ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାବରେ ଅତିଷ୍ଠ ଭାରତ। ଇଥିଓପିଆର ହୈଲି ଗବ୍ବିନ ଜ୍ୱାଳାମୁଖୀ ବିସ୍ଫୋରକ ପରେ ଉଠିଥିବା ପାଉଁଶର ବିଶାଳ ବାଦଲ ୨୫ହଜାରରୁ ୪୫ହଜାର ଫୁଟ ଉଚ୍ଚକୁ ଉଠି ଭାରତ ଯାଏଁ ପହଞ୍ଚିଛି। ଏ କାରଣରୁ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ହରିଆଣା ଓ ଉତ୍ତରଭାରତର ବଡ଼ ଅଞ୍ଚଳରେ ଏହାର ପ୍ରଭାବ ସୋମବାର ବିଳମ୍ୱିତ ରାତିରେ ବେଶ୍ ଅନୁଭୂତ ହୋଇଛି। ଆଇଏମଡି ଆକଳନ ଅନୁସାରେ ମଙ୍ଗଳବାର ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ଏହା ଭାରତରୁ ବାହାରିଯିବ। ଆଉ ଏବେ ଚୀନ ଆଡ଼କୁ ଅଗ୍ରସର ହେଉଛି। ଆଇଏମଡି ଲଗାତାର ସାଟେଲାଇଟ ଡାଟା, ଭଲକାନୋ ଆସ୍ ଆଡ଼ଭାଇଜୋରୀ ସେଣ୍ଟର ଓ ଡିସ୍ପର୍ସନ ମଡେଲ ଜରିଆରେ ଏହାର ସ୍ଥିତି ଉପରେ ନଜର ରଖିଛି। ସ୍ଥିତି ସ୍ୱାଭାବିକ ହେଉଛି। କିନ୍ତୁ ଏୟାରଲାଇନ୍ସ କମ୍ପାନୀ ସତର୍କ ରହିବାକୁ ପରାମର୍ଶ ଦେଇଥିଲା ଆଇଏମଡି। ସେପଟେ ଏହି ଜ୍ୱାଳାମୁଖୀ ବିମାନ ସେବାକୁ ପ୍ରଭାବିତ କରିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୨୪ ଓ ୨୫ ତାରିଖର ୧୧ଟି ବିମାନକୁ ବାତିଲ୍ କରିଛି ଏୟାର ଇଣ୍ଡିଆ। ଦିଲ୍ଲୀ-ନ୍ୟୂୟର୍କ, ଦୁବାଇ- ହାଇଦ୍ରାବାଦ, ଚେନ୍ନାଇ-ମୁମ୍ୱାଇ, ମୁମ୍ୱାଇ-କୋଲକାତା, ଦୋହା- ମୁମ୍ୱାଇ, ଦିଲ୍ଲୀ-ହାଇଦ୍ରାବାଦ, ଚେନ୍ନାଇ-ଦୁବାଇ ଭଳି ୧୧ଟି ବିମାନକୁ ବାତିଲ୍ କରିବାକୁ ବାଧ୍ୟ ହୋଇଛି ଏୟାରଇଣ୍ଡିଆ। ଆକାଶା ଏୟାର ଜେଦ୍ଦା, କୁଓ୍ୱେତ ଓ ଅବୁଧାବି ଫ୍ଲାଇଟକୁ ବାତିଲ୍ କରିଛି। ହଂକକଙ୍ଗ, ଦୁବାଇ,ହେଲସିଙ୍କି, କାବୁଲ, ଫ୍ରାଙ୍କଫର୍ଟ ବିମାନ ବିଳମ୍ୱ ହୋଇଛି। ଏହି ଜ୍ୱାଳାମୁଖୀ ପ୍ରାୟ ୧୦ହଜାର ବର୍ଷ ଧରି ନିଷ୍କ୍ରିୟ ଥିଲା। ରବିବାର ଅଚାନକ ଫାଟିଯାଇଥିଲା। ଏହି ବିସ୍ଫୋରଣ କାରଣରୁ ପ୍ରାୟ ୧୪ କିଲୋମିଟର ଅର୍ଥାତ ୪୫ହଜାର ପୁଟ୍ ଉଚ୍ଚ ପର୍ଯ୍ୟନ୍ତ ଧୂଆଁ ଓ ସଲଫର ଡାଇଅକ୍ସାଇଡର ବିଶାଳ ବାଦଲ ଉଠିଥିଲା। ଯାହା ରେଡ୍ ସି ପାର୍ କରି ଆରବ ଦେଇ ଭାରତକୁ ପ୍ରବେଶ କରିଛି। ପବନର ଅଧିକ ବେଗ ହେତୁ ଏହା ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଭାରତକୁ କ୍ଷୀପ୍ର ଗତିରେ ବଢ଼ିଥିଲା। ଅବଶ୍ୟ ଆଶ୍ୱସ୍ତର କଥା ଯେ, ଏହି ବାଦଲ ଭାରତର ପ୍ରମୁଖ ସହରର ବାୟୁ ଗୁଣାବତ୍ତା ବା ଏକ୍ୟୁଆଇ ଉପରେ ବେଶୀ ପ୍ରଭାବୀ ହେବନି। ଜ୍ୱାଳାମୁଖୀର ଧୂଆଁ ଓ ପାଉଁଶର ଆସ୍ତରଣ ଗୁଜରାଟ ଯାଏ ପହଞ୍ଚିପାରେ। ସଂଧ୍ୟା ସୁଦ୍ଧା ଆକାଶ ସଫା ହୋଇଯିବ ବୋଲି କୁହାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now