ଆଜି ଗୁରୁ ପୂର୍ଣ୍ଣିମା

Spread the love

ପୁରୀ : ଆଜି ଗୁରୁ ପୂର୍ଣ୍ଣିମା । ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଗୁରୁ ପୂର୍ଣ୍ଣିମା ପଡ଼ିଥାଏ । ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି । ସେ ମଧ୍ୟ ବେଦାନ୍ତ ଦର୍ଶନ ଏବଂ ଅଦ୍ୱୈତବାଦର ସଂସ୍ଥାପକ । ବେଦ ମାନଙ୍କର ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣାନୁଯାୟୀ, ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଯୁଗରେ ଜନ୍ମ ଗ୍ରହଣ କରି ବେଦ ମାନଙ୍କ ସଂଗ୍ରହ ଓ ବିଭାଗକାରୀ ୨୮ ଜଣ ଋଷି ବେଦବ୍ୟାସ ଭାବେ ପରିଚିତ । ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ ।

ମହର୍ଷି ବ୍ୟାସଦେବ ହସ୍ତିନାପୁରର ମହାରାଣୀ ସତ୍ୟବତୀ (ମତ୍ସ୍ୟଗନ୍ଧା) ଏବଂ ଋଷି ପରାଶଙ୍କର ପୁତ୍ର । ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣ ଦ୍ୱୀପରେ ସେ ଜନ୍ମଗ୍ରହଣ କରିଥିଲେ । ବେଦ ପରି ବୃହତ୍ ଗ୍ରନ୍ଥକୁ ସେ ଋକବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ ଏହିପରି ଚାରୋଟି ଭାଗ (ବ୍ୟାସ) କରିଥିବାରୁ ତାଙ୍କୁ ବେଦବ୍ୟାସ ରୂପେ ନାମିତ କରାଯାଇଛି । ତାଙ୍କର ନିର୍ଦ୍ଦେଶ କ୍ରମେ ଏବଂ ବାର୍ତା ଅବଗତକୁ ନେଇ ସେ ମହାଭାରତ ରଚନା କରିଥିଲେ । ଜନ୍ମ ପରେ ସେ ତପସ୍ୟା ନିମନ୍ତେ ଦ୍ୱୈପାୟନ ଦୀପକୁ ଯାଇଥିଲେ । ଜନ୍ମରୁ କୃଷ୍ଣ ବା ରଙ୍ଗରେ କଳା ଥିବାରୁ ତାଙ୍କର ଏକ ଅନ୍ୟ ନାମ ମଧ୍ୟ ଥିଲା, କୃଷ୍ଣ ଦ୍ୱୈପାୟନ । ବେଦବ୍ୟାସ ଅରୁଣିଙ୍କ ପତି ତଥା ଶୁକଦେବଙ୍କ ପିତା ଥିଲେ । ସେ ମଧ୍ୟ କୌରବ ଓ ପାଣ୍ଡବମାନଙ୍କର ପିତାମହ ଥିଲେ । ବ୍ୟାସଦେବଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା । ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ଚିତ୍ରାଙ୍ଗଦ ଏବଂ ବିଚିତ୍ରବିର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ମାତା ସତ୍ୟବତୀଙ୍କ ଆଦେଶ ଅନୁସାରେ ସେ ଚିତ୍ରାଙ୍ଗଦ ଏବଂ ବିଚିତ୍ରବିର୍ଯ୍ୟଙ୍କ ଦୁଇ ବିଧବା ପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁଯାୟୀ ସହବାସ କରିଥିଲେ । ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଏବଂ ପାଣ୍ଡୁଙ୍କର ଜନ୍ମ ହୋଇଥିଲା । ଏବଂ ବ୍ୟାସଦେବଙ୍କ ଔରସରୁ ଦାସୀ ଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ । ବେଦବ୍ୟାସ ତ୍ରିକାଳଦର୍ଶୀ ଥିଲେ । ହସ୍ତିନାପୁରର ଭବିଷ୍ୟ ତଥା ବିଭିନ୍ନ ସମସ୍ୟାର ସମାଧାନ ନେଇ ସେ ମାତା ସତ୍ୟବତୀଙ୍କୁ ସମୟକାଳୀନ ପରାମର୍ଶ ଦେଉଥିଲେ ଅଥବା ତାଙ୍କ ସହିତ ବିଚାର ବିମର୍ଷ କରୁଥିଲେ । ଗୁରୁ ପରମ୍ପରାରେ ଗୁରୁମାନେ ତାଙ୍କ ଶିଷ୍ୟମାନଙ୍କୁ ଅନ୍ଧକାରରୁ ଜ୍ଞାନର ଆଲୋକ ପ୍ରଦର୍ଶନ କରନ୍ତି । ଏଣୁ ଶାସ୍ତ୍ରରେ କୁହାଯାଇଛି – ଗୁରୁ ଶବ୍ଦର ଅର୍ଥ ଅତ୍ୟନ୍ତ ମହାନ୍ । ‘ଗୁ’ କହିଲେ ଅନ୍ଧାର ଏବଂ ‘ରୁ’ ର ଅର୍ଥ ଅଜ୍ଞାନ । ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି । ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ଗୁରୁ ଅର୍ଥରେ ସେ ମହାମହିମ । ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵରଙ୍କ ସହିତ ତୁଳନା କରାଯାଇଛି । ଏହି କ୍ରମରେ ଜନ୍ମଦାତ୍ରୀ ମାତା ପ୍ରଥମ ଗୁରୁ, ପିତା ଦ୍ଵିତୀୟ ଗୁରୁ ଏବଂ ଶିକ୍ଷାଦାତା ତୃତୀୟ ଗୁରୁ । ଗୁରୁମାନେ ହିଁ ଆମ ଜୀବନର ମାର୍ଗଦର୍ଶକ, ସୁନିୟନ୍ତ୍ରକ । ଗୁରୁମାନଙ୍କ ଠାରୁ ଶିକ୍ଷା, ଦୀକ୍ଷା ତଥା ତାଙ୍କ ଆଦର୍ଶ ସବୁକିଛି ଶିଷ୍ୟ ମାନଙ୍କର ଜୀବନରେ ପ୍ରତିଫଳିତ ହୋଇଥାଏ । ବ୍ୟାସଦେବ ତାଙ୍କ ସୃଷ୍ଟି ମାଧ୍ୟମରେ ଯୁଗଯୁଗ ପାଇଁ ଏ’ ମାନବ ଜାତିକୁ ମହାନ ଶିକ୍ଷା ଦେଇ ଯାଇଛନ୍ତି । ପ୍ରାଚୀନ କାଳରେ ଗୁରୁ କୂଳରେ ଶିଷ୍ୟମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଶିକ୍ଷା ଦେବା ନିମନ୍ତେ ଗ୍ରହଣ କରାଯାଉଥିଲା ଏବଂ ଶିକ୍ଷାରେ ଉପଯୁକ୍ତ ଦକ୍ଷତା ହାସଲ ପରେ ଗୁରୁଦକ୍ଷିଣା ଦାନ ପୂର୍ବକ ଶିଷ୍ୟ ମାନଙ୍କୁ ବିଦାୟ ନେବାକୁ ହେଉଥିଲା । ଏହି ଦକ୍ଷିଣା ଶିଷ୍ୟମାନଙ୍କର ଏକ ସମର୍ପଣର ଭାବ ।

Leave a Reply

Your email address will not be published. Required fields are marked *