ପଞ୍ଚଭୂତରେ ବିଲୀନ ହେଲେ ନବ ଦାସ

() ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଝାରସୁଗୁଡ଼ାରେ ମନ୍ତ୍ରୀଙ୍କ ପାର୍ଥିବଶରୀରରେ ମୁଖାଗ୍ନି ଦେଇଥିଲେ ପୁଅ। ନବ ଦାସଙ୍କ ବିୟୋଗରେ ରାଜ୍ୟରେ ତିନିଦିନିଆ ଶୋକ ପାଳିତ ସହ ତାଙ୍କ ସମ୍ମାନରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। ଭୁବନେଶ୍ୱରସ୍ଥିତ ବାସଭବନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ତାଙ୍କର ଶୁଭେଛୁ, ଅନୁଗତ ଶେଷଦର୍ଶନ କରିଥିଲେ। ଝାରସୁଗୁଡ଼ାରେ ସର୍ବସାଧାରଣ ଶେଷ ଦର୍ଶନ ପରେ ଖେରୁଆଲରେ ଅନ୍ତିମ ସଂସ୍କାର କରାଯାଇଛି।

ପଞ୍ଚଭୂତରେ ବିଲୀନ ହେଲା ନବ ଦାସଙ୍କ ପାର୍ଥିବ ଶରୀର। ଝାରସୁଗୁଡ଼ାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ବିଶାଳ ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ବେଳେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ଉପସ୍ଥିତ ଥିଲେ। ନବ ଦାସ ଅମର ରହେ ଧ୍ୱନିରେ ଫାଟିପଡ଼ିଥିଲା ପୁରା ପରିବେଶ। ସମସ୍ତଙ୍କ ଆଖିରେ ଥିଲା ଲୁହ ଓ କୋହ।  ଏହା ଆଗରୁ ସକାଳେ ନବ ଦାସଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କ ଶେଷଦର୍ଶନ ଲାଗି ପହଞ୍ଚିଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ। ଭାବବିହ୍ୱଳ ହୋଇପଡ଼ିଥିଲେ ଅନେକ। ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ଭଲ ସମ୍ପର୍କ ଥିଲା ନବ ଦାସଙ୍କର। ଶେଷ ଦର୍ଶନ ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ ସଭିଏଁ। ବାସଭବନରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହା ପରେ ନବ ଦାସଙ୍କ ପାର୍ଥିବ ଶରୀରକୁ ବିଜେଡି କାର୍ଯ୍ୟାଳୟ ନିଆଯାଇଥିଲା। ସେଠାରେ ଦଳୀୟ କର୍ମୀ ଓ ନେତା ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନବ ଦାସଙ୍କ ଭଳି ଦକ୍ଷ ଓ ମେଳାପୀ ନେତା ବିରଳ ବୋଲି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା।

ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମିନତୀଙ୍କ ବୁକୁଫଟା କାନ୍ଦରେ ପୁରା ପରିବେଶ ସ୍ତବ୍ଧ ହୋଇଯାଇଥିଲା। ପୁଅ ବିଶାଳ ଓ ଝିଅ ଦୀପାଳି ପୁରା ମ୍ରିୟମାଣ ହୋଇପଡ଼ିଥିଲେ। ଦଳୀୟ ଅଫିସରୁ ପାର୍ଥିବ ଶରୀର ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ପାର୍ଥିବ ଶରୀର ଝାରସୁଗୁଡ଼ା ବିମାନବନ୍ଦରକୁ ଯାଇଥିଲା। ଝାରସୁଗୁଡ଼ା ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେଠାରେ ମନ୍ତ୍ରୀ, ସାଂସଦ ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅପେକ୍ଷା କରିଥିଲେ। ପାର୍ଥିବ ଶରୀର ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ଶୁଭେଛୁ ଓ ସମର୍ଥକ ଜନ୍ମମାଟିକୁ ନେଇଥିଲେ ସେମାନଙ୍କର ପ୍ରିୟ ନେତାଙ୍କୁ। ସରବାହାଲସ୍ଥିତ ବାସଭବନରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ। ଆଉ ତା ପରେ ନବଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଟାଣୁଆ ନେତା ନବ ନାହାନ୍ତି ସତ। ତାଙ୍କର ଅବର୍ତ୍ତମାନରେ ବିରାଟ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବ୍ୟବସାୟରୁ ରାଜନୀତି। ଯେଉଁଠି ବି ପାଦ ଦେଇଥିଲେ, ସଫଳତା ହିଁ ସାଉଁଟିଥିଲେ। ଯେଉଁ ଦଳରେ ଥାଆନ୍ତୁ ନା କାହିଁକି, ପ୍ରତିପକ୍ଷ ଓ ବିରୋଧୀ ଦଳ ସହ ତାଙ୍କର ଘନିଷ୍ଠତା ସେତିକି ମଧୁର ଥିଲା। ଏଭଳି ମେଳାପୀ ନେତାଙ୍କ ମୃତ୍ୟୁ ତା ପୁଣି ପୁଲିସ ଗୁଳିରେ, ଏ କଥା ଭାବିଲାବେଳକୁ ଲୋମଟାଙ୍କୁରି ଯାଉଛି।

ଝାରସୁଗୁଡ଼ାରୁ ସନ୍ତୋଷ ମିଶ୍ରଙ୍କ ସହ ଭୁବନେଶ୍ୱରରୁ ନବକିଶୋର ସାହୁଙ୍କ ରିପୋର୍ଟ,

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *