ନୟାଗଡ: ୧୨ବର୍ଷ ବାଳକ ଅମ୍ରିତ ନିଖୋଜର ଦୁଇ ଦିନ ପରେ ବି ମିଳୁନି ପତ୍ତା । ପୋଲିସ ବିଭିନ୍ନ ଦିଗରୁ ତନାଘନା ଚଳାଇଥିଲେ ମଧ୍ୟ ନିଖୋଜର କାରଣ ଖୋଜି ପାଇନାହିଁ । ଆଜି ନୟାଗଡ ଏସପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଡଗ ସ୍ୱାର୍ଡ ଓ ପରେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇ ଥିଲେ l
ଟିଉସନରୁ ଫେରୁଥିବା ବେଳେ ବାଟରୁ ନିଖୋଜ ହେବା ପରିବାର ଏବଂ ଗ୍ରାମବାସୀଙ୍କୁ କରିଛି ଚକିତ । ନୟାଗଡ ଜିଲ୍ଲା ଓଡଗାଁ ଥାନା କୁରାଳ ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ୧୨ବର୍ଷର ପୁଅ ଅମ୍ରିତ ସପ୍ତମ ଶ୍ରେଣୀରେ ପାଠ ପଢେ । ଗୁରୁବାର ଦିନ ସନ୍ଧ୍ୟାରେ ଟିଉସନକୁ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ବି ପୁଅକୁ ପାଇନଥିଲେ । ତେବେ ଶୁକ୍ରବାର ଘରଠାରୁ ମାତ୍ର ୨୦୦ମିଟର ଦୂର ଏକ ବାଉଁଶ ବୁଦା ନିକଟରେ ଅମ୍ରିତର ସାଇକେଲ ପଡିଥିବା ଗାଁ ଲୋକ ଦେଖିବା ପରେ ନିଖୋଜକୁ ନେଇ ନାନା କଥା ଆଲୋଚନା ହେଉଛି ।
ନିଖୋଜ ଦିନ ଏକ ପାଲଟଣା ପିକଅପ୍ ଭ୍ୟାନ ଅଞ୍ଚଳରେ ବୁଲୁଥିବା କିଛିଲୋକ ଦେଖିଥିବା ଜଣାପଡିଛି । ସେହି ଗାଡିରେ ଅମ୍ରିତକୁ ଅପହରଣ କରାଯାଇଥିବା ଗ୍ରାମବାସୀ ଆଲୋଚନା କରୁଛନ୍ତି।
ପରିବାର ଲୋକ ପୁଅକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ପରେ ନୟାଗଡ ଏସପି ଗାଁରେ ପହଞ୍ଚି ଅପହୃତ ନାବାଳକର ପରିବାର ଲୋକଙ୍କ ସହ ଆଲୋଚନା କରିବା ସହିତ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ପରେ ଡଗ୍ ସ୍କ୍ୱାର୍ଡ ଏବଂ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛି । ପୋଲିସ ମାମଲା ରୁଜୁ କରି ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ କରୁଥିବା ଅତିରିକ୍ତ ଏସ୍ ପି କହିଛନ୍ତି । ତେବେ ପୂର୍ବରୁ ଏହିଭଳି ଭାବରେ ଅମ୍ରିତ ଘରୁ ପଳାଇଥିବା ପୋଲିସ ପାଖରେ ତଥ୍ୟ ରହିଥିବା ଅତିରିକ୍ତ ଏସ୍ ପି ସୂଚନା ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now