ରଥଖଳା ହାଲଚାଲ୍ : ତିନି ରଥରେ ଋଷିପଟା ବାଡିଆ କାର୍ଯ୍ୟ ସମ୍ପନ୍ନ

Spread the love

ପୁରୀ : ଆଉ ୪ ଦିନ ପରେ ଅନୁଷ୍ଠିତ ହେବ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ଇତିମଧ୍ୟରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ପ୍ରଥମ ଭୂଇଁ ଉପରେ କନକମୁଣ୍ଡି ସଂସ୍ଥାପନ କରାଯାଇଥିଲା । ପରେ ଋଷିପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି । ରଥର ତୃତୀୟ ଭୂଇଁ ଶେଣି ଚାରି ପାର୍ଶ୍ଵରେ ଦୁଇଟି ଲେଖାଏଁ ୮ ଗୋଟି ଋଷିପଟା ବାଡିଆ ହୋଇଛି । ପ୍ରତି ରଥରେ ଚାରୋଟି ଲେଖାଏଁ ଦୁଆରବେଢା ଲଗାଯାଇଛି । ତିନି ରଥର ବେବଦି ଉପରେ ମହାରଣା ମାନେ ପଟା ବାଡିଆ କାର୍ଯ୍ୟ ଜାରୀ ରଖିଛନ୍ତି । ରୂପକାର ସେବକ ମାନେ ପ୍ରଭାରେ ରାହୁ ରୂପ, ମଗର ମୁଖ ଓ ଡାଳିକତା ଖୋଦେଇ ଉପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିତ୍ରକାର ସେବକ ମାନେ ତିନି ରଥର ଅଁଳା, କଳସ, ଓଲଟ ଶୁଆ, ନାଟଗୋଡ, ଶିଖର ଡ଼ମ୍ବରୁ, ଋଷିପଟା, କନ୍ୟାପଟା, ହଂସପଟା ଓ ପାର୍ଶ୍ଵ ଦେବାଦେବୀଙ୍କ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦି କୋଣ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ରୋଷଘର ପାଇଁ ପନିକି ଓ କୋରଣା ନିର୍ମାଣ କରି ଯୋଗାଇଛନ୍ତି । ଏହା ସହ ୧୨ଟି ଧ୍ଵଜବତା କଂଟା, ପ୍ରଭା କଂଟା, ଧୂଳିଦଣ୍ଡା କଂଟା ନିର୍ମାଣ କରୁଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜି ସେବକ ମାନେ ତିନି ରଥର ବତାକନାରେ ଲେସ୍ କାମ, ଚନ୍ଦ୍ରଶାଳି, ଦ୍ଵାରବେଢ଼ାରେ ଲେସ୍, ସିଲଭର୍ ଫୁଲପକା କାର୍ଯ୍ୟ ଶେଷ କରିଛନ୍ତି । ୧୯ ତାରିଖ ନେତ୍ରୋତ୍ସବ ଦିନ ତିନି ରଥ ଦକ୍ଷିଣ ମୋଡ଼ ହୋଇ ସିଂହଦ୍ଵାରରେ ଲାଗିବ । ୨୦ ତାରିଖ ଦିନ ରଥ ପ୍ରତିଷ୍ଠା ପରେ ଚତୁର୍ଦ୍ଧାମୂର୍ତି ପହଣ୍ଡିରେ ଆସି ରଥାରୁଢ଼ ହେବେ ।

Leave a Reply

Your email address will not be published. Required fields are marked *