ଆଜି କାର୍ଗିଲ ବିଜୟ ଦିବସ

Spread the love

ଆଜି କାର୍ଗିଲ ବିଜୟ ଦିବସ। ଶହୀଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶ ପାଳୁଛି କାର୍ଗିଲ ଦିବସ। କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଯବାନଙ୍କ ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ପାଳନ କରାଯାଏ ଏହି ଦିବସ । ଆଜି ଯାଏଁ ଭାରତର କୋଟି କୋଟି ଲୋକ ଏହି ଦିନକୁ ଭୁଲିନଥିବା ବେଳେ ଭାରତୀୟ ବାହାଦୂର ଯବାନଙ୍କ ପରାକ୍ରମକୁ ସାରା ଦେଶ ମନେ ପକାଉଛି। କାର୍ଗିଲ ଯୁଦ୍ଧ ୧୯୯୯ ମେ ୩ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଏହି ଯୁଦ୍ଧ ଅଢେଇ ମାସରୁ ଅଧିକ ସମୟ ଧରି ଚାଲିଥିଲା। ଏଥିରେ ଉଭୟ ଭାରତ ଓ ପାକିସ୍ତାନର ବ୍ୟାପକ ଧନଜୀବନ କ୍ଷତି ହୋଇଥିଲା। ପାକିସ୍ତାନ ସେନାକୁ ପରାସ୍ତ କରି କାର୍ଗିଲ ଉପରେ ବିଜୟୀ ହୋଇଥିଲା ଭାରତ ।

ତେବେ ଏହି ଯୁଦ୍ଧରେ ଭାରତର ୫୨୭ ଯବାନ ଶହୀଦ ହୋଇଥିବା ବେଳେ ୧୩ଶହରୁ ଅଧିକ ଯବାନ ଆହତ ହୋଇଥିଲେ। ଭାରତୀୟ ସୈନ୍ୟମାନେ ଯେଭଳି ଲଢେଇ କରି ନିଜର ଦମ୍ଭ ଦେଖାଇଥିଲେ ତାହା ସବୁଦିନ ପାଇଁ ଚିର ସ୍ମରଣୀୟ। ସେହି ବୀର ଶହୀଦଙ୍କୁ ମନେ ପକାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ। ୧୮ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଥିଲେ ଭାରତୀୟ ଯବାନମାନେ। କାର୍ଗିଲ ପାହାଡ ଉପରେ ଉଡୁଥିବା ଏହି ତ୍ରିରଙ୍ଗା ଦେଶ ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କୁ ମନେ ପକାଇ ଆଜି ଦେଶ ପାଳୁଛି ବିଜୟ ଦିବସ।

ସେହିପରି କାଶ୍ମୀରର ଡ୍ରାସଠାରେ ଥିବା କାର୍ଗିଲ ୱାର ମେମୋରିଆଲରେ କାର୍ଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଦିଲ୍ଲୀ ଇଣ୍ଡିଆ ଗେଟରେ ଅମର ଯବାନ ଜ୍ୟୋତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନୀଥ ସିଂଙ୍କ ସମେତ ୩ ସେନା ମୁଖ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ୨୩ ବର୍ଷ ତଳେ କାର୍ଗିଲରେ ଭାରତୀୟ ସେନାବାହିନୀ ପାକିସ୍ତାନ ସେନାଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ପାକିସ୍ତାନ ଭାରତର ଦୁର୍ଗମ ଅଞ୍ଚଳ ଦେଇ ଲୁଚିଛପି ପଶି ଆସି ଆକ୍ରମଣ କରିଥିଲା। ଅପରେସନ ବିଜୟ ଦିବସ ନାମରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି କାର୍ଗିଲ ବିଜୟ ଦିବସ ଭାବେ ପରିଚିତ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *