ବିଜୟ ପାଇଁ ସମସ୍ତେ ଆଶାବାଦୀ

ପଦ୍ମପୁର: ପଦ୍ମପୁର ଉପ ନିର୍ବାଚନ ପାଇଁ  ଗୁରୁବାର ହେବ ଭୋଟ ଗଣତି  l ସକାଳ ୮ ଟାରୁ ସ୍ଥାନୀୟ ଆରଏମ୍ସି ମାର୍କେଟ ୟାର୍ଡ ଠାରେ ଭୋଟ ଗଣତି ହେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ତିନି ପ୍ରମୁଖ ଦଳ ପଦ୍ମପୁର ଆସନ ହାତେଇବାକୁ ଆଶାବାଦୀ ଥିବାବେଳେ କିଏ ବିଜୟୀ ହେବ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା।

ଗୁରୁବାର ପଦ୍ମପୁର ରେଜଲ୍ଟ। ସକାଳ ୮ଟାରୁ ଆରଏମସି ମାର୍କେଟ ୟାର୍ଡରେ ଗଣତିକୁ ନେଇ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ପରେ ଇଭିଏମ ଗଣତି ହେବ। ୨୯୬ଟି ପୋଷ୍ଟାଲ ବାଲାଟର ଆଗ ଗଣତି ସରିବ। ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ। ପ୍ରତି ଟେବୁଲ ପାଇଁ ଜଣେ କାଉଣ୍ଟିଂ ଏଜେଣ୍ଟ ନିୟୋଜିତ କରିପାରିବେ ପ୍ରାର୍ଥୀ। ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ବ୍ୟତୀତ ଗଣତି କେନ୍ଦ୍ରକୁ ଆଉ କେହି ମୋବାଇଲ ନେଇପାରିବେନି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଗଣତି କେନ୍ଦ୍ରର ଶହେ ମିଟର ପରିଧି ଭିତରେ କୌଣସି ଗାଡ଼ି ଚଳାଚଳ କରିବନି।

ସେପଟେ ପଦ୍ମପୁରରେ ବାଜି ମାରିବେ ବୋଲି ଉଭୟ ବିଜେଡି ଓ ବିଜେପି ଦମ୍ଭୋକ୍ତି ବାଢ଼ିଛନ୍ତି। ପ୍ରସଙ୍ଗଭିତ୍ତିକ ଲଢ଼େଇରୁ ଦୂରେଇ ରହି ବିଜେପି ବ୍ୟକ୍ତିଗତ ଆକ୍ଷେପକୁ ଓହ୍ଲାଇଥିଲା। ସେଥିଲାଗି ବିଜେପି ଲାଗି ବୁମେରାଂ ହେଲା ଆଉ ବିଜେଡିର ବିକାଶର ମନ୍ତ୍ରକୁ ଭୋଟର ଜାଣିପାରିଲେ। ସେଥିଲାଗି ବିଜେଡି ନିଶ୍ଚିତ ଜିତୁଛି ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ବିଜେପିର କହିବା କଥା, ଜନମତ ବିଜେଡି ବିରୁଦ୍ଧରେ ଥିବା ଗ୍ରାଉଣ୍ଡରେ ଓ ଭୋଟରଙ୍କ ମୁଡରେ ସ୍ପଷ୍ଟ ହୋଇସାରିଥିଲା। ପ୍ରସଙ୍ଗକୁ ତାଳ ଦେଇ ଅନେକ ସମସ୍ୟା ଥିଲା। ଯାହାକୁ ଠିକଣା ଢଙ୍ଗରେ ଉଠାଇଥିଲା ବିଜେପି ଆଉ ସେଥିଲାଗି ବିଜେପି ଜିତୁଛି। ଜିଲ୍ଲା କଂଗ୍ରେସ କହିଛି, ଟଙ୍କାରେ ଭୋଟ କିଣିବାକୁ ମସୁଧା କରିଥିଲେ ଉଭୟ ବିଜେଡି ଓ ବିଜେପି। କିନ୍ତୁ ଭୋଟର ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ ହିଁ ଜିତିବ।

ବିଜୟ ନେଇ ଉଣା ଅଧିକେ ଦମ୍ଭୋକ୍ତି ଦେଖାଉଛନ୍ତି ତିନି ପ୍ରମୁଖ ଦଳ। ତେବେ ସେମାନଙ୍କ ଦମ୍ଭୋକ୍ତି ଗଣତି ପରେ ସ୍ପଷ୍ଟ ହୋଇଯିବ।

ଧୃବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *