ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ମଣିପୁର ହିଂସାକାଣ୍ଡର ତଦନ୍ତ ପାଇଁ ତଦନ୍ତ କମିଶନ ବସାଇବାକୁ ବିଜ୍ଞପ୍ତି ଜାରି କଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ମଣିପୁରରେ ଘଟିଯାଇଥିବା ହିଂସାକାଣ୍ଡର ତଦନ୍ତ କରିବାକୁ ଆଜି ଏକ ତଦନ୍ତ କମିଶନ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୧୯୫୨ର ତଦନ୍ତ କମିଶନ ଆଇନ ଅନୁସାରେ ଏହି କମିଶନ ଗଠିତ ହୋଇଛି ।

ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ ଲାମ୍ବା କମିଶନର ଅଧ୍ୟକ୍ଷ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ହିମାଂଶୁ ଶେଖର ଦାସ ଓ ପ୍ରାକ୍ତନ ଆଇପିଏସ୍ ଅଧିକାରୀ ଶ୍ରୀ ଆଲୋକ ପ୍ରଭାକର ଏହାର ସଦସ୍ୟ ନିଯୁକ୍ତ ହୋଇଛନ୍ତି ।

ଚଳିତବର୍ଷ (୨୦୨୩) ମେ ୩ତାରିଖ ଓ ତା’ପରେ ମଣିପୁରରେ ଘଟିଯାଇଥିବା ହିଂସାକାଣ୍ଡର ତଦନ୍ତ ଏହି କମିଶନ କରିବେ । ତଦନ୍ତରେ ହିଂସାକାଣ୍ଡର କାରଣ, ଏହା କେଉଁ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ୟାପିଲା, ହିଂସାକାଣ୍ଡ ସୃଷ୍ଟି ଓ ବ୍ୟାପିବା ପଛରେ କୌଣସି ଦାୟିତ୍ୱପୂର୍ଣ୍ଣ କର୍ତ୍ତୃପକ୍ଷ ଓ ବ୍ୟକ୍ତି ବିଶେଷଙ୍କର କିଛି ତ୍ରୁଟି ଅଛି କି ନାହିଁ ତାହାକୁ କମିଶନ ନିର୍ଦ୍ଧାରଣ କରିବେ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ମେ ୨୯ତାରିଖରୁ ଜୁନ ୧ତାରିଖ ପର୍ଯ୍ୟନ୍ତ ହିଂସାଗ୍ରସ୍ତ ମଣିପୁର ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ । ହିଂସାକାଣ୍ଡର କାରଣ ନିର୍ଦ୍ଧାରଣ ପାଇଁ ତଦନ୍ତ କମିଶନ ଗଠନ କରାଯିବ ବୋଲି ସେ ସେଠାରେ କହିଥିଲେ । ତଦନୁସାରେ ଏହି କମିଶନ ଗଠିତ ହୋଇଛି ।

ଯଥାଶୀଘ୍ର ସମ୍ଭବ ତଦନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବାକୁ କମିଶନଙ୍କୁ କୁହାଯାଇଛି । କାର୍ଯ୍ୟ ଆରମ୍ଭର ଛ’ମାସ ଭିତରେ ତଦନ୍ତ କାର୍ଯ୍ୟ ଶେଷ କରିବାକୁ ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି । କମିଶନଙ୍କ ସଦର କାର୍ଯ୍ୟାଳୟ ମଣିପୁରର ରାଜଧାନୀ ଇମ୍ଫାଲରେ କାର୍ଯ୍ୟ କରିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *