ସୁପ୍ରିମ କୋର୍ଟଙ୍କ ରାୟ ପରେ ରାଜନୀତି ଜୋରଦାର

() ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି ୪ ବିଚାରପତି ମୋହର ଲଗାଇବା ଓ ଜଣେ ବିଚାରପତି ଏହାକୁ ବେଆଇନ କହିବା ପରେ ଏହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ବିଶେଷ କରି ରାଜନୀତିକ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଛି।

ଠିକ୍ ରାତି ୮ଟା। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଚମକାଇଲା ଭଳି ଏଭଳି ଏକ ଘୋଷଣା କରିବା ପରେ ଚାରିଆଡ଼େ ହଇଚଇ ଖେଳିଯାଇଥିଲା। ଅଚାନକ୍ ୫ ଶହ ଓ ୧ ହଜାର ଟଙ୍କିଆ ଅଚଳ ପରେ ସମସ୍ତଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ଅଚଳ ଟଙ୍କା ନିଷ୍ପତ୍ତି ପଛରେ ଦର୍ଶାଇଥିଲେ କି ଏହା କଳାଟଙ୍କା, ଜାଲି ଟଙ୍କା ଓ ସର୍ବୋପରି ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର ଟଙ୍କାକୁ ରୋକ୍ ଲଗାଇବ। ଆଉ ମଧ୍ୟରାତ୍ରି ସୁଦ୍ଧା ୮୬ ପ୍ରତିଶତ ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ହୋଇସାରିଥିଲା। ପାଖରେ ଥିବା ଅଚଳ ୫ଶହ ଓ ହଜାରେ ଟଙ୍କାକୁ ୫୦ ଦିନ ଭିତରେ ବ୍ୟାଙ୍କରେ ସରେଣ୍ଡର କରିବାକୁ ମହଲତ ଦିଆଯାଇଥିଲା।

 ଏଥିଲାଗି ଲୋକଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥିଲେ ବି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ଆପଣାଇଥିଲେ ସରକାରର ନିଷ୍ପତ୍ତିକୁ। ଏଟିଏମ ଆଗରେ ଲମ୍ୱା ଲାଇନ୍ ଲାଗିଥିଲା। ବେନାମୀ ଟ୍ରାଞ୍ଜାକ୍ସନ ଅଧିକ ଦେଖିବାକୁ ମିଳିଥିଲା। କିନ୍ତୁ ବିମୁଦ୍ରୀକରଣ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଥିଲେ ବିରୋଧୀ। ଆଉ ଏବେ ସୁପ୍ରିମକୋର୍ଟର ୫ ବିଚାରପତିଙ୍କ ଭିତରୁ ୪ ବିଚାରପତି କେନ୍ଦ୍ରର ନିଷ୍ପତ୍ତିକୁ ଠିକ୍ ବୋଲି କହିବା ଓ ଜଣେ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିରୋଧ କରିବା ପରେ ରାଜନୀତି ତେଜ୍ ହୋଇଛି। ବିମୁଦ୍ରୀକରଣକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ଓ ନୀତି କେମିତି ଠିକ୍ ଥିଲା, ତାକୁ କୋର୍ଟ ବି ମାନିଛନ୍ତି ବୋଲି କହିଛି ବିଜେପି।  ଯେଉଁ ବିମୁଦ୍ରୀକରଣକୁ ନେଇ କଂଗ୍ରେସ ହଙ୍ଗାମା କରୁଥିଲା ତାକୁ ନେଇ ଆତଙ୍କବାଦୀଙ୍କ ଉପରେ ହୋଇଛି ବଡ଼ ହମଲା।  ବିମୁଦ୍ରୀକରଣ ଲାଗି ଡିଜିଟାଲ ପେମେଣ୍ଟ୍ ବଢ଼ିଛି। ଅର୍ଥବ୍ୟବସ୍ଥାରେ ଅନୌପଚାରିକ ତତ୍ତ୍ୱକୁ ବଢାଇଛି କଂଗ୍ରେସ। ବିମୁଦ୍ରୀକରଣ ବିରୁଦ୍ଧରେ ଦେଶବ୍ୟାପୀ କଂଗ୍ରେସ କରିଥିବା ପ୍ରତିବାଦ ଲାଗି  ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ।

ସେପଟେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ପି.ଚିଦାମ୍ୱରମ କହିଛନ୍ତି, ଯେହେତୁ ସର୍ବୋଚ୍ଚ ଅଦାଲତ ଏହାକୁ ଆଇନସଙ୍ଗତ ବୋଲି କହିସାରିଛନ୍ତି, ତାକୁ ସମସ୍ତେ ଗ୍ରହଣ କରିବା ଦରକାର। କିନ୍ତୁ କଂଗ୍ରେସ ଜଷ୍ଟିସ ନାଗରତ୍ନମଙ୍କ ଉକ୍ତିକୁ ଉଧାର କରି କହିଛି ଯେ, ବିମୁଦ୍ରୀକରଣ ନିଷ୍ପତ୍ତି ବେଳେ ସଂସଦକୁ ବାଇପାସ କରାଯାଇଥିଲା। ବିମୁଦ୍ରୀକରଣ ପରର ପରିଣାମକୁ ନେଇ ଦଳ ଆପତ୍ତି ଉଠାଇଥିଲା। ଏମଏସଏମଇ ସେକ୍ଟର ଭୁଷୁଡ଼ିଗଲା। ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିଲେ। କଳା ଟଙ୍କା କୁଆଡ଼େ ଗଲା। ଚାରି ବିଚାରପତି ନୋଟବନ୍ଦୀ ପରିଣାମ ଉପରେ କୌଣସି ଟିପ୍ପଣୀ କଲେନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ପଓ୍ୱନ ଖେରା ।

ବିମୁଦ୍ରୀକରଣକୁ ନେଇ ରାଜନୀତିକ ବିବାଦ। ବିମୁଦ୍ରୀକରଣ ଘୋଷଣା ପରେ ବ୍ୟାଙ୍କ ଆଗରେ ଲମ୍ୱା ଲାଇନ ଲଗାଇଥିବା ବେଳେ ଅନେକଙ୍କ ଜୀବନ ଯାଇଥିଲା। ଅର୍ଥନୀତି, ଛୋଟ ବେପାର ଗଭୀର ପ୍ରଭାବିତ ହୋଇଥିଲା। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରୁ ଜଣେ ବିଚାରପତି ଏହାକୁ ବେଆଇନ ବୋଲି ବି କହିଲେ।

ପ୍ରଦୀପ ନାୟକ 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *