ସଂକଟରେ ଜୋଶୀମଠ

ଜୋଶୀମଠ: ଜୋଶୀମଠରେ ଭୂମି ଧସିବା ମାମଲା ସୁପ୍ରିମ କୋର୍ଟରେ ପହଞ୍ଚି ଯାଇଛି। ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତିଶ୍ବରାନନ୍ଦ ସରସ୍ବତି ମହାରାଜ ଆଜି ନିଜ ଓକିଲ ମାଧ୍ୟମରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି।

ଉତ୍ତରାଖଣ୍ଡର ଜୋଶୀମଠରେ ଭୂମି ଧସିବାରୁ ସ୍ଥିତି ବିଗିଡିବାରେ ଲାଗିଛି। ଯୋଶୀମଠର ସମସ୍ତ ୱାର୍ଡରେ ଭୂମି ଦବିବା ସମସ୍ୟା ଦେଖାଦେଇଛି। ସ୍ଥିତିର ଗମ୍ଭୀରତାକୁ ଦେଖି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ  ଶୁକ୍ରବାର ସଂଧ୍ୟାରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଶନିବାର ଦିନ ଜୋଶୀମଠରେ ଗ୍ରାଉଣ୍ଡ ଜିରୋରୁ ସ୍ଥିତିର ଯାଞ୍ଚ କରିବାକୁ ପହଞ୍ଚିଛନ୍ତି। ସେଠାରେ ସେ ପ୍ରଭାବିତଙ୍କ ସହ ଆଲୋଚନା କରିବା ସହ ପ୍ରଭାବିତଙ୍‌କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯିବା ଆମ ପ୍ରାଥମିକତା ହେବ ବୋଲି କହିଛନ୍ତି।

ଗେଟୱେ ଅଫ ହିମାଳୟ ନାମରେ ଜଣାଶୁଣା  ଥିବା ଏହି କ୍ଷେତ୍ର ଏବେ ସଂକଟ ଦେଇ ଗତିକରୁଛି। ଡିସେମ୍ବର ମାସରେ ଜୋଶୀମଠର ବହୁ ସ୍ଥାନରୁ ଭୂମି ଧସିବାର ଘଟଣା ସାମ୍ନାକୁ ଆସିଥିଲା।  ମନୋହର ବାଗ ୱାର୍ଡ, ଗାନ୍ଧୀ ୱାର୍ଡ ଓ ସିଂଘାର ୱାର୍ଡର ବହୁ ଘର କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। କେବଳ ଘର ନୁହେଁ, ରାସ୍ତା ଘାଟ, ଚାଷ ଜମି ମଧ୍ୟ ଜମି ଧସିବା ସହ ବଡ ବଡ ଫାଟ ସୃଷ୍ଟି ହୋଇଛି।

ଏହା ପରେ ପ୍ରଶାସନ ଅଡୁଆରେ ପଡି ଯାଇଛି ଓ ଚମେଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଯୁକ୍ତ ଟିମ ଗଠନ କରାଯାଇଛି। ଟିମ ଦୁଇ ଦିନ ପର୍ଯ୍ୟନ୍ତ ନଗରରେ ଭୂମି ଧସିଥିବା ଘରର ସର୍ଭେ କରିଛି। ତହସିଲ ପ୍ରଶାସନ, ନଗର ପାଳିକା, ବିପର୍ଯ୍ୟୟ ପରିଚାଳନା ବିଭାଗ, ଏନଡିଆରଏଫର  ମିଳିତ ଟିମ ଘର ଘର ବୁଲି ଏହାର କାରଣ ଖୋଜୁଛନ୍ତି। ଜୋଶୀମଠ ନଗରରେ ପ୍ରାୟ ଦୁଇ ହଜାର ଘର ରହିଥିବା ବେଳେ ରବିବାର ସୁଦ୍ଧା ୫୮୧ରୁ ଅଧିକ ଘର ଫାଟି ଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *