ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ପଜିଟିଭ୍ ସଂଖ୍ୟା ୫କୁ ବୃଦ୍ଧି, ସ୍ଵାସ୍ଥ୍ୟ ବିଭାଗର ତତ୍ପରତା

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୁଣି ଜଣେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରୋଗୀ ଜଣକ ବ୍ରହ୍ମପୁର ଉପକଣ୍ଠସ୍ଥ ଭାବିନୀପୁର ଅଞ୍ଚଳର ବୋଲି ସ୍ଵାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ପଜିଟିଭ୍ ସଂଖ୍ୟା ଇତିମଧ୍ୟରେ ୫ରେ ପହଞ୍ଚିଛି । ଏହି ରୋଗୀ ଜଣକ ମଧ୍ୟ ବାହାର ଅଞ୍ଚଳରୁ ଆସିଥିବା ସୂଚନା ମିଳିଛି । ଭାବିନୀପୁର ଅଞ୍ଚଳରେ ଜଣେ ମହିଳା ହାଇଦ୍ରାବାଦ ଯାଇଥିଲେ । ତାଙ୍କୁ ସେଠାରେ କିଛି ଦିନ ଧରି ଜ୍ୱର ହୋଇଥିଲା । ଏହାପରେ ସେ ଘରକୁ ଚାଲି ଆସିଥିଲେ । ଘରକୁ ଆସି ଡ଼େଙ୍ଗୁ ପରୀକ୍ଷା କରିବା ପରେ ତାଙ୍କ ନମୂନା ପଜିଟିଭ୍ ଆସିଛି । ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଭଲ ରହିଥିବା ବେଳେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରୁଛନ୍ତି । ଯେଉଁ ଅଞ୍ଚଳରେ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେଠାକୁ ସ୍ଵାସ୍ଥ୍ୟ ବିଭାଗର ଟିମ୍ ଯାଇ ଜନସାଧାରଣଙ୍କୁ ସଚେତନ କରୁଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଯେଉଁ ୪ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନେ ମଧ୍ୟ ବାହାର ଅଞ୍ଚଳରୁ ଆସିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସମ୍ପ୍ରତି ବର୍ଷା ଋତୁ ଚାଲିଥିବାରୁ ଡ଼େଙ୍ଗୁର ଅଧିକ ଭୟ ରହିଛି । ଏଣୁ ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ପାଣି ଜମିବାକୁ ନ ଦେବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆହ୍ଵାନ ଦିଆଯାଇଛି । ବ୍ରହ୍ମପୁର ବଡ ମେଡିକାଲରେ ଡ଼େଙ୍ଗୁ ରୋଗୀଙ୍କ ପାଇଁ ସ୍ଵତନ୍ତ୍ର ୱାର୍ଡ଼ ଖୋଲାଯାଇଛି । ସେଠାରେ ଡ଼େଙ୍ଗୁ ରୋଗୀ ମାନଙ୍କ ଚିକିତ୍ସା କରାଯାଉଛି । ଘଟଣା ପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ପ୍ରତିକାର ଓ ପ୍ରତିଶେଧକ ବ୍ୟବସ୍ଥା କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ତେବେ ଗ୍ରାମାଞ୍ଚଳରେ ତଥା ବିଭିନ୍ନ ପଞ୍ଚାୟତରେ ନାଳ, ନର୍ଦ୍ଦମା, ଘାଷଲଟା ବୁଦା ସଫା ହୋଇନଥିବାରୁ ରୋଗ ବ୍ୟାପିବା ଆଶଙ୍କା କରାଯାଉଛି ।

ଗତ ବର୍ଷ ଗଞ୍ଜାମ ଜିଲ୍ଲାରେ ୧୬୧ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୨୧ ରେ ୩୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୦୨୦ ମସିହାରେ ମାତ୍ର ୯ ଜଣ ଏବଂ ୨୦୧୯ରେ ୩୦୭ ଓ ୨୦୧୮ ମସିହାରେ ୧୫୫ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *