ପ୍ରକୃତିର କୋପ- ହିମାଚଳରୁ ହରିଆଣା- ଜମ୍ମୁରୁ ଉତ୍ତରାଖଣ୍ଡ

ହିମାଚଳପ୍ରଦେଶରୁ ହରିଆଣା। ଉତ୍ତରାଖଣ୍ଡରୁ ଜମ୍ମୁକଶ୍ମୀରର। ୟୁପିରୁ ଦିଲ୍ଲା ଏନସିଆର। ସବୁଠି ପ୍ରକୃତିର କୋପ। ଉତ୍ତରାଖଣ୍ଡର ପାହାଡ଼ିଆ ଜିଲ୍ଲାରେ ଲଗାଣ ବର୍ଷାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ପାଣିପାଗ ବିଭାଗ ଆଜି ରାଜ୍ୟର ୧୧ ଜିଲ୍ଲା ଡେରାଡୁନ, ରୁଦ୍ରପ୍ରୟାଗ, ଉତ୍ତରକାଶୀ, ନୈନିତାଲ, ଚମ୍ପାବନ ଓ ବାଗେଶ୍ୱରରେ ପ୍ରବଳ ବର୍ଷା ଲାଗି ରେଡ୍ ଓ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି। ପାହାଡ଼ର ବିଭିନ୍ନ ଜାଗାରେ ଭୂସ୍ଖଳନରୁ ଅନେକଙ୍କ ଜୀବନ ଯାଇଛି। ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଗଲା ୨୪ ଘଣ୍ଟାରେ ୪୮୬ ରାସ୍ତା ଧୋଇଯାଇଛି। ଅନେକ ଗାଁଠୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏନଡିଆରଏଫ, ଏସଡିଆରଏଫ ରେସକ୍ୟୁ ଅପରେସନ  ଓ ସ୍ଥିତି ଉପରେ ନଜର ରଖିଛନ୍ତି। ଚମୋଲି ଜିଲ୍ଲାର ଧରାଲି କ୍ଷେତ୍ରର ରାଡ଼ିବଗଡ଼, ମୋପାଟା ଓ ନନ୍ଦା ନଗରରେ ଭୂସ୍ଖଳନରୁ ପରିସ୍ଥିତି ବିଗୁଡ଼ିଛି। ଛେନାଗାଡ଼ ଗଦେରେରେ ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ଥିବାରୁ ସେମାନଙ୍କ ପତ୍ତା ମିଳୁନି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରାକୃତିକ ପ୍ରଭାବିତ ଜିଲ୍ଲାକୁ ଆଲର୍ଟ ମୋଡରେ ରହିବାକୁ ନିର୍ଦେଶ ଦେଇଛନ୍ତି। ଚମୋଲିରେ ୫୯, ରୁଦ୍ରପ୍ରୟାଗରେ ୫୧ ଓ ଟିହରିରେ ୩୪ ରାସ୍ତା ବନ୍ଦ ପଡ଼ିଛି। ହରିଦ୍ୱାର ଓ ଋଷିକେଶରେ ଗଙ୍ଗା ନଦୀ ବିପଦ ସଙ୍କେତ ପାଖରେ ପହଞ୍ଚିସାରିଛି। ଅନେକ ଜିଲ୍ଲାର ସ୍କୁଲ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବନ୍ଦ ରହିଛି। ଆସନ୍ତା ୨୪ ଘଣ୍ଟା ଡେରାଡୁନ, ନୈନିତାଲ ସମେତ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ଜମ୍ମୁକଶ୍ମୀରର ବିଭିନ୍ନ ଅଞ୍ଚଳରେ ମୂଷଳଧାରା ବର୍ଷାରୁ ଜମ୍ମୁ-ଶ୍ରୀନଗର ରାଜମାର୍ଗ ସମେତ ଅନେକ ରାସ୍ତାରେ ଯୋଗାଯୋଗ ଠପ୍ ହୋଇପଡିଛି। ସମରୋଲି ଓ ବନିହାଲ ସେକ୍ଟର ଭିତରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ପାହାଡ଼ରୁ ପଥର ପଡ଼ିଛି। ଏଥିରେ ଅନେକ ଗାଡ଼ି ଭାଙ୍ଗି ଚୁରମାର୍ ହୋଇଯାଇଛି। ସୌଭାଗ୍ୟବଶତଃ କାହାର ମୃତ୍ୟୁ ହୋଇନି। ଗଲା ସପ୍ତାହରେ ବୈଷ୍ଣୋଦେବୀ ମାର୍ଗରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରୁ ୪୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ସେପଟେ ହିମାଚଳପ୍ରଦେଶର କୁଲୁ ଓ ମନାଲିରେ ଭୟଙ୍କର ଭୂସ୍ଖଳନ ବଡ଼ ବିପତ୍ତି ଆଣିଛି। ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଚାପି ହୋଇ ମରିଗଲେ। ୭ଟି ଜାତୀୟ ରାଜପଥ ଓ ୧୧ଶହରୁ ଉର୍ଦ୍ଧ୍ୱ ସଡ଼କ ବନ୍ଦ ହୋଇପଡ଼ିଛି। ପ୍ରବଳ ବର୍ଷାରୁ ଆଜି ପର୍ଯ୍ୟନ୍ତ ୩୪୧ ଜଣଙ୍କ ମୃତ୍ୟୁ ହୋଇଛି। ସିମଲା, ମଣ୍ଡି, କୁଲୁ, ହମିରପୁର, ବିଳାସପୁର, ଉନା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଜିଯାଏଁ ସ୍ୱାଭାବିକରୁ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। କୁଲୁ ସହରର ଆଖଡ଼ା ବଜାରରରେ ବିଳମ୍ୱିତ ରାତିରେ ହୋଇଥିବା ଭୂସ୍ଖଳନରେ ଗୋଟିଏ ଘର ଦବିଯାଇଛି। ଏଥିରେ ଦୁଇ କଶ୍ମୀରି ମଜଦୁର ଓ ଏନଡିଆରଏଫର ଜଣେ ଜବାନ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ରେସକ୍ୟୁ ଅପରେସନ ଜାରି ରହିଥିଲା। ରାବୀ ନଦୀରେ ବଡ଼ ଧରଣର ଭୂସ୍ଖଳନ ହୋଇଛି। ସେପଟେ ଦିଲ୍ଲୀରୁ ଆଗ୍ରା ଯାଏ ଯମୁନା ନଦୀର ଜଳସ୍ତର କ୍ରମାଗତ ବଢ଼ୁଥିବାରୁ ବିପଦର ଆଶଙ୍କା କରିଛି ପ୍ରଶାସନ। ଆସନ୍ତା ୪୮ ଘଣ୍ଟା ଯାଏ ପରିସ୍ଥିତି ଉପରେ ନଜର ରଖାଯିବ। ସୋମବାର ହଥିନୀ କୁଣ୍ଡରୁ ପାଣି ଛଡ଼ାଯାଇଥିବାରୁ ଗୁରୁବାର ରାତି ଯାଏଁ ଏ ପାଣି ଆଗ୍ରା ପହଞ୍ଚିବ। ଆଉ ଜଳସ୍ତର ବିପଦସଙ୍କେତ ୪୯୯ଫୁଟ ଉପରେ ପ୍ରବାହିତ ହେବ। ନଦୀକୂଳିଆ ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ଜାଗାକୁ ଚାଲିଯିବାକୁ ନିର୍ଦେଶ ଦିଆଯାଇଛି। ଡୌକି କ୍ଷେତ୍ରର ମେହରା ନାହରଗଞ୍ଜ ଗାଁରେ ପାଣି ପଶିବାରୁ ୨୦ ଘର ଖାଲି କରି ପ୍ରଭାବିତ ପରିବାରଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସବୁଠି ଲଗାଣ ବର୍ଷା, ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍କଳନର ବିପତ୍ତି ପଡ଼ିଛି। ପ୍ରକୃତି ଯେମିତି ଦାଉ ସାଧିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *