ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆଉ ମାତ୍ର ୭ ଦିନ : ପ୍ରଶାସନିକ ସ୍ତରରେ ତତ୍ପରତା ନାହିଁ

Spread the love

ସାଲେପୁର : ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଦେବସ୍ନାନ ଯାତ୍ରା ଆଉମାତ୍ର ୭ ଦିନ ରହିଥିଲା ବେଳେ ପ୍ରଶାସନିକ ସ୍ତରରେ କୌଣସି ସୁବ୍ୟବସ୍ଥା କରାଯାଇନଥିଲା ବେଳେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଦେବସ୍ନାନ ଯାତ୍ରା ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୭/୮ଲକ୍ଷ ଶ୍ରଦ୍ଧାଳୁ ଯୋଗଦେଇଥାଆନ୍ତି । ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ଏହି ପୀଠରେ ସ୍ୱୟଂ ଜଗନ୍ନାଥଙ୍କୁ ଦର୍ଶନ କରିଥାଆନ୍ତି ବୋଲି ମନେକରିଥାଆନ୍ତି । ଏହି ପୀଠ ଜଗନ୍ନାଥ ଧାମ ସହିତ ସମକକ୍ଷ ହେଉଥିବାରୁ ପୂର୍ବଦିନମାନଙ୍କରେ ପ୍ରଶାସନିକ ସ୍ତରରେ ସର୍ବଦଳୀୟ ବୈଠକ ଡକାଯାଇ ଗମନାଗମନ, ପାନୀୟଜଳ, ବିଦ୍ୟୁତ, ଶ୍ରଦ୍ଧାଳୁମାନଙ୍କ ପାଇଁ ଶୃଙ୍ଖଳା ଦର୍ଶନ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯିବା ସହ ବିଭିନ୍ନ ପ୍ରାନ୍ତରୁ ଆସୁଥିବା ୪୦୦ରୁ ୫୦୦ ବ୍ୟବସାୟୀଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଥାଏ । ଦେବସ୍ନାନ ଯାତ୍ରାର ପ୍ରାୟ ୨୦ ଦିନ ପୂର୍ବରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟୀଙ୍କ ପକ୍ଷରୁ ବିଭିନ୍ନ ବିଭାଗ ଓ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ଡକାଯାଇ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥାଏ । ମାତ୍ର ଚଳିତ ବର୍ଷ କଟକ ସଦର ଉପଜିଲ୍ଲାପାଳ ତଥା ଟ୍ରଷ୍ଟୀ ଶାସକ ଦଳର ବ୍ୟକ୍ତି ବିଶେଷଙ୍କୁ ଡାକି ବୈଠକ କରିଥିଲେ ହେଁ ଏଥିରେ ବହୁ ବୁଦ୍ଧିଜୀବୀଙ୍କୁ ସାମିଲ କରାଯାଇନଥିଲା । ଦୀର୍ଘ ୫୦୦ ବର୍ଷ ଧରି ପାଳିତ ହେଉଥିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରାରେ ସ୍ଥାନୀୟ ପ୍ରଶାସନ ରାଜନୈତିକ ବାତାବରଣ ସୃଷ୍ଟି କରୁଥିବାରୁ ଉପଜିଲ୍ଲାପାଳଙ୍କ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *