ଆଧାର ସହ ଭୋଟର ପରିଚୟପତ୍ର ମାମଲା: ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

Spread the love

ଆଧାର କାର୍ଡ ସହ ଭୋଟର ପରିଚୟପତ୍ରର ସଂଯୋଗକୁ ନେଇ ସୁପ୍ରିମ କୋର୍ଟରେ ଦାୟର ପିଆଇଏଲର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ନିର୍ବାଚନ ଆଇନ ସଂଶୋଧନ ୨୦୨୧କୁ ମାତ୍ର ୨୪ ମିନିଟ ଭିତରେ ଯେଉଁଭଳି ଭାବେ ଉଭୟ ଗୃହରେ ଗୃହୀତ କରାଯାଇଥିଲା, ତାହାକୁ ବିରୋଧୀମାନେ ବିରୋଧ କରିଥିଲେ। ଏହାକୁ ନେଇ କଂଗ୍ରେସର ସାଧାରଣ ସଚିବ ତଥା ମୁଖପାତ୍ର ରଣଦୀପ ସିଂହ ସୁର୍ଯେୱାଲା ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଧାର ସହ ଭୋଟର ପରିଚୟ ପତ୍ର ଲିଙ୍କକୁ ନେଇ କଂଗ୍ରେସ ଦ୍ବାରା ସୁପ୍ରିମକୋର୍ଟରେ ଦାୟର ପିଆଇଏଲର ଶୁଣାଣି କରିବାକୁ ମନା କରିବା ସହ ହାଇକୋର୍ଟକୁ ଯିବାକୁ ସର୍ବୋଚ୍ଚ କୋର୍ଟ ଯାଚିକାକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।

ଆଧାର ସହ ଭୋଟର ପରିଚୟ ପତ୍ର ଲିଙ୍କ କରିବା ଦ୍ବାରା ଏହା ବ୍ୟକ୍ତିଗତ ତଥ୍ୟ ଲିକ କରିବ ଓ ବ୍ୟକ୍ତିର ସମାନତା ଅଧିକାର ଉଲ୍ଲଙ୍ଘନ କରିବ ବୋଲି ଯାଚିକାରେ ଉଲ୍ଲେଖ କରାଯାଇଥିଲା। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏ ଏସ ଭୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବାକୁ କହିଛନ୍ତି। ଖଣ୍ଡପୀଠ ଯାଚିକା କର୍ତ୍ତାଙ୍କୁ ପ୍ରଶ୍ନ କରିଛନ୍ତି କାହିଁକି ହାଇକୋର୍ଟଙ୍କୁ ଯାଇ ନାହାନ୍ତି। ଏହାକୁ ନେଇ ଯାଚିକା କର୍ତ୍ତାଙ୍କ ଓକିଲ ଜଣାଇଛନ୍ତି କି, ତିନିଟୋ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ହାଇକୋର୍ଟ ସବୁର ଭିନ୍ନ ମତ ଆସିପାରେ, ତେଣୁ ସିଧା ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏହାପରେ ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟରେ ଆବେଦନ କରାଯାଉ। ଏହି ବିଷୟରେ ହାଇକୋର୍ଟ ଶୁଣାଣି କରିବାକୁ ସକ୍ଷମ। ଯଦି ପ୍ରୋସିଡିଂରେ ବିବିଧତା ଆସେ ତେବେ ଏହାକୁ କ୍ଲବ କରାଯାଇ ପାରିବ ବା କେନ୍ଦ୍ର ଏହାକୁ ସୁପ୍ରିମକୋର୍ଟକୁ ପଠାଇବ। ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ସୁର୍ଯେୱାଲା ତାଙ୍କ ଯାଚିକାକୁ ଫେରାଇ ନେଇଛନ୍ତି।

୨୦୨୧ ଡିସେମ୍ବରରେ କେନ୍ଦ୍ର ସରକାର ଉଭୟ ଗୃହରେ ନିର୍ବାଚନ ସଂଶୋଧନ ଆଇନ ୨୦୨୧କୁ ଗୃହୀତ କରିଥିଲା। ଏହାକୁ କଂଗ୍ରେସ ସହ ଡିଏମକେ, ଏନସିପି, ଟିଏମସି, ବିଜେଡି, ୱାଇଏସଆରସିପି, ଶିବସେନା, ବିଏସପି ଆଦି ଦଳ ବିରୋଧ କରିଥିଲେ। ଯାଚିକାରେ କୁହାଯାଇଥିଲା, ବତ୍ତର୍ମାନ ନାଗରିକଙ୍କ ଡାଟାର ସୁରକ୍ଷା ପାଇଁ କୌଣସି ଆଇନ ନାହିଁ। ଆଧାର ସହ ପରିଚୟ ପତ୍ର ଲିଙ୍କ ଦ୍ବାରା ସ୍ଥିତି ଆହୁରି ଗମ୍ଭୀର ହୋଇଯିବ। ତେଣୁ ଏହି ଆଇନକୁ ରଦ୍ଦ କରାଯାଉ।

  • ଶିଳା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *