ଖବର ଶିରୋନାମାରେ ଜଷ୍ଟିସ ସୂର୍ଯ୍ୟକାନ୍ତ

Spread the love

ଭୁବନେଶ୍ୱର: ମହମ୍ମଦ ବିରୋଧୀ ଟିପ୍ପଣୀ ପାଇଁ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଯେଭଳି ଶବ୍ଦରେ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଏହି କଡ଼ା ତାଗିଦ ପରେ ଏବେ ପୁଣି ଏହି ବରିଷ୍ଠ ବିଚାରପତି ଖବରର ଶିରୋନାମାରେ। ୨୦୧୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସୂର୍ଯ୍ୟକାନ୍ତ। ଏହା ଆଗରୁ ହିମାଚଳପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ଅକ୍ଟୋବର ୨୦୧୮ରୁ ମେ ୨୦୧୯ ଯାଏ କାର୍ଯ୍ୟରତ ଥିଲେ। ୨୦୦୪ରୁ ୨୦୧୮ ଯାଏ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ବିଚାରପତି ଥିଲେ।

୬୦ ବର୍ଷୀୟ ବିଚାରପତି ସୂର୍ଯ୍ୟକାନ୍ତ ବହୁ ଚର୍ଚ୍ଚିତ ମାମଲାରେ ରାୟ ଦେଇଛନ୍ତି। ଜିତେନ୍ଦ୍ର ସିଂ ବନାମ ପରିବେଶ ମନ୍ତ୍ରଣାଳୟ ମାମଲାରେ ସର୍ବସାଧାରଣ ବ୍ୟବହାର ଲାଗି ଉଦ୍ଦିଷ୍ଟ ପୋଖରୀକୁ ଶିଳ୍ପ ଉଦେଶ୍ୟରେ ପୋତାଯାଇପାରିବନି। କାରଣ ଏହା ସମ୍ୱିଧାନର ଧାରା ୨୧କୁ ଉଲ୍ଲଂଘନ କରୁଛି। ପ୍ରାୟ ୫ ଏକର ପରିମିତ ପୋଖରୀକୁ ଗ୍ରେଟର ନୋଏଡା ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ ଅଥୋରିଟି ବା ଜିଏନଆଇଡିଏର ଅନୁମତି ନେଇ ପୋତିବାକୁ ବସିଥିଲା ଏକ ଶିଳ୍ପ ସଂସ୍ଥା। ପୋଖରୀକୁ ସୁରକ୍ଷା ଦେବାକୁ ସବୁ ମହଲରେ ଦାବି କରି କେହି ନ ଶୁଣିବାରୁ ଜିତେନ୍ଦ୍ର ସିଂ ନାମକ ଓକିଲ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ। ଯଦିଓ ଜିଏନଆଇଡିଏ ଦର୍ଶାଇଥିଲା କି, ଏହା ବଦଳରେ ବଡ଼ ପୋଖରୀ ଅନ୍ୟତ୍ର ଖୋଳାଯିବ। ଆଉ ଏହି ପ୍ରକଳ୍ପ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିହିତ।

ହେଲେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠରେ ଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ଏହି ଯୁକ୍ତିକୁ ଗ୍ରହଣ କରିପାରିନଥିଲେ। ଏନଜିଟିର ନିର୍ଦେଶାନାମାକୁ ଖାରଜ କରିଦେଇ ସାଇନି ଗାଁରେ ଥିବା ପୋଖରୀର ପୁନରୁଦ୍ଧାର, ପରିଚାଳନା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ତିନି ମାସ ଭିତରେ ଏହାକୁ ପ୍ରତିରୋଧ କରୁଥିବା ସମସ୍ତ ସାମଗ୍ରୀକୁ କ୍ୟାଚମେଣ୍ଟ ଏରିଆରୁ ଉଠାଇବାକୁ  ରାୟ ଶୁଣାଇଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ସେହିଭଳି ସିବିଆଇ ବନାମ ସକ୍ରୁ ମହାଗୁ ବିଞ୍ଜେଓ୍ୱାର ମାମଲାରେ ସିବିଆଇର ଅପିଲକୁ ଖାରଜ କରିଦେଇଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଏକ ହତ୍ୟା ମାମଲାରେ ସକ୍ରୁ ମହାଗୁ ବିଞ୍ଜେଓ୍ୱାର ଓ ଅନ୍ୟ ତିନି ଜଣଙ୍କୁ ହାଇକୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। କାରଣ ଚାରି ଜଣଙ୍କୁ ହତ୍ୟା ମାମଲାରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କିନ୍ତୁ ସିବିଆଇ ଏହି ମୃତ୍ୟୁଦଣ୍ଡାଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଥିଲା। ବନ୍ଦୀ ଜୀବନର ଅବଧିକୁ ନେଇ ଉଠିଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ଗଠିତ ତିନି ଜଣିଆ ଖଣ୍ଡପୀଠରେ ବି ଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। କାରଣ ସେ ଦର୍ଶାଇଥିଲେ କି, ଆଇପିସିର ସେକ୍ସନ ୫୭ କୌଣସିମତେ ଜଣେ ବ୍ୟକ୍ତିକୁ ସର୍ବାଧିକ ଆଜୀବନ କାରାଦଣ୍ଡର ସମୟ ଅବଧି ୨୦ ବର୍ଷକୁ ସୀମିତ କରିପାରିବନି। ସେଥିଲାଗି ୨୫ ବର୍ଷରେ ମୃତ୍ୟୁ ଦଣ୍ଡ ହିଁ ହେଉଛି ବାସ୍ତବ କାରାବନ୍ଦୀର ଆଧାର।

ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟକୁ କଲେଜିୟମ ଦ୍ୱାରା ପଦୋନ୍ନତି ପାଇବା ଆଗରୁ ଅନେକ ଗୁଜବ ଓ ବିରୋଧ ଖବରର ଶିରୋନାମା ପାଲଟିଥିଲା। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.କେ.ଗୋଏଲ କୁଆଡ଼େ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ୨୦୧୮ ଜାନୁଆରୀରେ ଚିଠି ଲେଖି ସୂର୍ଯ୍ୟକାନ୍ତଙ୍କୁ ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି କରିବା ପ୍ରସ୍ତାବ ଉପରେ ଆପତ୍ତି ଉଠାଇଥିଲେ। କାରଣ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଥିଲାବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଆଉ ସୂର୍ଯ୍ୟକାନ୍ତଙ୍କୁ ପଦୋନ୍ନତି ଦେବା ଆଗରୁ ଜଷ୍ଟିସ ଗୋଏଲଙ୍କ ମତାମତ ଲୋଡିଥିଲେ ତତ୍କାଳୀନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର।

ଜଷ୍ଟିସ ଗୋଏଲ ସେତେବେଳେ ଚିଠି ଲେଖି ପ୍ରଧାନ ବିଚାରପତିଙ୍କୁ କହିଥିଲେ କି, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବିରୁଦ୍ଧରେ ଆସିଥିବା ଅନିୟମିତତା ତଦନ୍ତର ରିପୋର୍ଟ ଆସିବା ଯାଏ ଅପେକ୍ଷା କରାଯାଉ। ଏମିତିରେ ସୂର୍ଯ୍ୟକାନ୍ତ ତୁଳନାତ୍ମକ ଭାବେ ଏତେ କାର୍ଯ୍ୟଦକ୍ଷ ନୁହଁନ୍ତି। ହେଲେ ଗୋଏଲଙ୍କ ଏଭଳି ଟିପ୍ପଣୀକୁ ବାର୍ କାଉନସିଲ ଅଫ ଇଣ୍ଡିଆ ଜୋରଦାର ବିରୋଧ କରିଥିଲା। ଅବସର ନେବାର ମାତ୍ର ଦୁଇ ଦିନ ପରେ ଗୋଏଲ କେମିତି ଏନଜିଟିର ଅଧ୍ୟକ୍ଷ ପଦରେ ବସିଥିଲେ ବୋଲି ପ୍ରଶ୍ନ କରିଥିଲା ବାର୍ କାଉନସିଲ୍। ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସପକ୍ଷରେ ବାହାରିଥିଲେ।

ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଚର୍ଚ୍ଚିତ ରାୟ ଭିତରେ ରହିଛି ଅନେକ ଘଟଣା। ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ ମାମଲାରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଥିଲେ ସୂର୍ଯ୍ୟକାନ୍ତ। ମୋଦିଙ୍କ କାରକେଡ୍ ପ୍ରାୟ ୨୦ ମିନିଟ ଧରି ରାସ୍ତାରେ ଅଟକିବା ମାମଲାରେ ଏକପାଖିଆ ତଦନ୍ତକୁ ଅଗ୍ରାହ୍ୟ କରିଦେଇଥିଲେ ଖଣ୍ଡପୀଠ। ନା ରାଜ୍ୟ ନା କେନ୍ଦ୍ର କରିବ। ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ୱରେ କମିଟି ଗଢାଯାଇଥିଲା। ଗ୍ରାହକ ବ୍ୟାଙ୍କରେ ଜମା କରୁଥିବା ଟଙ୍କାର ଟ୍ରଷ୍ଟି ନୁହଁନ୍ତି ବ୍ୟାଙ୍କ୍।

ସେଥିଲାଗି ବ୍ୟାଙ୍କ ଓ ଗ୍ରାହକଙ୍କ ଭିତରେ ସମ୍ପର୍କର ସଂଜ୍ଞା ଭିନ୍ନ ଢଙ୍ଗରେ ନିରୂପଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଅନୁସୂଚିତ ଜାତି ଜନଜାତି ଆକ୍ଟରେ ରୁଜୁ ମାମଲା କଅଣ ଅଭିଯୁକ୍ତ ଓ ପୀଡିତଙ୍କ ଭିତରେ ଆପୋଷ ବୁଝାମଣାରେ ରଦ୍ଦ ହୋଇପାରିବ କି ନା। ସେ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *