ମାଲକାନଗିରି ଜିଲ୍ଳାର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଖିଧରା ରୋଗ ବ୍ୟାପୁଛି

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ କିଛି ଦିନ ହେଲା ଚକ୍ଷୁରୋଗୀଙ୍କ ସଂଖ୍ୟା ଅସ୍ୱାଭାବିକ ଭାବେ ବଢ଼ିଛି । ଦୈନିକ ୨ଶହରୁ ଅଧିକ ରୋଗୀ ଡାକ୍ତରଖାନାକୁ ଚକ୍ଷୁ ସମସ୍ୟା ନେଇ ଆସୁଛନ୍ତି । ସେଥିରୁ ଅଧିକାଂଶ ଆଖିଧରା ରୋଗୀ । ଭୂତାଣୁଜନିତ ରୋଗ ହୋଇଥିବାରୁ ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ସ୍ଥିତି ଚିନ୍ତାଜନକ ରହିଛି । କାରଣ ରୋଗୀଙ୍କ ମଧ୍ୟରେ ଅଧିକାଂଶ ବିଦ୍ୟାଳୟ ଛାତ୍ରଛାତ୍ରୀ । ଏତେ ସଂଖ୍ୟାରେ ରୋଗୀ ଆସୁଥିବାରୁ ସେମାନଙ୍କ ତଥ୍ୟ ମଧ୍ୟ ରେକର୍ଡ ହୋଇପାରୁନି । ଅନ୍ୟପକ୍ଷରେ ଏଠାରେ ଜଣେ ମାତ୍ର ଡାକ୍ତର ରହିଥିବାରୁ କାର୍ଯ୍ୟଚାପ ଅଧିକ ପଡ଼ୁଛି । ଏମିତି ସ୍ଥିତିରେ କିଛି ଜରୁରୀ ଔଷଧ ମଧ୍ୟ ଡାକ୍ତରଖାନାରେ ନିଅଣ୍ଟ ପଡ଼ିଲାଣି । ତେଣୁ ରୋଗୀଙ୍କୁ ବିକଳ୍ପ ଔଷଧ ଦିଆଯାଉଛି । ଯଦି କିଛି ଦିନ ମଧ୍ୟରେ ଔଷଧ ନଆସେ ତେବେ ବଡ଼ ସଂକଟ ସୃଷ୍ଟି ହେବ ବୋଲି କୁହାଯାଉଛି ।

ମାଲକାନଗିରି ଜିଲ୍ଲାରେ ବର୍ଷା ପ୍ରଭାବ ବଢ଼ିବା ପରେ ଆଖିଧରା ଭଳି ଡିଆଁ ରୋଗ ବେକାବୁ ହୋଇଛି । ପରିବାରରୁ ଜଣେ ସଂକ୍ରମିତ ହେଲେ ଅନ୍ୟ ଜଣଙ୍କୁ ଡେଉଁଛି । ବିଶେଷ କରି ଛାତ୍ରଛାତ୍ରୀ ଏହି ରୋଗରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ । ଆଖି ସଂପୂର୍ଣ୍ଣ ନାଲି ହୋଇଯାଇ ଅନବରତ ଲୁହ ଝରୁଛି । ଯନ୍ତ୍ରଣା ସହ ଜ୍ୱର ଭଳି ଲକ୍ଷଣ କିଛି ରୋଗୀଙ୍କ ନିକଟରେ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଚିକିତ୍ସା ବିଭାଗକୁ ଗତ ମଇ ମାସରେ ସମୁଦାୟ ୯୫୬ ଜଣ ରୋଗୀ ଚିକିତ୍ସା ପାଇଁ ଆସିଥିଲେ । ଜୁନ୍ ମାସରେ ହଠାତ୍ ୩ ଗୁଣ ଅଧିକ ଅର୍ଥାତ ୨୭୧୧ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ । ଚଳିତ ମାସରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ମାସର ପ୍ରଥମ ସପ୍ତାହରେ ଦୈନିକ ଶହେରୁ ଅଧିକ ରୋଗୀ ଆସୁଥିଲେ । ଗତ ସପ୍ତାହ ଠାରୁ ଦୈନିକ ରୋଗୀ ସଂଖ୍ୟା ୨ଶହରୁ ଅଧିକ ରହିଥିବା ଜଣାପଡ଼ିଛି । ଅନ୍ୟପଟେ ଜିଲ୍ଲାରେ ସ୍ଥାୟୀ ଚକ୍ଷୁରୋଗ ବିଶେଷଜ୍ଞ ନାହାନ୍ତି । ତୁରନ୍ତ ଚକ୍ଷୁରୋଗ ବିଶେଷଜ୍ଞ ନିଯୁକ୍ତି ପାଇଁ ସାଧରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *