏହା ଲୋକଙ୍କ ରୋଷ ଅଧିକ ବଢାଇ ଦେଇଥିଲା। ମନ୍ତବ୍ୟକୁ ନେଇ ଯେଉଁ ନିଆଁ ଜଳୁଛି, ଆଜି ଦେଶରେ ଯାହା ବି ଘଟୁଛି, ନୁପୁର ଏକା ହିଁ ଦାୟୀ। ତେବେ ନୁପୁରଙ୍କ ଓକିଲ ମନିନ୍ଦର ସିଂ କୋର୍ଟକୁ କହିଥିଲେ କି, ନୁପୁର ଲିଖିତ ଭାବରେ କ୍ଷମାପ୍ରାର୍ଥନା କରିବାକୁ ରାଜି। କିନ୍ତୁ ଖଣ୍ଡପୀଠ କହିଥିଲେ କି, ସେ ଟିଭି ମାଧ୍ୟମରେ ପୁରା ଦେଶକୁ କ୍ଷମା ମାଗନ୍ତୁ। ବହୁତ ବିଳମ୍ୱ ହୋଇଗଲାଣି। ଭାବାବେଗ ସହ ଖେଳି ଏଭଳି ମନ୍ତବ୍ୟକୁ ପ୍ରତ୍ୟାହାର କି କ୍ଷମା ମାଗିଲା ବେଳକୁ ସର୍ତ୍ତ ଖଞ୍ଜିବା ବିଲକୁଲ ଗ୍ରହଣୀୟ ନଥିଲା। କେବଳ ଏତିକି ନୁହେଁ। ତଳ କୋର୍ଟକୁ ଏଡାଇ ସିଧା ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହେବାକୁ ବି ନାପସନ୍ଦ କରିଛନ୍ତି ଖଣ୍ଡପୀଠ।
ବୋଧହୁଏ ଆବେଦନକାରୀ ନୁପୁର ନିଜର ଉଦ୍ଧତପଣିଆ ଲାଗି ତଳ କୋର୍ଟର ମାଜିଷ୍ଟ୍ରେଟଙ୍କୁ ଛୋଟ ବୋଲି ମଣୁଛନ୍ତି। ମେ ୨୭ରେ ଏକ ଟିଭି ଡିବେଟରେ ଜ୍ଞାନବାପି ମସଜିଦ୍ ପ୍ରସଙ୍ଗରେ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନୁପୁର। ଏହାକୁ ନେଇ ନୁପୁରଙ୍କ ବିରୁଦ୍ଧରେ ଏକାଧିକ ଏତଲା ରୁଜୁ ହୋଇଥିଲା। ଆଉ ଆଜି ସୁପ୍ରିମକୋର୍ଟ ହୃଦବୋଧ କରିଛନ୍ତି କି, ମାମଲା ବିଚାରାଧୀନ ଥିଲା ବେଳେ ସଂପୃକ୍ତ ଚ୍ୟାନେଲ କାହିଁକି ଏଭଳି ଆଲୋଚନା କରିଥିଲା। କେବଳ ନିର୍ଦ୍ଦିଷ୍ଟ ଏଜେଣ୍ଡାକୁ ପ୍ରୋମୋଟ କରିବା ଅଭିପ୍ରାୟ ଥିଲା। ତେବେ ନୁପୁରଙ୍କ ଓକିଲ ଦର୍ଶାଇଥିଲେ କି, ଅର୍ଣ୍ଣବ ଗୋସ୍ୱାମୀ ମାମଲାରେ ଏକାଧିକ ଏତଲାକୁ କ୍ଲବ୍ କରି ଶୁଣାଣୀ ହୋଇଥିଲା। କିନ୍ତୁ ଜଷ୍ଟିସ କାନ୍ତ କହିଥିଲେ କି, ଜଣେ ସାମ୍ୱାଦିକ ଓ ମୁଖପାତ୍ର ଭିତରେ ଫରକ ଅଛି। ନିର୍ଦିଷ୍ଟ ପ୍ରସଙ୍ଗରେ ଜଣେ ସାମ୍ୱାଦିକ କହିବାର ଅଧିକାର ରଖିଥାଏ। କିନ୍ତୁ ବିତର୍କରେ ଜଣେ ମୁଖପାତ୍ର କାହାକୁ ଆକ୍ଷେପ କରି ନିଜର ଦାୟିତ୍ୱହୀନ ମନ୍ତବ୍ୟ ଦେବା କେତେଦୂର ସମୀଚିନ। ଆଉ ଶେଷରେ ନୁପୁରଙ୍କ ଆବେଦନର ଶୁଣାଣୀ ହାଇକୋର୍ଟରେ ହେବ କହି ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମୁମ୍ୱାଇ, ହାଇଦ୍ରାବାଦ ଓ ଶ୍ରୀନଗରରେ ନୁପୁରଙ୍କ ବିରୁଦ୍ଧରେ ଏତଲା ହୋଇଛି। କୋଲକାତା ହାଇକୋର୍ଟ ବି ନୁପୁରଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ଆବେଦନ ଉପରେ ରାଜ୍ୟ ସରକାରଙ୍କଠୁ ଜବାବ ଲୋଡିଛନ୍ତି।
- ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now