ଦେଶର ରାଜଧାନୀ ଦିଲ୍ଲୀ, ଯାହାକୁ ସବୁବେଳେ ରାଜନୀତି ପାଇଁ ସରଗରମ ହୋଇ ରହିଥାଏ ଓ ସାରା ଦେଶର ନଜର ଏହା ଉପରେ ଥାଏ, ଏବେ ସେହି ରାଜନୈତିକ ମହାନଗରୀ ପାଇଁ ସବୁଠାରୁ ବଡ଼ ଖବର ହେଲା ଏହାର ପାଣିପାଗ ପରିବର୍ତ୍ତନ। କିଛିବର୍ଷ ଧରି ଦିଲ୍ଲୀର ବାୟୂମଣ୍ଡଳ ଏତେ ଅଧିକ ପରିମାଣରେ ପ୍ରଦୂଷିତ ହୋଇଯାଇଛି ଯେ, ତାହା ସାଧାରଣ ଜନଜୀବନକୁ କେବଳ ପ୍ରଭାବିତ କରିନି, ଆତଙ୍କିତ ମଧ୍ୟ କଲାଣି। କିଛିଦିନ ତଳେ ଦିଲ୍ଲୀର ଲାଇଫ୍ ଲାଇନ୍ ଯମୁନା ନଦୀର ଅବସ୍ଥା ଆପଣ ଜାଣିଥିବେ ଓ ଟିଭିରେ ଦେଖିଥିବେ। ଭୟଙ୍କର ଭାବେ ଫେଣ ଯମୁନାର ଜଳକୁ ଆଚ୍ଛାଦିତ କରି ରଖିଛି। ଯେଉଁ ସମୟରେ ଲୋକେ ଗରମ ପୋଷାକ ପିନ୍ଧି ବୁଲିବା କଥା କିମ୍ବା ଥୁରୁଥୁରୁ ସକାଳୁ ଉଠି ବିରକ୍ତିଭରା ମନରେ ନିତ୍ୟକର୍ମ ସାରିବା କଥା, ସେହି ସମୟରେ ଦେହରୁ ଝାଳ ବହୁଛି, ଶୀତ ବୋଲି ଟିକିଏ ନାହିଁ। ଏହା ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପାଣିପାଗ ଅପଡେଟ୍। ଅକ୍ବୋବର ମାସରେ ଦିଲ୍ଲୀର ଅସ୍ୱାଭିକ ପାଣିପାଗ ଏଥର ପାଣିପାଗ ବିଜ୍ଞାନୀଙ୍କୁ ହତଚକିତ କରିଦେଇଛି। ଦିଲ୍ଲୀର ସଫଦରଜଙ୍ଗଠାରେ ଥିବା ଦିଲ୍ଲୀର ମୁଖ୍ୟ ପାଣିପାଗ କେନ୍ଦ୍ର ଆଜି ଅକ୍ଟୋବର ମାସର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ଥିଲା ୩୫.୧ ଡିଗ୍ରୀ ସେଣ୍ଟିଗ୍ରେଡ, ଯେତେବେଳେକୁ ସର୍ବନିମ୍ନ ତାପମାତ୍ରା ଥିଲା ୨୧.୨ ଡିଗ୍ରୀ ସେଣ୍ଟିଗ୍ରେଡ। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୫୧ ମସିହା ଅକ୍ବୋବର ମାସରେ ଥରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିଲା ୩୬.୨ ଡିଗ୍ରୀ ସେଣ୍ଟିଗ୍ରେଡ଼। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଦୀପାବଳି ପାଳନ ଓ ବାଣ ଫୁଟା ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏବେ ମଧ୍ୟ ଦିଲ୍ଲୀର ବାୟୁମଣ୍ଡଳର ମାନ ‘ଅତ୍ୟନ୍ତ ଖରାପ’ ସ୍ତରରେ ରହିଛି। ଦିଲ୍ଲୀ ସହର, ଯାହା ହାଡ଼ଭଙ୍ଗା ଶୀତ ପାଇଁ ପ୍ରସିଦ୍ଧ ଥିଲା, ହୁଏତ ଆଗକୁ ଏହି ମହାନଗରୀରେ ଶୀତ ଏକ ଆଶ୍ଚର୍ଯ୍ୟ ଅନୁଭବ ହୋଇ ରହିଯିବ। ଏବଂ ଦିଲ୍ଲୀର ଲୋକମାନେ ଶୀତର ଅନୁଭବ ନେବାକୁ ଅନ୍ୟ ଶିତୁଆ ସ୍ଥାନକୁ ଯିବାକୁ ପଡ଼ିପାରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now