୨୦୧୯ କ୍ୟାଡର ରୁଲ୍‌କୁ ତୁରନ୍ତ ସଂଶୋଧନ କରାଯିବାକୁ ଦାବି

Spread the love

ଭୁବନେଶ୍ୱର : ନିଖିଳ ଉତ୍କଳ ଏଲିମେଂଟାରୀ ଟି.ଜି. ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଭାପତି ଲକ୍ଷ୍ମଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଭୁବନେଶ୍ୱରସ୍ଥ ଗୋଦାବରୀଶ ସାହିତ୍ୟ ସଂସଦଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକର ପ୍ରାରମ୍ଭରେ ରାଜ୍ୟ ସଂଘର ବରିଷ୍ଠ କର୍ମକର୍ତା ରଞ୍ଜିତ କୁମାର ମହନ୍ତଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହାପରେ ରାଜ୍ୟ ସରକାରଙ୍କ ଟ୍ରେଣ୍ଡ ଗ୍ରାଜୁଏଟ୍ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ଏବଂ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତୁରନ୍ତ ରାଜ୍ୟର ସମସ୍ତ ଯୋଗ୍ୟ ଶିକ୍ଷକମାନଙ୍କୁ ପଦୋନ୍ନତି ପ୍ରଦାନ କରିବା ପାଇଁ ରାଜ୍ୟ ସଂଘ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାର ୨୦୧୯ ମସିହାରେ ଏକ ତ୍ରୁଟିପୂର୍ଣ୍ଣ କ୍ୟାଡର ରୁଲ୍ ପ୍ରଚଳନ କରି ପ୍ରାଥମିକ ଶିକ୍ଷକମାନଙ୍କର ଭବିଷ୍ୟତକୁ ଅନ୍ଧକାର ମଧ୍ୟରୁ ଠେଲିଦେଇଥିବା କଥା ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା । ତୁରନ୍ତ ସରକାର ୨୦୧୯ କ୍ୟାଡର ରୁଲ୍‌କୁ ସଂଶୋଧନ କରି ଏକ ଶିକ୍ଷକ ହିତୈଶି କ୍ୟାଡର ପ୍ରଚଳନ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଏକ ଅଭିଜ୍ଞ ଷ୍ଟାଫିଙ୍ଗ୍ ପାଟର୍ନ ପ୍ରଚଳନ କରିବା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବି.ଏଡ୍ ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ୪୨୦୦ଟଙ୍କା ଗ୍ରେଡ୍ ପେ’ ଆଧାରରେ ଦରମା ପ୍ରଦାନ କରାଯିବା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ଦରମା ସଂଶୋଧନ କରାଯାଇ ୪୬୦୦ ଟଙ୍କା ଗ୍ରେଡ୍ ପେ’ ହାରରେ ଦିଆଯାଇ ସେମାନଙ୍କ ଦରମା ସଂଶୋଧନ କରାଯିବା, ପ୍ରାଥମିକ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଦମ୍ପତି ମାନଙ୍କ ଆନ୍ତଃ ଜିଲ୍ଲା ବଦଳି  ନୀତିକୁ ସରଳୀକରଣ କରିବା, ବି.ଏଡ୍ ଓ ସି.ଟି. ଶିକ୍ଷକମାନଙ୍କ ପାଇଁ ପୃଥକ ପୃଥକ କ୍ୟାଡର ପ୍ରଚଳନ କରି ସେମାନଙ୍କୁ ପଦୋନ୍ନତି ତାଲିକାରେ ସ୍ଥାନିତ କରିବା ଓ ବି.ଏଡ୍ ଶିକ୍ଷକମାନଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଠିକା ଉଚ୍ଛେଦ ଦାବିରେ ଗାନ୍ଧୀମାର୍ଗଠାରେ ଗଣଧାରଣା ଦେଇଥିବା କନିଷ୍ଠ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସଂଘ ତରଫରୁ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରାଯିବା ସହ ସରକାରଙ୍କୁ ଏଭଳି କୁତ୍ସିତ ଠିକା ପ୍ରଥା ଉଚ୍ଛେଦ ତଥା ତୁରନ୍ତ ଏହି ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସଂଘକୁ ଆଗାମୀ ଦିନରେ ସାରା ଓଡ଼ିଶାର ୩୧୪ ବ୍ଲକରେ ସକ୍ରିୟ ତଥା ପୂନର୍ଗଠନ କରାଯାଇ ରାଜ୍ୟ ସରକାରଙ୍କ ନିକଟରୁ ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବା ପାଇଁ ସଂଘ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ବୈଠକରେ ରାଜ୍ୟ ସଂଘର ସାଧାରଣ ବୈଠକ ମୁରଲୀଧର ନାୟକ, ଉପସଭାପତି ସଚିକାନ୍ତ ମିଶ୍ର, ସର୍ବେଶ୍ୱର ମଲ୍ଲିକ, ଜାକିର୍ ହୁସେନ୍‌, ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ବଳରାମ ପତି, ସତ୍ୟବ୍ରତ ରାଉତ, ନିରଞ୍ଜନ ପଣ୍ଡା, ଅକ୍ଷୟ ମିଶ୍ର, କମଳାକାନ୍ତ ଦାସ, ଅଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ଏଭଳି କଠୋର ମନୋବୃତିର ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ଟି.ଜି. ଶିକ୍ଷକମାନେ ଏହାର ଦୃଢ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *