ଝିଅ ଆଇଏଏସ ପାଇଥିବା ଖବରର ସତ୍ୟାସତ୍ୟ ନ ପରଖି ଅପମାନିତ ହେଲା ପରିବାର

Spread the love

ପରିବାର ଆତ୍ମହରା ହୋଇପଡ଼ିଥିଲା। ପାଦ ତଳେ ଲାଗୁନଥିଲା। ଖୁସିର ମାହୋଲ ଚାରିଆଡ଼େ ଥିଲା। କାରଣ ଝିଅ ଆଇଏଏସ୍ ପାଇଛି। ମିଠା ବାଣ୍ଟି, ପରସ୍ପରକୁ ଆଲିଙ୍ଗନ କରି ଖୁସି ଜାହିର କରୁଥିଲେ ପୁରା ପରିବାର। ଏଭଳି କୃତିତ୍ୱରୁ ଝିଅ ଦିବ୍ୟାକୁ ଶୁଭେଛା, ଅଭିନନ୍ଦନ ଓ ଆଶୀର୍ବାଦର ସୁଅ ଛୁଟିଥିଲା। ଆଉ ଗଣମାଧ୍ୟମର ବି ଭିଡ଼ ଲାଗିସାରିଥିଲା। ଦିବ୍ୟା ପାଣ୍ଡେ ବି ଗଣମାଧ୍ୟମରେ କହିଥିଲେ, ଆଇଏଏସ ହେବାକୁ ସେ ଦଶମ ଶ୍ରେଣୀରୁ ସ୍ୱପ୍ନ ଦେଖୁଥିଲେ। ଏଥର ଆଇଏଏସ ପାଇଥିବାରୁ ତାଙ୍କର ସ୍ୱପ୍ନ ପୂରଣ ହୋଇଛି। ବାପା ମାଆଙ୍କ ଭରସା ବି ଥିଲା ତାଙ୍କ ଝିଅ ଉପରେ। ତାହା ବି ସାକାର କରିପାରିଲେ। ପ୍ରଥମ ଥର ସିଭିଲ ସର୍ଭିସ ପରୀକ୍ଷା ଦେଇ ଆଇଏଏସ ପାଇଥିବାର ଦାବି କରିଥିଲେ ଦିବ୍ୟା ପାଣ୍ଡେଙ୍କ ପରିବାର। କିନ୍ତୁ ଏ ସବୁ ପଛରେ ଥିଲା ଭୁଲ୍‌ ଖବର। କାରଣ ଦିବ୍ୟା ଆଇଏଏସ ପାଇନଥିଲେ। ଆଇଏଏସ ପାଇଥିବାର ଖବର କୁଆଡ଼େ ଦିବ୍ୟାଙ୍କ ବଡ଼ ଭଉଣୀ ପ୍ରିୟଦର୍ଶିନୀ ପାଣ୍ଡେ ତାଙ୍କ ଜଣେ ବନ୍ଧୁଙ୍କଠୁ ଖବର ପାଇଥିଲେ।

ୟୁପିଏସସିରେ ୩୨୩ ରାଙ୍କ ଦିବ୍ୟା ପାଇଥିବା ବଡ଼ ଭଉଣୀଙ୍କ ବନ୍ଧୁ ଅବଗତ କରାଇଥିଲେ। ହେଲେ ଏହାକୁ ଆଉ ଅନୁସନ୍ଧାନ କରିନଥିଲେ ପରିବାର। ବଡ଼ ଭଉଣୀଙ୍କ କହିବା କଥା ଥିଲା, ୟୁପିଏସସି ଓ୍ୱେବସାଇଟରେ ବାସ୍ତବରେ ଦିବ୍ୟା କେତେ ରାଙ୍କ ପାଇଛି, ତାହା କରିବାକୁ ବାହାରିଥିଲେ। କିନ୍ତୁ ଇଣ୍ଟରନେଟ୍ କାମ କରିନଥିଲା। ଏ ଭୁଲ୍ ଅଜାଣତରେ ହୋଇଯାଇଛି। ମିଛ ଦାବି କରି ପ୍ରଶଂସା ପାଇବାକୁ କୌଣସି ଉଦେଶ୍ୟ ନଥିଲା ପରିବାରର। ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲା ରଜରପ୍ପା ଥାନା ଅନ୍ତର୍ଗତ ସିସିଏଲ ରଜରପ୍ପାର ଅବସରପ୍ରାପ୍ତ କ୍ରେନ୍ ଅପରେଟର ଜଦଗୀଶ ପାଣ୍ଡେଙ୍କ ଝିଅ ହେଉଛନ୍ତି ଦିବ୍ୟା। ବିନା କୋଚିଂରେ ଆଇଏଏସ ପାଇଁ ପ୍ରସ୍ତୁତ ହେଉଥିଲେ ଦିବ୍ୟା।

ପ୍ରଥମ ଥରରେ ବାଜି ମାରିନେଇଥିବା ଖବର ବଡ଼ ଭଉଣୀଙ୍କ ବନ୍ଧୁଙ୍କଠୁ ପାଇଲା ପରେ ସ୍ୱାଭାବିକ ଭାବେ ଉତଫୁଲ୍ଲିତ ହୋଇପଡ଼ିଥିଲେ ପୁରା ପରିବାର।କିନ୍ତୁ ମିଛ ସୂଚନା ପାଇଁ ଅପଦସ୍ଥ ହେଲେ ପୁରା ପରିବାର। ଯାହା ପ୍ରଶଂସା ଓ ସମ୍ମାନ ସାଉଁଟିଥିଲେ କ୍ଷଣିକରେ ଚାଲିଗଲା। ଏପରିକି ପ୍ରଶାସନକୁ ଭୁଲ୍ ମାଗିବା ଯାଏ କଥା ଗଲା। ଝିଅ ଆଇଏଏସ ପାଇଥିବା ଖବରର ସତ୍ୟାସତ୍ୟ ନ ପରଖି ଜଣେ ସାଙ୍ଗଙ୍କ ଫୋନକଲ୍ ଆଧାରରେ ଏମିତି ଅପମାନିତ ହେବା ଘଟଣା ବିରଳ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *