ସଂକଟରେ ବାଉଁଶ ବୁଣାକାର

ଭୁବନେଶ୍ବର: ଆଜିର ପ୍ଲାଷ୍ଟିକ ଯୁଗରେ ହଜିଗଲାଣି ବାଉଁଶ ତିଆରି ସାମଗ୍ରୀର ଚାହିଦା। ଗୋଟିଏ ପଟେ ଲୋକଙ୍କର ଚାହିଦା କମିଛି, ଅନ୍ୟପଟେ କଞ୍ଚାମାଲର ଅଭାବ ରହିଛି। ତେଣୁ ବାଉଁଶ ପ୍ରସ୍ତୁତି ସାମଗ୍ରୀ ତିଆରି କରି ପିଢି ପରେ ପିଢି ପେଟ ପୋଷୁଥିବା କାରିଗରମାନେ ଉଚିତ ପାରିଶ୍ରମିକ ନପାଇ ଏଥିରୁ ଦୂରେଇ ଯିବା ସାର ହୋଇଛି । ତଥାପି କିଛି ପରିବାର ଅଛନ୍ତି, ଯେଉଁମାନେ ଏହି କୁଳ ବେଉସାକୁ ବଞ୍ଚାଇ ରଖିବାକୁ ଚଳାଇଛନ୍ତି ସଂଗ୍ରାମ। ଏହାକୁ ନେଇ ଆସନ୍ତୁ ଦେଖିବା ଆମ ରିପୋର୍ଟ ।

ବାଉଁଶରେ ପ୍ରସ୍ତୁତ ହେଉଛି କୁଲା, ବାଉଁଶିସା, ଡାଲା, ଚାଙ୍ଗୁଡି ସହ ଭଳିକି ଭଳି ଫୁଲତୋଡା। ଭଳିକି ଭଳି ରଙ୍ଗ ଓ ଡିଜାଇନରେ ପ୍ରସ୍ତୁତ କରାଯାଉଛି ଏହି ବାଉଁଶ ତିଆରି ସାମଗ୍ରୀ। ପ୍ରଥମେ ବାଉଁଶକୁ କିଣି ସେଥିରେ ବିଭିନ୍ନ ଜିନିଷ ତିଆରି କରନ୍ତି ମହିଳା କାରିଗରମାନେ। ଏହି ଜିନିଷ ଗୁଡିକ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ହେଲେ ଏହାକୁ ତିଆରି କରିବା ମଧ୍ୟ ସେତିକି କଷ୍ଟ । ଘରର ବୟସ୍କଙ୍କ ଠାରୁ ଆରମ୍ଭ କରି ଝିଅ, ବୋହୂମାନେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । କିନ୍ତୁ ପ୍ଲାଷ୍ଟିକ ଯୁଗରେ ଏହି ବାଉଁଶର ଚାହିଦା କମିଥିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କାରିଗରମାନେ ।

ଆଗ ଭଳି ଆଉ ବାଉଁଶ ମିଳୁନି । କି ବାଉଁଶ କିଣିବା ସହଜ ହେଉନି । ଅଧିକ ଖର୍ଚ୍ଚରେ କମ୍ କଞ୍ଚାମାଲ ମିଳିବା ଯୋଗୁଁ ବାଉଁଶ ତିଆରି ସାମଗ୍ରୀର ଦର ମଧ୍ୟ ବଢିଛି । ଅନ୍ୟପଯେ ଯେତିକି ପରିଶ୍ରମ କରିବାକୁ ପଡୁଛି ସେହି ଅନୁସାରେ ପାରିଶ୍ରମିକ ମିଳୁ ନାହିଁ। ତାସହ ଲୋକଙ୍କ ଆଗ୍ରହ ମଧ୍ୟ ଏହି ସାମଗ୍ରୀ ପ୍ରତି କମିବାରେ ଲାଗିଛି। ଯାହା ଫଳରେ ପରିବାର ଚଳାଇବା କଷ୍ଟ ହେଉଛି । ଦିନେ ଏହି ହାତ ତିଆରି ସାମଗ୍ରୀ ପ୍ରସ୍ତୁତି କୂଟୀର ଶିଳ୍ପ ଭଳି ଘରେ ଘରେ ହେଉଥିଲା । ଏବଂ ସେଥିରେ ବେଶ ରୋଜଗାର ମଧ୍ୟ ହେଉଥିଲା । ଆଜି କିନ୍ତୁ ସେ ସମୟ ଆଉ ନାହିଁ । ତେଣୁ ସରକାର ଯଦି କିଛି ଆର୍ଥୀକ ସହଯୋଗ ଓ ପ୍ରୋତ୍ସାହନ ଦିଅନ୍ତି ତେବେ ଏହି ହସ୍ତକଳାକୁ ବଞ୍ଚାଇ ରଖି ପାରିବେ ବୋଲି କାରିଗରମାନେ କହିଛନ୍ତି । 

ତେବେ ବାଉଁଶ କାରିଗରଙ୍କ ପାଇଁ ସରକାରଙ୍କ ଯୋଜନା ପର୍ଯ୍ୟାପ୍ତ ନୁହେଁ ଯାହା କାରିଗରଙ୍କ କଥାରୁ ସ୍ପଷ୍ଟ । କଞ୍ଚାମାଲ ଯୋଗାଣରୁ ଆରମ୍ଭ କରି ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବା ଦିଗରେ ଅନେକ ସହାୟତା ସେମାନେ ସରକାରୀ ସ୍ତରରୁ ଆଶା ରଖିଛନ୍ତି। ଯଦି ତାହା ପୁରଣ ହୁଏ, ତେବେ ଏ ସୁନ୍ଦର ବାଉଁଶ ତିଆରି ସାମଗ୍ରୀଗୁଡ଼ିକ ଆଗାମୀ ଦିନରେ ମଧ୍ୟ ଆମ ଘର ପରିବାରର ଶୋଭା ବଢାଇବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *