ଦିଲ୍ଲୀ ପ୍ରଦୂଷଣକୁ ନେଇ ପ୍ରଧାନ ବିଚାରପତିଙ୍କ ଉଦବେଗ। ଦିଲ୍ଲୀରେ ଏତେ ବାୟୁ ପ୍ରଦୂଷଣ ଯେ, ବାହାରକୁ ଯାଇ ଓ୍ୱାକ୍ କରିବା କଷ୍ଟ। ସେ ନିଜେ ଭୁକ୍ତଭୋଗୀ। ୫୫ ମିନିଟ୍ କାଳ ଓ୍ୱାକ୍ କରିବା ପରେ ସେ ନିଜକୁ ଅସହଜ ମଣିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ନେବାକୁ କଷ୍ଟ ହେଉଛି। ଏଣିକି ସୁପ୍ରିମକୋର୍ଟ ଭର୍ଚ୍ଚୁଆଲ ମୋଡରେ ଚାଲିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ। ବରିଷ୍ଠ ଆଇନଜୀବି ରାକେଶ ଦ୍ୱିବେଦୀ ସିଜେଆଇ ସୂର୍ଯ୍ୟକାନ୍ତକୁ ଅନୁରୋଧ କରିଥିଲେ ଯେ, ଅଦାଲତରେ ଶୁଣାଣୀ ଭର୍ଚ୍ଚୁଆଲ ମୋଡରେ କରାଯାଉ। ବରିଷ୍ଠ ଆଇନଜୀବି କପିଲ ସିବଲ ବି କହିଥିଲେ, ବାସ୍ତବରେ ଆମର ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଲାଣି। ଏହାକୁ ନେଇ ସିଜେଆଇ ବି କହିଥିଲେ, ସେ ମର୍ଣ୍ଣିଂ ଓ୍ୱାକ୍ କରିବା ପରେ ତାଙ୍କର ନିଃଶ୍ୱାସ ନେବାରେ ସମସ୍ୟା ଉପୁଜୁଛି। ଏ ସନ୍ଦର୍ଭରେ ସିଜେଆଇ କହିଛନ୍ତି, ଯଦି ସୁପ୍ରିମକୋର୍ଟ ବାର୍ ଆସୋସିଏସନ ଶୁଣାଣୀକୁ ଭର୍ଚ୍ଚୁଆଲରେ କରିବାକୁ ସହମତି ପ୍ରକାଶ କରିବେ, ତାହେଲେ ଅଦାଲତ ଏହା ଉପରେ ସମାନ ନିୟମ କରିବାକୁ ବିଚାର କରିପାରନ୍ତି। ରାକେଶ ଦ୍ୱିବେଦୀ ପରାମର୍ଶ ଦେଇଥିଲେ, ୬୦ ବର୍ଷରୁ ଅଧିକ ବୟସର ଓକିଲଙ୍କୁ ଅନ୍ତତଃ ଏହି ଅନୁମତି ମିଳୁ। ସେମାନେ ବ୍ୟକ୍ତିଗତ ଭାବେ କୋର୍ଟକୁ ନ ଆସି ଭିଡ଼ିଓ କନଫରେନ୍ସିଂରେ ହାଜର ହୁଅନ୍ତୁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now