ଶିକ୍ଷକଙ୍କ ମାଡ଼ରେ ଅସୁସ୍ଥ ଛାତ୍ରର ମୃତ୍ୟୁ ଅଭିଯୋଗ । ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ଼ ମରାଯାଇ ନଥିବା ବେଳେ, ସମ୍ପୃକ୍ତ ଛାତ୍ରଙ୍କର ପୂର୍ବରୁ ରୋଗ ଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ । ଅଭିଯୋଗ ଅନୁଯାୟୀ, ହାଟଡିହି ବ୍ଲକ ବିଦ୍ୟାଧରପୁର ଗାଁର ଅପର୍ଣ୍ଣା ଜେନା ଓ ମୁନା ଜେନାଙ୍କର ୧୧ ବର୍ଷର ପୁଅ ମଣ୍ଟୁ ଜେନା ନିକଟସ୍ଥ ବାଲିବରେଇ ହାଇସ୍କୁଲରେ ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ସୁସ୍ଥ ହେବାପରେ ସ୍କୁଲକୁ ଯାଉଥିଲେ । ମଣ୍ଟୁଙ୍କର ମା, ସ୍କୁଲ କୁ ଯାଇ ପୁଅକୁ ମାଡ଼ପିଟ ନକରିବା, ଚାପ ନଦେବା ପାଇଁ ଅନୁରୋଧ କରି ଆସିଥିଲେ । ମାତ୍ର ୨ଦିନ ପୂର୍ବେ ସ୍କୁଲରେ ପାଠପଢ଼ା କରିନଥିବା କାରଣରୁ ଶିକ୍ଷକ ପ୍ରମୋଦ ସାର୍ ମଣ୍ଟୁ ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାପରେ ମଣ୍ଟୁ ଘରକୁ ଆସି ଅସୁସ୍ଥ ହୋଇପଡିଥିଲେ ଓ ବାନ୍ତି କରିଥଲେ । ତାଙ୍କୁ ପରିବାର ଲୋକେ ଆନନ୍ଦପୁର ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ସେଠାରୁ ଡାକ୍ତର ତାଙ୍କୁ କଟକ ରେଫର କରିଥିବା ବେଳେ ମଣ୍ଟୁଙ୍କର ମୃତ୍ୟୁ ଘଟିଥିଲା । ଶିକ୍ଷକଙ୍କ ମାଡ଼ ପାଇଁ ପୁଅର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଯେ, ଛାତ୍ରଟି ରୋଗଗ୍ରସ୍ତ ଥିବାରୁ ମୃତ୍ୟୁବରଣ କରିଛି । ଦଣ୍ଡମୁକ୍ତ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଆଯାଉ ନଥିବା ସେ କହିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now