ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ମୁଖ୍ୟ ଶାସନ ସଚିବ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? : ବିଜେପି

Spread the love

ଭୁବନେଶ୍ୱର : ରାଜ୍ୟରେ କିଛି ମାସ ହେବ ଗଣତନ୍ତ୍ର ଭୁଷୁଡି ପଡିଥିବା ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଯେଉଁଭଳି ଭାବରେ ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତି, ତାହା ଭାରତବର୍ଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ବ୍ୟକ୍ତିଗତ ସଚିବ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗର ପତ୍ର କେନ୍ଦ୍ରର ଡିଓପିଟି ବିଭାଗରୁ ଆସିବା ପରେ ମଧ୍ୟ ମୁଖ୍ୟ ଶାସନ ସଚିବ କ’ଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯଦି ବିଭିନ୍ନ ଅଂଚଳକୁ ଯାଇ ଜିଲ୍ଲାର ବିକାଶ ଓ ସମସ୍ୟା ବୁଝିବେ ତା’ ହେଲେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ମାନଙ୍କ ଭୂମିକା କଣ? ବ୍ୟକ୍ତିଗତ ସଚିବଙ୍କ ପାଇଁ କଣ ଗସ୍ତର ପୂର୍ବ ପ୍ରସ୍ତୁତି କରାଇବା ? ଚେୟାର ପକାଇବା ସହ ମଞ୍ଚ ବାନ୍ଧିବା ? ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହାର ଉତର ରଖିବେ କି ? ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ କଣ ଅଣଦେଖା ଓ ଅଦରକାରୀ ହୋଇପଡିଛନ୍ତି କି? ଯେଉଁଥି ପାଇଁ ବ୍ୟକ୍ତିଗତ ସଚିବ ସ୍ୱତନ୍ତ୍ର ପ୍ଲେନ ଓ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲାକୁ ଯାଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ସଭା ଓ ସମିତି ନାଁରେ କୋଟି କୋଟି ଟଙ୍କା କରୁଛନ୍ତି, ଯାହା ପିସି ଟଙ୍କା ବୋଲି ଚର୍ଚ୍ଚା ହେଉଛି ।

କିଛି ଦିନ ତଳେ ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏସମ୍ପର୍କରେ ଭାରତ ସରକାରଙ୍କ ଡିଓପିଟି ବିଭାଗରେ ଗୋଟିଏ ଅଭିଯୋଗ କରିଥିଲେ, ଯାହାର ଚିଠି ମୁଖ୍ୟ ଶାସନ ସଚିବଙ୍କ ପାଖରେ ପହଁଚିଛି । ଅନୁରୂପ ଭାବେ ସେ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକଳାପ ବାବଦରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦୁଇଟି ଅଭିଯୋଗ ପତ୍ର ଡିଓପିଟିକୁ ଅବଗତ କରାଇଥିଲେ । ତାହାର ଉତ୍ତର ମଧ୍ୟ ମୁଖ୍ୟ ଶାସନ ସଚିବ ଓ ତାଙ୍କ ପାଖକୁ ଆସିଛି । ଅନ୍ୟ ଦଳର ନେତୃବୃନ୍ଦ ଏ ସମ୍ପର୍କରେ ଅଭିଯୋଗ ଦେଇଛନ୍ତି ଓ ତାଙ୍କ ଅଭିଯୋଗ ପତ୍ର ଆଧାରରେ ରାଜ୍ୟ ସରକାରଙ୍କ ପାଖକୁ ସେ ପତ୍ରର ପ୍ରତ୍ୟୁତର ମଧ୍ୟ ଆସିଥିବ ବୋଲି ଅନୁମାନ । ଏ ସବୁର ପତ୍ର ଆସିବା ପରେ ମୁଖ୍ୟ ଶାସନ ସଚିବଙ୍କ ପାଖରୁ ଜିଏ ଡିପାର୍ଟମେଣ୍ଟ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ପାଖକୁ ଯାଇଛି ବୋଲି ଆମ ପାଖରେ ଖବର ଅଛି । ସୁରେନ୍ଦ୍ର କୁମାର ଏ ପର୍ଯ୍ୟନ୍ତ ସେହି ଚିଠି ଗୁଡିକୁ କେବଳ ନିଜ ପାଖରେ ରଖି ଆତ୍ମସନ୍ତୋଷ ପ୍ରକାଶ କରୁଛନ୍ତି । ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେଷ୍ଟା କରୁନାହାନ୍ତି ।

ମୁଖ୍ୟ ଶାସନ ସଚିବ ଏହି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ଶାସନ ବ୍ୟବସ୍ଥାର ଏକ ଶିଥିଳତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି । ମୁଖ୍ୟ ଶାସନ ସଚିବ ଏହା ଉପରେ ଆଗ୍ରହ ଦେଖାଉ ନଥିଲା ଭଳି ମନେ ହେଉଛି । ଏ ସବୁର ଉତର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଦେବାକୁ ପଡ଼ିବ । ଏହି ଅଫିସର ବାରମ୍ବାର ନିୟମର ଉଲ୍ଲଂଘନ କରୁଛନ୍ତି ଓ ଅନେକ ଥର ଅଭିଯୋଗ ଆସିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହା ଉପରେ ମୁଖ୍ୟ ଶାସନ ସଚିବ ପୃଙ୍ଖାନୁପୁଙ୍ଖ ତଦନ୍ତ କରି ସଠିକ୍ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପଣ୍ଡା ଦାବି କରିଛନ୍ତି ।

ବିଜେଡିର ବରିଷ୍ଠ ନେତା, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର,ବ୍ୟକ୍ତିଗତ ସଚିବଙ୍କ ଉପରେ ଯେଉଁ ଭଳି ଭାବେ ବକ୍ତବ୍ୟ ରଖିଛନ୍ତି, ଏହା ନିଜକୁ ରାଜନୀତିରେ ବଞ୍ଚାଇ ରଖିବା ପାଇଁ ବୋଧେ ତାଙ୍କ ସପକ୍ଷରେ ଯୁକ୍ତି ବାଢିବା ପାଇଁ ବାଧ୍ୟ ହେଉଥିଲା ଭଳି ମନେ ହେଉଛି । ତାଙ୍କୁ ବ୍ୟକ୍ତିଗତ ସହାୟକ ପାଇଁ ଯଦି ମଞ୍ଚ ବାନ୍ଧିବା ଓ ଚେୟାର ପକାଇବା ଖୁସି ଲାଗୁଛି । ତେବେ ଆମର କିଛି କହିବାର ନାହିଁ ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *