ଓଡ଼ିଶା

ନଦୀରେ ବୁଡି ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ

ଧର୍ମଶାଳା : ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ରାଧାଦେଇପୁରସ୍ଥ ଗେଙ୍ଗୁଟି ନଦୀରେ । ଗାଧୋଇବା ସମୟରେ ଦୁଇ ଜଣ ପ୍ରଖର ସ୍ରୋତରେ ଭାସି ଯାଇ ଥିଲେ । ମୃତ ଯୁବକ ଦୁଇଜଣ ଯୁକ୍ତ ୨ ଛାତ୍ର ବୋଲି ଜଣାପଡିଛି । ସେମାନେ ହେଲେ ବଡ଼ଚଣା ଥାନା ଅର୍ନ୍ତଗତ ଶାସନ ପୁରୁଷୋତମପୁର ଗ୍ରାମର ମଳୟ ନାୟକ ଓ ଅମିତ୍ ଖଣ୍ଡାଇ ବୋଲି ଜଣାପଡିଛି । ସୁଚନା ମୁତାବକ, ତିନି ଜଣ ଯୁବକ ସାଙ୍ଗ ହୋଇ ଗ୍ରାମ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସି ଯିବାରୁ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ନଦୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦୁଇ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବାରମ୍ବାର ସେହି ସ୍ଥାନରେ ଲୋକେ ଗାଧୋଇଥିବା ବେଳେ ଅଘଟଣ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଂଚି ତଦନ୍ତ କରିଛି । ଦୁଇ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡଚଣା ମେଡ଼ିକାଲକୁ ପଠାଇ ଦେଇ ଏକ ଅପମୃତ୍ ମାମଲା ରୁଜୁ କରିଛି ।

Leave a Reply

Your email address will not be published.

Back to top button