ଜାମାଇକାରେ ଭୟଙ୍କର ଘୂର୍ଣ୍ଣିଝଡ଼ ମେଲିସା ପ୍ରଭାବରୁ ଏପର୍ଯ୍ୟନ୍ତ ୩୩ ଲୋକଙ୍କ ଜୀବନ ଗଲାଣି। ଜାମାଇକାରେ ଏହାର ଭୟଙ୍କର ତାଣ୍ଡବ ରଚିଛି। ହାଇତି ଓ ଜାମାଇକାରେ ଶକ୍ତିଶାଳୀ ହରିକେନ୍ ମେଲିସା ଭୟଙ୍କର ସଙ୍କଟ ଛିଡ଼ା କରିଛି। ଲଗାଣ ବର୍ଷା ଓ ପ୍ରବଳ ପବନରୁ ଗତକାଲି ଯାଏଁ ୨୫ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହଜାର ହଜାର ଲୋକଙ୍କଠୁ ଆଶ୍ରୟ ଛଡ଼ାଇନେଇଛି ମେଲିସା। ଗଲା ସପ୍ତାହେ ଧରି ଲଗାଣ ବର୍ଷାରୁ ଅବସ୍ଥା ବେହାଲ୍ ହୋଇଯାଇଛି। ଅନେକ ଅଞ୍ଚଳରେ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି। ପ୍ରାୟ ୭୭ ପ୍ରତିଶତ ଅଞ୍ଚଳରେ ବିଜୁଳି ନାହିଁ। ଦେଶର ପ୍ରମୁଖ ବିଜୁଳି କମ୍ପାନୀ ଜାମାଇକା ପବ୍ଲିକ ସର୍ଭିସ କହିଛି, କ୍ଷତିପୂରଣର ଆକଳନ କରାଯାଉଛି। ସୁରକ୍ଷିତ ଭାବେ ବିଦ୍ୟୁତ୍ ପୁନର୍ବାହାଲ କରାଯିବ। ଆମେରିକା ନାସନାଲ ହରିକେନ୍ ସେଣ୍ଟର ଅନୁସାରେ ହରିକେନ୍ ମେଲିସା ମଙ୍ଗଳବାର ଜାମାଇକାରେ କ୍ୟାଟେଗୋରୀ-୫ ଘୂର୍ଣ୍ଣିଝଡ଼ ଭାବେ ମାଡ଼ ହୋଇଥିଲା। ଯାହାର ବେଗ ଘଣ୍ଟାପ୍ରତି ୨୯୫ କିଲୋମିଟର ଥିଲା। ଏହି ବାତ୍ୟାରେ ପୁରା ଦୀପରେ ଥିବା ସଡ଼କ, ପୋଲ ଓ ଘରକୁ ଧ୍ୱସ୍ତ କରିଦେଇଛି। ଅନେକ ଗାଁ ସହ ସମ୍ପର୍କ ପୁରା ବିଛିନ୍ନ ହୋଇପଡ଼ିଛି। ହଜାର ହଜାର ଲୋକ ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଛନ୍ତି। କାରାବିଆନ ଓ ଜାମାଇକା ଲୋକଙ୍କ ଲାଗି ପ୍ରାର୍ଥନା କରିବା ସହ ସେମାନଙ୍କୁ ଯଥାସାଧ୍ୟ ସହଯୋଗ କରିବାକୁ ଅପିଲ୍ କରାଯାଇଛି। ସେପଟେ ଜାମାଇକା କ୍ଷତିଗ୍ରସ୍ତଙ୍କ ପାଖରେ ଆବଶ୍ୟକୀୟ ରିଲିଫ ସାମଗ୍ରୀ କାର୍ଗୋ ପ୍ଲେନରେ ପଠାଇଛି ଆମେରିକା। ଏଲନ ମସ୍କଙ୍କ ଷ୍ଟାରଲିଙ୍କ ନଭେମ୍ୱର ଶେଷ ସୁଦ୍ଧା ଜାମାଇକା ଓ ବାହାମାସରେ ମାଗଣା ସର୍ଭିସ ଦେବାକୁ ଘୋଷଣା କରିଛି। କ୍ୟୁବା ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଥିବାରୁ ସର୍ବାଧିକ ଶକ୍ତିଶାଳୀ ବାତ୍ୟାର ପ୍ରକୋପରୁ ଜୀବନହାନିର ସଂଖ୍ୟା କମିଛି। ଏବେ ମେଲିସା ଦୁର୍ବଳ ହୋଇପଡ଼ିଛି। ଏବେ ଏହା କ୍ୟୁବା ଓ ବହାମାସ ପାଖରେ ସ୍ଥିର ରହିଛି। ଏହି ବାତ୍ୟାରେ ଆଜି ଯାଏଁ ପ୍ରାୟ ୨୨ ଅରବ ଡଲାର ପ୍ରାୟ ୧.୮୩ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ସହିଛି ଜାମାଇକା। ଜାମାଇକାର ବାର୍ଷିକ ଜିଡିପି ୨୦ ଅରବ ଡଲାରରୁ ଅଧିକ। କୃଷି, ପର୍ଯ୍ୟଟନ ଓ ବିଜୁଳି- ଜାମାଇକାର ତିନି ପ୍ରମୁଖ ଆର୍ଥିକ ଆଧାରକୁ ଭୟଙ୍କର ଭାବେ କ୍ଷତି ପହଞ୍ଚାଇଛି ମେଲିସା। ହଜାର ହଜାର ଏକର ଫସଲ ବରବାଦ ହୋଇଛି। ଅନେକ ବନ୍ଦର ଓ ବିମାନ ସେବା ବନ୍ଦ ରହିଛି। ପର୍ଯ୍ୟଟନ ଉଦ୍ୟୋଗ ପୁରା ଠପ୍ ହୋଇପଡ଼ିଛି। ବିଭିନ୍ନ ଚିଡ଼ିଆଖାନାରୁ ପଶୁ ପକ୍ଷୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କାରିବିଆନ ସମୁଦ୍ରରେ ହରିକେନ୍ ମେଲିସା ଧ୍ୱଂସ ଖେଳାଉଛି। ଆମେରିକାର ବାୟୁସେନାର ଏକ ବିମାନ ଶକ୍ତିଶାଳୀ ମେଲିସା କେନ୍ଦ୍ରରେ ପ୍ରବେଶ କରିଥିବାର ଫୁଟେଜ୍ ନେଇଛି। ବାତ୍ୟା ଆଖିର ଭିଡ଼ିଓ ଜାରି ହୋଇଛି। ଜାମାଇକାରେ ୧୮୫୧ ପରେ ଏହା ସବୁଠୁ ଶକ୍ତିଶାଳୀ ଘୂର୍ଣ୍ଣଝଡ଼ ଅଟେ। ଯେଉଁଠି ୧୩ ଫୁଟ୍ ଉଚ୍ଚ ଯାଏଁ ଲହରି ଉଠିଛି। ଏହି ବାତ୍ୟାରେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now