ପ୍ରକୃତିର କୋପରେ ଫିଲିପାଇନ୍ସ- ୧୦ଲକ୍ଷ ଲୋକ ପ୍ରଭାବିତ

ଫିଲିପାଇନ୍ସରେ ସୁପର ଟାଇଫୁନ୍ ଫୁଙ୍ଗଓ୍ୱଙ୍ଗର ତାଣ୍ଡବ। ୧୬ଶହ କିଲୋମିଟର ଯାଏଁ ତୋଫାନର କାୟାରେ ଛାରଖାର ହୋଇଯାଇଛନ୍ତି ୫୦ହଜାରରୁ ଅଧିକ ପରିବାର। ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏମିତିରେ ଫିଲିପାଇନ୍ସର ପ୍ରକୃତିର କୋପରେ ସନ୍ତୁଳିତ ହେଉଛି। ନିକଟରେ ଆସିଥିବା ଟାଇଫୁନ୍ କଲମେଗିରେ ୨ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଆଉ ଏବେ ସୁପର ଟାଇଫୁନ୍ ରବିବାର ରାତିରେ ଦେଶର ଉତ୍ତର-ପୂର୍ବରେ ମାଡ଼ ପରେ ମୂଷଳଧାରାରେ ବର୍ଷା ସାଙ୍ଗକୁ ସମୁଦ୍ରରେ ବଡ଼ ଜୁଆର ଆସିଛି। ବନ୍ୟା ସ୍ଥିତି ଉପୁଜିଛି। ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ଚଳିତ ବର୍ଷର ସବୁଠୁ ଭୟଙ୍କର ତୋଫାନ କୁହାଯାଉଛି। କାରଣ ଏହାର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ଥିଲା ଆଉ ଝଟକା ପବନ ୨୩୦ କିଲୋମିଟର ଘଣ୍ଟା ପ୍ରତି ଥିଲା। ରାଜ୍ୟରେ ଏମର୍ଜେନ୍ସି ପରିସ୍ଥିତି ଘୋଷଣା କରିଦିଆଯାଇଛି। ଦକ୍ଷିଣ-ପୂର୍ବ ଏସିଆର ପ୍ରାୟ ଦୁଇ ତୃତୀୟାଂଶ ଏରିଆରେ ଏହାର କାୟା ଦେଖିବାକୁ ମିଳିଛି। ସେନା ସହ ବିଭିନ୍ନ ସୁରକ୍ଷା ଏଜେନ୍ସି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆଜି ଓ କାଲି ସମସ୍ତ ଶିକ୍ଷାନୁଷ୍ଠାନ ସହ ସରକାରୀ ଅଫିସ୍ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ୍ ହୋଇପଡ଼ିଛି। ୩ ଲକ୍ଷ ଲୋକ ଏବେ ଅନ୍ଧାରରେ ଅଛନ୍ତି। ତୋଫାନ ପ୍ରଭାବରେ ୩ଶହରୁ ଅଧିକ ଘରୋଇ ଓ ୬୦ରୁ ଅଧିକ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ବାତିଲ୍ କରାଯାଇଛି। ୬ହଜାରରୁ ଅଧିକ ଲୋକ ଓ କାର୍ଗୋ କର୍ମଚାରୀ ବନ୍ଦରରେ ଫସିଛନ୍ତି। କାରଣ କୌଣସି ଜାହାଜକୁ ସମୁଦ୍ର ଭିତରକୁ ଯିବାକୁ ଅନୁମତି ଦେଉନି କୋଷ୍ଟଗାର୍ଡ। ଟାଇଫୁନ୍ କାଲମେଗି ବିପତ୍ତି ନ ଯାଉଣୁ ଭୟଙ୍କର ଟାଇଫୁନ ଫୁଙ୍ଗଓ୍ୱଙ୍ଗର ତାଣ୍ଡବ। ଫୁଙ୍ଗଓ୍ୱଙ୍ଗକୁ ସ୍ଥାନୀୟ ଭାଷାରେ ଉଓ୍ୱାନ କୁହାଯାଉଛି। ଏହି ଦ୍ୱିତୀୟ ଟାଇଫୁନରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଯଦିଓ ସରକାରୀ ସୂତ୍ରରେ ଏହାର ସଂଖ୍ୟା ଅତି ନଗଣ୍ୟ ବୋଲି କୁହାଯାଉଛି। ଆଜି ସକାଳେ ୩ଲକ୍ଷରୁ ଉର୍ଦ୍ଧ୍ୱ ବିପନ୍ନ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି। ହଜାର ହଜାର ଘର ଭାସିଯାଇଛି। ଭୂସ୍ଖଳନରୁ ଅନେକ ଘର ପୋତି ହୋଇଯାଇଛି। ଚିହ୍ନବର୍ଣ୍ଣ ମିଳୁନି। ଆଜି ସକାଳୁ ପରିସ୍ଥିତି ଦେଖି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ୧୩୦ରୁ ଅଧିକ ଗାଁ ବନ୍ୟା ଘେରରେ। ଫିଲିପାଇନ୍ସ ଡିଜାଷ୍ଟର ରେସିଲିଏନ୍ସ ଫାଉଣ୍ଡେସନ ବା ପିଡିଆରଏଫ ପ୍ରେସିଡେଣ୍ଟ ବୁଚ୍ ମେଲିଙ୍କ କହିବା ଅନୁସାରେ, ଏହା ହେଉଛି ଦେଶର ଚତୁର୍ଥ ଭୟଙ୍କର ଝଡ଼ତୋଫାନ। ଗଲା ୭ ସପ୍ତାହ ଭିତରେ ଦୁଇଟି ବଡ଼ ଧରଣର ଭୂକମ୍ପର ବି ସମ୍ମୁଖୀନ ହୋଇଛି ଫିଲିପାଇନ୍ସ। ଗଲା ଗୁରୁବାର ଫିଲିପାଇନ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଟାଇଫୁନ କାଲମେଗି ଲାଗି ରାଜ୍ୟକୁ ଏମର୍ଜେନ୍ସି ଘୋଷଣା କରିଥିଲେ। ଆମେରିକା ଓ ଜାପାନ ଏଭଳି ସ୍ଥିତିରେ ଫିଲିପାଇନ୍ସକୁ ସହାୟତାର ହାତ ବଢ଼ାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଯଦିଏ କାଲମେଗିର ଭୟଙ୍କର ବିପତ୍ତି ପରେ ବି ଫିଲିପାଇନ୍ସ କୌଣସି ଅନ୍ତରାଷ୍ଟ୍ରୀୟ ସହଯୋଗ ଓ ସହାୟତା ମାଗିନଥିଲା।ଫିଲିପାଇନ୍ସ ପ୍ରତି ବର୍ଷ ପ୍ରାୟ ୨୦ଟି ଛୋଟବଡ଼ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥାଏ। ଏହା ସହ ପ୍ରାୟ ଭୂକମ୍ପ ଓ ଜ୍ୱାଳାମୁଖୀରୁ ବିସ୍ଫୋରଣ ବି ଏଠାରେ ହୋଇଥାଏ। ଦୁନିଆର ସବୁଠୁ ଅତ୍ୟଧିକ ପ୍ରାକୃତିକ ବିପତ୍ତି ଗ୍ରସ୍ତ ଦେଶ ଭିତରେ ଫିଲିପାଇନ୍ସ ଅନ୍ୟତମ। ଆଉ ଉଓ୍ୱାନ ହେଉଛି ୨୧ତମ ଭୟଙ୍କର ଝଡ଼।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *