ଇନ୍ଦୋରରେ ଦୁଷିତ ପାଣି ପିଇ ୮ ଜଣଙ୍କ ଜୀବନ ଗଲାଣି। ମେୟର ୭ ଜଣଙ୍କ ମୃତ୍ୟୁକୁ ପୁଷ୍ଟି କରିଛନ୍ତି। ଏ ଘଟଣାରେ ୨ ଅଫିସରଙ୍କୁ ସସପେଣ୍ଡ କରିବା ସହ ଜଣଙ୍କୁ ଚାକିରୀରୁ ବିଦା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟ୍ଟଓ୍ୱାରି ଆରୋପ ଲଦିଛନ୍ତି ଯେ, ୨୨ଶହ କୋଟି ଟଙ୍କା ଇନ୍ଦୋରରେ ସ୍ୱଛ ପାଣି ଯୋଗାଣ ପାଇଁ ଖର୍ଚ୍ଚ ହୋଇଥିଲା। ତଥାପି ଜନତା ବିଷାକ୍ତ ପାଣି ପିଉଛନ୍ତି। ଏଥିରେ ବଡ଼ କମିଶନି କାରବାରର ଖେଳ ହୋଇଛି। ଦେଶର ସବୁଠୁ ସ୍ୱଛ ସହର ଇନ୍ଦୋରର ଭାଗିରଥପୁରା ଏରିଆରେ ଦୂଷିତ ଜଳର କହର ଦେଖାଯାଇଛି। ସରକାରୀ ରେକର୍ଡରେ ମାତ୍ର ୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏହି ଗମ୍ଭୀର ଅବହେଳା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ନଗରନିଗମର ଜଣେ ଜୋନାଲ ଅଧିକାରୀ, ଭାଗିରଥପୁରାର ଜଣେ ସହାୟକ ଇଞ୍ଜିନିୟରକୁ ସସପେଣ୍ଡ କରିଛନ୍ତି। ଜଣେ ଇନଚାର୍ଜ ଜୁନିୟର ଇଞ୍ଜିନିୟରଙ୍କୁ ବରଖାସ୍ତ କରାଯାଇଛି। ଏହାର ଯାଞ୍ଚ ଲାଗି ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ସମସ୍ତ ରୋଗୀଙ୍କ ଚିକିତ୍ସା ଭାର ସରକାର ବହନ କରିବେ। ଲୋକେ ଅଭିଯୋଗ କରିଛନ୍ତି ଯେ, ଦୂଷିତ ପାଣି ପିଇବାରୁ ବାନ୍ତି ହୋଇଥିଲା। ଜଣକ ପରେ ଜଣେ ସପ୍ତାହକ ଭିତରେ ୬ ମହିଳାଙ୍କ ମୋଟ୍ ୮ ଜଣଙ୍କ ଜୀବନ ଯାଇଛି। ଯାଞ୍ଚରୁ ମିଳିଛି ଯେ, ପାଣି ସପ୍ଲାଏର ମୁଖ୍ୟ ପାଇପଲାଇନର ଗୋଟିଏ ଜାଗାରେ ଲିକେଜ୍ ମିଳିଛି। ଯାହା ଉପରେ ଏକ ଶୌଚାଳୟ ତିଆରି ହୋଇଛି। ଲିକେଜ କାରଣରୁ ପିଇବା ପାଣି ଦୂଷିତ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now