ଆସିଲା ସୁଭଦ୍ରା ଏସଓପି, ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ହେବେ ଉପକୃତ

ଆସିଲା ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଏସଓପି। ୨୧ ବର୍ଷରୁ ଅଧିକା ଓ ୬୦ ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳା ଏଥିରେ ସାମିଲ୍ ହେବେ। ଡିବିଟି ଜରିଆରେ ଯିବ ଟଙ୍କା। ଯୋଜନାରେ ସାମିଲ ହେବାକୁ ଅଙ୍ଗନଓ୍ୱାଡ଼ି କେନ୍ଦ୍ର, ବ୍ଲକ ଅଫିସ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିବେ। କଲ୍ ସେଣ୍ଟର ବି କାର୍ଯ୍ୟକ୍ଷମ ହେବ। ୨୦୨୪-୨୫ ଆର୍ଥିକ ବର୍ଷରୁ ଏହା ଆରମ୍ଭ ହୋଇ ୨୦୨୮-୨୯ ଯାଏ କାର୍ଯ୍ୟକାରୀ ହେବ। ସୁଭଦ୍ରାକୁ ରାଜ୍ୟ କ୍ୟାବିନେଟରେ ମୋହର ଲାଗିଲା ପରେ ଶୁକ୍ରବାର ବିଧାନସଭାରେ ଏସଓପିକୁ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ରାକ୍ଷୀପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ବାର୍ଷିକ ଦୁଇଟି କିସ୍ତିରେ ମୋଟ୍ ୧୦ହଜାର ଟଙ୍କା ଦିଆଯିବ। ୫ ବର୍ଷରେ ୫୦ହଜାରର ଭାଉଚର ପାଇବେ। ଏଥିଲାଗି ୫୫ହଜାର ୮୨୫ କୋଟି ଟଙ୍କା ବଜେଟରେ ପ୍ରାବଧାନ ରଖାଯାଇଛି। ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିବ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ମୋହନ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି।

ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ଯିବ। ହିତାଧିକାରୀଙ୍କୁ ସୁଭଦ୍ରା ଡେବିଟ୍ କାର୍ଟ ଦିଆଯିବ। ପ୍ରତି ଗ୍ରାମପଞ୍ଚାୟତ ଓ ସହରାଞ୍ଚଳରେ ସର୍ବାଧିକ ପରିମାଣର ଡିଜିଟାଲ କାରବାର କରିଥିବା ଶହେ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଏମାନଙ୍କୁ ଅତିରିକ୍ତ ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ତେବେ ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିବା ମହିଳା, ସରକାରୀ ଚାକିରିଆ, ଆୟକର ପ୍ରଦାନ କରୁଥିବା ଓ ଆର୍ଥିକ ସ୍ୱଛଳ ବର୍ଗ ବାଦ୍ ପଡ଼ିବେ। ସୁଭଦ୍ରା ନାଁରେ ମହିଳାଙ୍କୁ ଠକିଦେଲେ ବୋଲି ଆରୋପ ଲଦିଛନ୍ତି ବିରୋଧୀ। ମହିଳାସଶକ୍ତିକରଣ ଆଳରେ ଭୋଟବ୍ୟାଙ୍କ ଲାଗି ମହିଳାଙ୍କୁ ଭୁଆଁ ବୁଲାଇଲେ ସରକାର।

ସୁଭଦ୍ରା ଯୋଜନା ପାଇଁ କଲସେଣ୍ଟରର ବ୍ୟବସ୍ଥା କରିବେ ସରକାର। ନିର୍ବାଚନରେ ସୁଭଦ୍ରା ଯୋଜନା ବିଜେପିର ସବୁଠୁ ଆକର୍ଷଣୀୟ ଯୋଜନା ଥିଲା। ମହିଳା ଭୋଟରଙ୍କ ମନ ଜିଣିବାକୁ। ମିଶନ ଶକ୍ତି ନାଁରେ ବିଜେଡି ସରକାର ମହିଳାଙ୍କୁ ଭୁଆଁ ବୁଲାଇଥିବା ଆରୋପ ଲଦିଥିଲା ସେତେବେଳେ ବିଜେପି। ହେଲେ ଏବେ ୫ ବର୍ଷରେ ୫୦ହଜାରର ଭାଉଚର ଓ ବୟସସୀମାର ପ୍ରତିବନ୍ଧକ ପରେ ଏହାକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *