ଆଷାଢରେ ଜଳୁଛି ରାଜ୍ୟ, ପଶ୍ଚିମରୁ ଉପକୂଳ ସବୁଠି ନିଆଁ ବର୍ଷା, ୪୬ ଟପିଲା ସମ୍ବଲପୁର ପାରଦ

Spread the love

ଭୁବନେଶ୍ୱର : ସାରା ରାଜ୍ୟରେ ତାତିର ରାଜୁତି ଚାଲିଛି । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ସକାଳୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ଖରାର ପ୍ରକୋପ କମୁନାହିଁ । ତା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଦିନ ବେଳା ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଗତ କିଛି ଦିନ ଧରି ଏଭଳି ସ୍ଥିତି ଲାଗି ରହିଥିବା ବେଳେ ସୋମବାର କିନ୍ତୁ ଅଧିକ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ସୋମବାର ଦିନ ୩୧ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଯେଉଁଥିରୁ ୧୦ ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଆଜି ତାପମାତ୍ରାରେ ରେକର୍ଡ କରିଛି ସମ୍ବଲପୁର । ଆଜି ସମ୍ବଲପୁରରେ ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ଆଜି ସମ୍ବଲପୁରରେ ସର୍ବାଧିକ ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୫.୬ ଡିଗ୍ରୀ, ସୋନପୁରରେ ୪୫ , ବରଗଡରେ ୪୪.୯ , ଭୁବନେଶ୍ୱରରେ ୪୪.୩ ଡିଗ୍ରୀ ,ବଲାଙ୍ଗିର, ବୌଦ୍ଧ, ଟିଟିଲାଗଡ, ନୟାଗଡ ଓ ତାଳଚେରରେ ୪୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୪୩.୯ , ଝାରସୁଗୁଡ଼ାରେ ୪୩.୪ , ରାଉରକେଲା, କଟକ, ଢେଙ୍କାନାଳ ଓ ନୂଆପଡାରେ ୪୩.୨, ସୁନ୍ଦରଗଡରେ ୪୨.୭, ଜଗତସିଂହପୁର ଓ ଖୋର୍ଦ୍ଧାରେ ୪୨.୫ , କେନ୍ଦ୍ରାପଡାରେ ୪୧.୮ , ଫୁଲବାଣୀ, ଭଦ୍ରକ, ରାୟଗଡାରେ ୪୧.୫ ଡିଗ୍ରୀ , ଭବାନୀପାଟଣା ଓ ମାଲକାନଗିରିରେ ୪୧ , କେନ୍ଦୁଝରରେ ୪୦.୮ , ଦେବଗଡ ଓ ବାରିପଦାରେ ୪୦.୨, ପାରଳାକେମୁଣ୍ଡି, ଚାନ୍ଦବାଲି ଓ ଛତ୍ରପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୫ଦିନ ଯାଏଁ ରାଜ୍ୟରେ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ଏହି ୫ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *