ନୂଆଦିଲ୍ଲୀ: ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଶକ୍ତି ପଦକ୍ଷେପ। ମାମଲାରେ କେନ୍ଦ୍ରକୁ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ଡକାଇବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ବୈଠକରେ ମହିଳାଙ୍କୁ ଘରୋଇ ହିଂସାରୁ ରକ୍ଷା କରିବାକୁ ଏହି ଆଇନ ଲାଗୁ କରିବା ଉପରେ ଚର୍ଚ୍ଚା କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ସୂଚନାଯୋଗ୍ୟ, ୨୦୨୨ ଜୁଲାଇ ମାସ ସୁଦ୍ଧା ବିଭିନ୍ନ କୋର୍ଟରେ ଘରୋଇ ହିଂସାର ୪.୭୧ ଲକ୍ଷ ମାମଲା ପଡିଛି।
ମହିଳାଙ୍କ ପ୍ରତି ଘରୋଇ ହିଂସାକୁ ନେଇ ଏକ ଯାଚିକା ସୁପ୍ରିମ କୋର୍ଟରେ ଦାୟର ହୋଇଛି, ଯେଉଁଥିରେ ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ଉଚିତ ଆଇନ ସହାୟତା ଦେବାକୁ ତଥା ଘରୋଇ ହିଂସାର ଶିକାର ମହିଳାମାନଙ୍କ ପାଇଁ ସେଲ୍ଟର ହୋମ କରିବାକୁ ଦାବି କରାଯାଇଛି। ଏହି ଯାଚିକା ଉପରେ ଜଷ୍ଟିସ ଏସଆର ସାହ ଓ ଜଷ୍ଟିସ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ କହିଛନ୍ତି କି ଘରୋଇ ହିଂସା ଆଇନ ଅନ୍ତର୍ଗତ ପ୍ରୋଟେକ୍ସନ ଅଫିସରଙ୍କ ନିଯୁକ୍ତି କରାଯାଉ। କୋର୍ଟ ଏଥିସହ ଆହୁରି କହିଛନ୍ତି କି, ଏବେ ଏହି ମାମଲାରେ ଯେଉଁ ଚିତ୍ର ରହିଛି, ତାହା ସ୍ପଷ୍ଟ ନୁହେଁ।
ଖଣ୍ଡପୀଠ କହିଛନ୍ତି, ଦେଶରେ ଯେତେ ମାମଲା ପଡି ରହିଛି, ଜଣେ ପ୍ରେଟେକ୍ସନ ଅଧିକାରୀ ଭାଗରେ ୫୦୦ରୁ ୬୦୦ ମାମଲା ପଡୁଛି। ଏମିତି ବେଳେ ଆଉ ଅଧିକ ସଂଖ୍ୟକ ଅଧିକାରୀଙ୍କ ନିଯୁକ୍ତ ଆବଶ୍ୟକ। କୋର୍ଟ କହିଛନ୍ତି କି, କେନ୍ଦ୍ର ସରକାରକୁ ଏହି ମାମଲାରେ ଗମ୍ଭୀରତା ସହ ବିଚାର କରିବାର ଆବଶ୍ୟକତା ରହିଛି। ଏଥିରେ ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟର ସଚିବ, ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶର ସଚିବଙ୍କ ବୈଠକ ଡକାଯିବ। ଏହି ବୈଠକରେ ଅର୍ଥ, ଗୃହ ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ସଚିବ ତଥା ରାଷ୍ଟ୍ରୀୟ ମହିଳା କମିଶନ, ରାଷ୍ଟ୍ରୀୟ ନ୍ୟାୟ ସେବା କର୍ତ୍ତୃପକ୍ଷ ଅଧ୍ୟକ୍ଷ ମଧ୍ୟ ସାମିଲ ହେବେ। ତେବେ ଏହି ମାମଲାରେ ଆଠ ସପ୍ତାହ ମଧ୍ୟରେ କେନ୍ଦ୍ର ସମସ୍ତ ନିର୍ଦ୍ଦେଶ ପାଳନ କରିବ ଓ ଏହା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now