ଘଟଣାରାଜ୍ୟ

ଭୁଲ୍‌ ଖବର ସେୟାର କରି ଅଡ଼ୁଆରେ ସାମ୍ୱାଦିକ

ଭୁଲ୍‌ ଖବର ସେୟାର କରି ଅଡ଼ୁଆରେ ସାମ୍ୱାଦିକ! ତିନି ତିନି ଜଣ ସାମ୍ୱାଦିକଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଏତଲା। ଟ୍ରଲିରେ ରୋଗୀ ବୁହା ହେଉଛି। ସ୍ୱାଧୀନତା ଦିବସରେ ୭୬ ବର୍ଷୀୟ ବୃଦ୍ଧଙ୍କୁ ଆମ୍ୱୁଲାନ୍ସ ନ ମିଳିବାରୁ କିଭଳି ଦୟନୀୟ ଅବସ୍ଥାରେ ଟ୍ରଲି ହିଁ ଭରସା ସାଜିଛି, ସେ ସମ୍ପର୍କିତ ଏକ ଭିଡ଼ିଓ ସେୟାର କରିଥିଲେ ଜଣେ ସାମ୍ୱାଦିକ । ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାରେ ୭୬ ବର୍ଷୀୟ ଗୟା ପ୍ରସାଦ ବିଶ୍ୱକର୍ମାଙ୍କୁ ଟ୍ରଲିରେ ହସ୍ପିଟାଲ ନିଆଯିବାର ଦୃଶ୍ୟକୁ ସେୟାର କରିଥିବା ସାମ୍ୱାଦିକଙ୍କୁ ମହଙ୍ଗା ପଡ଼ିଛି। ସ୍ଥାନୀୟ ପ୍ରଶାସନ ଏହାର ଖୋଳତାଡ ପରେ ଏହା ମିଛ ଖବର ଥିଲା ବୋଲି ପ୍ରମାଣ ପାଇବା ପରେ ତିନି ଜଣ ସାମ୍ୱାଦିକଙ୍କ ବିରୁଦ୍ଧରେ ପୁଲିସରେ ଏତଲା ରୁଜୁ କରିଛି। ସେମାନେ ହେଲେ ସ୍ଥାନୀୟ ସାମ୍ୱାଦିକ କୁଞ୍ଜବିହାରୀ କୌରଭ, ଅନୀଲ ଶର୍ମା ଓ ଏନ.କେ.ଭଟେଲେ।

ଦାବୋ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ରାଜୀବ କୌରବ ଏମାନଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏହି ସାମ୍ୱାଦିକ ଏହି ଭିଡ଼ିଓ ସେୟାର କରି ରିପୋର୍ଟିଂ କରିଥିଲେ କି, ୧୦୮କୁ ବାରମ୍ୱାର ଡକାଯାଇଥିଲା। କିନ୍ତୁ ଆମ୍ୱୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିପାରିନଥିଲା। ଯାହା ଫଳରେ ରୋଗୀର ସମ୍ପର୍କୀୟ ବାଧ୍ୟ ହେଲେ ରୋଗୀଙ୍କୁ ଟ୍ରଲିରେ ବୁହାଇ ଦୀର୍ଘ ୫ କିଲୋମିଟର ହସ୍ପିଟାଲ ନେବାକୁ। ଏପରିକି ରିପୋର୍ଟିଂରେ ଏ କଥା ବି ଦାବି କରାଯାଇଥିଲା, ରୋଗୀ ଜଣକୁ କୌଣସି ସରକାରୀ ଯୋଜନାର ଅନ୍ତର୍ଭୁକ୍ତ କରାଯାଇନି। ଏହି ଭିଡ଼ିଓ ଭାଇରାଲ ପରେ ଭିଣ୍ଡ୍ ଜିଲ୍ଲାପାଳ ସତୀଶ କୁମାର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ଆଉ ତଦନ୍ତରୁ ଜଣାପଡ଼ିଲା, ୧୦୮ ଆମ୍ୱୁଲାନ୍ସକୁ କୌଣସି କଲ୍ କରାଯାଇନଥିଲା। ରୋଗୀଙ୍କ ପୁଅ ନିଜ ଟ୍ରଲିରେ ଅନେକ ଥର ବାପାଙ୍କୁ ହସ୍ପିଟାଲ ନେଇକି ଯାଇଥାଆନ୍ତି।

ସେ ବି ସେଦିନ ଆମ୍ୱୁଲାନ୍ସକୁ ଡାକିନଥିଲେ। ଗୟାପ୍ରସାଦଙ୍କ ପରିବାର ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀ ଅଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ ଯୋଜନାରେ ସାମିଲ ସହ ବିପିଏଲ କାର୍ଡ ବି ପାଇଛନ୍ତି ପରିବାର। ଏଭଳି ମିଛ ଓ ବିଭ୍ରାନ୍ତି ଖବର ପ୍ରସାରଣ ଓ ସେୟାର କରିଥିବାରୁ ତିନି ସାମ୍ୱାଦିକଙ୍କ ନାଁରେ ଏତଲା ଦିଆଯାଇଛି। ଅବଶ୍ୟ ପୀଡ଼ିତ ପରିବାରର କହିବା କଥା, ତଦନ୍ତ ବେଳେ ପ୍ରଶାସନ ସେମାନଙ୍କଠୁ ସାଦା କାଗଜରେ ଦସ୍ତଖତ ନେଇଛି। ଏପରିକି ଗଣମାଧ୍ୟମରେ କିଛି କହିଲେ, ସରକାରୀ ଯୋଜନାରୁ ବଞ୍ଚିତ ହେବାକୁ ପଡ଼ିବ ବୋଲି କୁଆଡ଼େ ଗୟାପ୍ରସାଦଙ୍କ ପରିବାରକୁ ଧମକ ଦିଆଯାଇଛି। ବିଡମ୍ୱନାର କଥା କି, ବାସ୍ତବରେ ଏଠି ସାମ୍ୱାଦିକ ସତ ପଦାକୁ ଆଣିବା ପରେ ପ୍ରଶାସନ ଏଭଳି ବାଉଳା ନା ଖବରକୁ ସମ୍ୱେଦନଶୀଳ କରିବାକୁ କାମଳ ସାମ୍ୱାଦିକତାର ଆଳ ନେଇଥିଲେ ସାମ୍ୱାଦିକ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button