ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତିଙ୍କ ଚତୁର୍ଥ ଦିନ : ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ

Spread the love

ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ଆଜି ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତିଙ୍କ ଚତୁର୍ଥ ଦିନ । ଅଣସର ପିଣ୍ଡିରେ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଗୁପ୍ତ ସେବା ଜାରୀ ରଖିଛନ୍ତି । ଜ୍ଵରରୁ ଉପଶମ ପାଇଁ ଶ୍ରୀଜୀଉମାନଙ୍କ ଗୁପ୍ତ ସେବା ଜାରୀ ରହିଛି । ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ ହୋଇଛି । ଆସନ୍ତା କାଲି ଅଣସର ସେବାର ପଂଚମ ଦିନରେ ଶ୍ରୀ ଜୀଉଙ୍କ ଶ୍ରୀ ଅଙ୍ଗରେ ଫୁଲୁରୀ ତେଲ ଲାଗି ହେବାର ପରମ୍ପରା ରହିଛି । ଅଣସର ସମୟରେ ଶ୍ରୀଜୀଉମାନେ ଶ୍ଵେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ଏହି ୧୫ ଦିନ ତୁଳସୀ ଲାଗି ହେବା ପରିବର୍ତେ ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି ହୋଇଥାଏ । ପଣା ଏବଂ ଚକଟା ଭୋଗ ଲାଗି ହୋଇଥାଏ ।

ଏହି ସମୟରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ପଟ୍ଟି ଦିଅଁ ପୂଜା ପାଇବାର ପରମ୍ପରା ରହିଛି । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ଵରୀ ପଟ୍ଟି ଦିଅଁ ସ୍ଥାପନା ହେବା ସହ ପୂଜିତ ହେଉଛନ୍ତି । ନୀତି ଓ ପରମ୍ପରା ଅନୁଯାୟୀ ପଟ୍ଟି ଦିଅଁଙ୍କ ପୂଜାର୍ଚ୍ଚନା ଚାଲିଛି ।

ଜୟ ବିଜୟ ଦ୍ଵାର ନିକଟରେ ଖଟ ଉପରେ ମଦନମୋହନ ରାମକୃଷ୍ଣ, ଶ୍ରୀଦେବୀ ଭୂଦେବୀ, ମାଧବ ଓ ଶ୍ରୀ ନୃସିଂହ ପଟ୍ଟିଦିଅଁଙ୍କ ସହ ପୂଜା ପାଉଛନ୍ତି । ଯାହାକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ । ଅନ୍ୟପକ୍ଷରେ ଏହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *