ମଳିପଡ଼ାରେ ଜନ ଆକ୍ରୋଶ

() କଅଣ କରିବ ବିଡିଏ। କେମିତି ବୁଝାଇବ। ଟିପିକୁ ନେଇ ଜନ ଅସନ୍ତୋଷକୁ କେମିତି ପ୍ରଶମିତ କରିବ। ମଳିପଡ଼ାରୁ ତେଜିଥିବା ଜନ ଆକ୍ରୋଶ ପୁରା ଟିପି ସ୍କିମକୁ ଫେଲ୍ କରିଦେବନି ତ। ଆଉ ଗ୍ରାଉଣ୍ଡକୁ ଯିବାକୁ ନିରାପଦ ମଣିବେ କି ବିଡିଏ ଅଧିକାରୀ। ଗ୍ରାଉଣ୍ଡକୁ ନ ଗଲେ କେମିତି ହେବ ସହମତିରେ ଟିପି। ଏମିତି ତମାମ ପ୍ରଶ୍ନଘେରରେ ପେଶି ହୋଇଗଲାଣି ବିଡିଏ।

ମଳିପଡ଼ା ମୌଜାରୁ ମୌନ ବିଡିଏ! ଟିପି ସ୍କିମକୁ ନେଇ ମଳିପଡ଼ା ଲୋକଙ୍କୁ ବୁଝାଇବାକୁ ଯାଇଥିଲେ ବିଡିଏ ଅଧିକାରୀ। ହେଲେ କୌଣସି ପରିସ୍ଥିତିରେ ଟିପି କରାଇଦେବୁନି କହି ଘେରିଯାଇଥିଲେ ଲୋକେ। ଟିପି ନକ୍ସାକୁ ଚିରିବା ସହ ଅଧିକାରୀଙ୍କୁ ଅଟକ ରଖିଦେଇଥିଲେ। ଟିପି ବାତିଲ୍ ହେଲେ ଯାଇ ଛାଡ଼ିବୁ ବୋଲି ଅଡ଼ି ବସିଥିଲେ। କଥା କଟାକଟିରେ ସରିଯାଇଥିଲା ପରାମର୍ଶ ସଭା। ପୁଲିସ ଉପସ୍ଥିତିରେ ମୁକୁଳିବା ପରେ ରବିବାର ସାମପୁର ମୌଜାରେ ହେବାକୁ ଥିବା ପରାମର୍ଶ ସଭାକୁ ବାତିଲ୍ କରିଦେଇଥିଲା ବିଡିଏ। ଆଉ ସଚିବ କହିଥିଲେ କି, ସଭାକୁ ସ୍ଥଗିତ ରଖାଯାଇଛି। ଗାଁ ଲୋକଙ୍କ ସହ ଆଲୋଚନା ପରେ ହିଁ ନିଷ୍ପତ୍ତି ନିଆଯିବ। ଏଭଳି ଦଶା ହେବ ବୋଲି ବୋଧହୁଏ ବିଡିଏର ଅନୁମାନ ବାହାର ଥିଲା। ସେଥିଲାଗି ତ ଆଗରୁ ବିଡିଏ କହିଆସୁଥିଲା, ଲୋକେ ଏହାର ସୁଫଳ ପାଇଲେଣି ଆଉ ବୁଝିଲେଣି। ଅଧିକ କିଛି ବୁଝାଇବାକୁ ପଡ଼ିବନି।

ଏମିତି ଅନୁରୂପ ଅବସ୍ଥାର ସମ୍ମୁଖୀନ ହୋଇଥିଲା ପାଇକରାପୁରରେ ବିଡିଏ। ପାଇକରାପୁର ଲୋକଙ୍କ ସହମତିରେ ପ୍ରଥମ ସ୍କିମ୍ ଆରମ୍ଭ ହୋଇ ଯଦିଓ ବହୁ ବାଟ ଆଗେଇଛି ସତ। କିନ୍ତୁ ଟିପିରେ ଯାଉଥିବା ଲୋକଙ୍କ ଚାଷ ଜମିକୁ ଘରବାରି କିସମ ପରିବର୍ତ୍ତନ କରି ଦେବାକୁ କଥା ଦେଇଥିଲା ବିଡିଏ। ଏଥିଲାଗି ଉଭୟ ରାଜସ୍ୱ ଓ ନଗର ଉନ୍ନୟନ ବିଭାଗ ଭିତରେ ସହମତି ବି ପ୍ରକାଶ ପାଇଛି। କିନ୍ତୁ କ୍ୟାବିନେଟରେ କେବେ ପଡ଼ିବ ଓ ଲୋକେ ପଟ୍ଟା ପାଇବେ,  ଏ କଥାର ଉତ୍ତର ବି ବିଡିଏ ପାଖରେ ନାହିଁ। ସେଥିଲାଗି ତ ପାଇକରାପୁର ଲୋକେ ବିଡିଏର ସଂଶୋଧିତ ପଟ୍ଟା ନେଇନାହାନ୍ତି ଏ ଯାଏ। ଆଉ ବିଡିଏ ନିରୁପାୟ ସାଜି ବିଡିଏ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ସହଜପୁର ଲୋକଙ୍କୁ କିଛି ପଟ୍ଟା ବାଣ୍ଟି କାମ ଆରମ୍ଭ କରିଦେଇଥିଲା।

ବିଡିଏର ଅହେତୁକ ବିଳମ୍ୱ ଲାଗି ଟିପି -୩ ନୂଆଗାଁରେ ଜଣେ ଲୋକ ଜାଣତରେ ନିଜ ଜାଗାରେ ଘର ତୋଳି ରହିଲେଣି। ବିଡିଏ ଏହାକୁ ବାଧା ଦେବାରୁ କାଠଗଡ଼ା ଯାଏ ଟାଣିନେଇଛନ୍ତି। ହାଇକୋର୍ଟରେ ହାରିଗଲେ ସତ। କିନ୍ତୁ ପୁଣି ଥରେ ଅପିଲରେ ଯିବାରୁ ଦୀର୍ଘ ଦିନ ହେଲା ବିଚାର ଲାଗି ନଗର ଉନ୍ନୟନ ସଚିବଙ୍କ ପାଖରେ ମାମଲା ପଡ଼ିଛି। ହେଲେ କିଛି ନିଷ୍ପତ୍ତି ଆସିପାରିଲାନି। ସେପଟେ ଟିପି-୮ରେ ଜଣେ ବ୍ୟକ୍ତି ରିଂ ରୋଡକୁ ଲାଗି ଦୁଇମହଲା କରି ରହିଲେଣି। ତାଙ୍କୁ ବି ନୋଟିସ୍ ଯାଇଛି। ହେଲେ ଆକ୍ସନ କଅଣ ହେଲା, ଜଣାନାହିଁ। ଏବେ ଅବସ୍ଥା ଏମିତି ଯେ, ପଛକୁ ଫେରିପାରିବନି ବିଡିଏ। ଆଗକୁ ଟିପି ସ୍କିମ୍ ବଢ଼ାଇବାକୁ ହେଲେ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପଡ଼ିବ। ଟାଇମଲାଇନ ଭିତରେ ସ୍କିମ୍ କାମ ସାରି ଲୋକଙ୍କୁ ପଟ୍ଟା, ଦଖଲ ଓ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଦେବାକୁ ହେବ। ନଚେତ୍ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଫିକା ହୋଇଯିବ। ମୁଖ୍ୟ ଶାସନ ସଚିବଙ୍କ ଘନ ଘନ ସମୀକ୍ଷା ପାଣିରେ ପଡ଼ିବ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *