ଗୁଜୁରାଟ ଦଙ୍ଗା ମାମଲାରେ ମୋଦିଙ୍କୁ କ୍ଲିନଚିଟ୍, ଆଜି ଜାକିଆ ଜାଫ୍ରିଙ୍କୁ ଅଦାଲତି ଝଟକା…

Spread the love

ଜାକିଆ ଜାଫ୍ରିଙ୍କୁ ଅଦାଲତି ଝଟକା। ଗୁଜୁରାଟ ଦଙ୍ଗାରେ ହୋଇଥିବା ବଡ଼ ଷଡ଼ଯନ୍ତ୍ର ମାମଲାରେ ମୋଦିଙ୍କୁ କ୍ଲିନଚିଟ୍ ଦେଇଥିଲା ଏସଆଇଟି। ଆଉ ଏସଆଇଟିର କ୍ଲିନଚିଟ୍ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଥିଲେ ଜାକିଆ ଜାଫ୍ରି। କିନ୍ତୁ ସୁପ୍ରିମକୋର୍ଟ ଜାଫ୍ରିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୦୨ରେ ଗୁଜୁରାଟରେ ହୋଇଥିଲା ବଡ଼ ଦଙ୍ଗା। ଗୋଧ୍ରା ଟ୍ରେନ୍ ପୋଡ଼ି ହିଂସା ସାରା ଦେଶକୁ ଥରହର କରିଦେଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଥାଆନ୍ତି ନରେନ୍ଦ୍ର ମୋଦି। ଦଙ୍ଗା ଭିଆଇବାରେ ଓ ପୁରା ପ୍ରକରଣ ପଛରେ କୁଆଡ଼େ ଷଡ଼ଯନ୍ତ୍ର କରିଥିଲେ ମୋଦି। ମୋଦିଙ୍କ ସହ ପୁରା ପ୍ରକରଣରେ ସାମିଲ ଥିଲେ ୬୩ ଜଣ। ଯେଉଁମାନେ ଉଚ୍ଚ ପଦପଦବୀରେ ଥିଲେ। ଏହି ଅଭିଯୋଗ କରିଥିଲେ ଜାକିଆ ଏହସାନ୍ ଜାଫ୍ରି। କିନ୍ତୁ ଏସଆଇଟି ନିଜର କ୍ଲୋଜର ରିପୋର୍ଟରେ ମୋଦିଙ୍କ ସମେତ ସମସ୍ତ ୬୩ ଜଣଙ୍କୁ ନିର୍ଦୋଷ ବୋଲି ଦର୍ଶାଇଥିଲା। ଯାହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ଜାକିଆ ଜାଫ୍ରି।

ସୁପ୍ରିମକୋର୍ଟର ଜଷ୍ଟିସ ଏଏମ ଖାନଓ୍ୱିଲକର, ଦିନେଶ ମାହେଶ୍ୱରୀ ଓ ସିଟି ରବିକୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏସଆଇଟିର ରିପୋର୍ଟକୁ ଗ୍ରହଣ କରିଥିଲେ। ଫେବୃଆରୀ ୮, ୨୦୧୨ରେ ଏସଆଇଟି ରିପୋର୍ଟ ଦାଖଲ କରିଥିଲା। ଜଷ୍ଟିସ ଖାନଓ୍ୱିଲକର ନିଜର ରାୟ ଶୁଣାଇଲା ବେଳେ ଟିପ୍ପଣୀ ଦେଇଛନ୍ତି କି, ଏସଆଇଟି ଦାଖଲ କରିଥିବା ଚୂଡାନ୍ତ ରିପୋର୍ଟ ଉପରେ ମାଜିଷ୍ଟ୍ରେଟ ମୋହର ମାରିଛନ୍ତି। ତା ସହ ଆବେଦନକାରୀ ଜାକିଆ ଜାଫ୍ରିଙ୍କ ପ୍ରତିବାଦ ପିଟିସନକୁ ବି ଖାରଜ କରିଦିଆଯାଇଥିଲା। ତେଣୁ ଜାକିଆଙ୍କ ଆବେଦନରେ କୌଣସି ମେରିଟ୍ ନଥିବା କହି ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। ଯିଏ ଗୁଜୁରାଟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରତିନିଧିତ୍ୱ କରିଥିଲେ। ଡିସେମ୍ୱର ୯,୨୦୨୧ରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ଜାକିଆ ଜାଫ୍ରି। କଂଗ୍ରେସ ସାଂସଦ ଏହେସାନ୍ ଜାଫ୍ରିଙ୍କ ବିଧବା ପତ୍ନୀ। ଯିଏ ଗୁଜୁରାଟ ଦଙ୍ଗା ବେଳେ ଗୁଲବର୍ଗ ସୋସାଇଟିରେ ସଂଗଠିତ ହିଂସାରେ ମୃତ୍ୟୁବରଣ କରିଥିଲେ।

ଅକ୍ଟୋବର ୨୦୧୭ରେ ଗୁଜୁରାଟ ହାଇକୋର୍ଟ ଦଙ୍ଗା ଲିଂକକୁ ନେଇ ଏସଆଇଟିର କ୍ଲୋଜର ରିପୋର୍ଟକୁ ଗ୍ରହଣ କରିଥିଲେ। ରାଜ୍ୟ ପ୍ରଶାସନ ଦଙ୍ଗା ଷଡ଼ଯନ୍ତ୍ର କରିଥିବା ଆରୋପ ହୋଇଥିଲା ବେଳେ ଏଥିରେ ରାଜ୍ୟ ପ୍ରଶାସନକୁ କ୍ଲିନଚିଟ୍ ଦେଇଥିଲା ଏସଆଇଟି ଓ ଏହାକୁ ବି ଗ୍ରହଣ କରିଥିଲେ ହାଇକୋର୍ଟ। ଆଉ ଏହାକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଜାକିଆ। ଅବଶ୍ୟ ହାଇକୋର୍ଟ ଜାକିଆଙ୍କୁ ସ୍ୱାଧୀନତା ଦେଇଥିଲେ କି, ଏହି ମାମଲାରେ ଅଧିକ ତଦନ୍ତ ଲାଗି ଆବେଦନ କରିପାରିବେ। କିନ୍ତୁ ତଦନ୍ତରେ କୌଣସି ନୂଆ ଦିଗ କି ସୂଚନା ନଥିଲେ, ତାହାର କୌଣସି ମାଏନା ରଖେନା ବୋଲି ହୃଦବୋଧ କରିଛନ୍ତି ସୁପ୍ରିମକୋର୍ଟ।

ସେଥିଲାଗି ଏସଆଇଟି ଦାଖଲ କରିଥିବା ଚୂଡାନ୍ତ ରିପୋର୍ଟକୁ ଗ୍ରହଣ କରିବା ଦରକାର। କାରଣ ଏସଆଇଟି ତଦନ୍ତରେ ଷଡ଼ଯନ୍ତ୍ର ହେଲା ଭଳି ସେଭଳି କୌଣସି ଦୃଢ କି ସନ୍ଦେହଜନକ ତଥ୍ୟ ନାହିଁ। ଯାହା ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଅପରାଧିକ ଷଡ଼ଯନ୍ତ୍ର ହୋଇଥିବା କଥା ପ୍ରମାଣିତ କରୁନି। ଅବଶ୍ୟ କିଛି ଅଧିକାରୀଙ୍କ ଅବହେଳାକୁ ଓ ଦାୟିତ୍ୱହୀନତାକୁ ପୁରା ପ୍ରଶାସନର ପ୍ରାୟୋଜିତ ଅପରାଧିକ ଷଡ଼ଯନ୍ତ୍ର ବୋଲି କୁହାଯାଇପାରିବନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *