ଦିଗହରା ହେଉଛି ତଦନ୍ତ!

() ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ବିତିଲାଣି ୫ ଦିନ। ଅଭିଯୁକ୍ତ ଗିରଫ ହୋଇଥିଲେ ସୁଦ୍ଧା ପଦାକୁ ଆସିନି ହତ୍ୟାର କାରଣ । ଏହାରି ଭିତରେ ତଦନ୍ତ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ। ବିଜେପି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଟାର୍ଗେଟ କରିବା ସହ ଲୋକଙ୍କୁ ମିଛ ଗପ କହି ଭୂତାଉଥିବା ଅଭିଯୋଗ କରିଛି ଦଳ। ଏପଟେ ମୁଖ୍ୟମନ୍ତ୍ରୀ ଘଟଣା ଉପରେ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଯାହାର କଡ଼ା ଜବାବ ରଖିଛି ଶାସକ ଦଳ ।

ପୁଲିସ ଡିଜି ଚୁପ। ଧରାଛୁଆଁ ଦେଉନାହାନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଓ ଗୃହ ସଚିବ। ସେପଟେ ହତ୍ୟାକାରୀ ଗୋପାଳର ସୁରକ୍ଷା ନେଇ ବିଜେପି ଚିନ୍ତିତ ।  ଦିନେ ଜାମୁକୋଳି ଗପ କହି ଚର୍ଚ୍ଚାରେ ଥିବା କ୍ରାଇମବ୍ରାଞ୍ଚ ଏଡିଜି ଆଜି ପାଇଖାନା ଗପ କହୁଛନ୍ତି କହି ବର୍ଷିଲେ ବିରୋଧି। ଦିନ ଯେତିକି ଗଡୁଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତଙ୍କୁ ନେଇ ସେତିକି ପ୍ରଶ୍ନ ଉଠୁଛି। ଏମିତି କି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ସିଧାସଳଖ ଭାବରେ ଟାର୍ଗେଟ କରିଛି ବିଜେପି । ପୂର୍ବରୁ ନୟାଗଡ ପରି ନିଖୋଜ ତଦନ୍ତରେ ଜାମୁକୋଳି ଗପ, ମମିତା ମେହେର ହତ୍ୟାକାଣ୍ଡ ତଦନ୍ତରେ ଆଖୁ କିଆରି ଗପ କହି ରାଜ୍ୟବାସୀଙ୍କୁ ସେ ଭ୍ରମିତ କରିଥିବା ବେଳେ ନବ ଦାସଙ୍କ ହତ୍ୟାକାଣ୍ଡ ରେ ପାଇଖାନାରେ ଚିଠି ଖୋଜାର ନୂଆ କାହାଣୀ ଏବେ କହୁଛନ୍ତି ବୋଲି ଦଳ କହିଛି। ଏପଟେ ଗୋପାଳର ଜୀବନ ପ୍ରତି ବିପଦ ଥିବା କହିଛନ୍ତି ସମ୍ୱଲପୁର ବିଧାୟକ। ଯଦି ତାର କିଛି କ୍ଷତି ହେବ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାଇ ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ଦାବୀ କରିଛି କଂଗ୍ରେସ । ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରାଜନୈତିକ ଆକ୍ରୋଶ ଥିବା ଦୋହରାଇଲା ଦଳ।

ସେପଟେ ବିଜେଡ଼ି ମନ୍ତ୍ରୀମୃତ୍ୟୁକୁ ନେଇ ରାଜନୀତି କରିବାକୁ ନାପସନ୍ଦ କରିଛି। କାରଣ ନବ ଦାସଙ୍କୁ ହରାଇ ତାଙ୍କ ପରିବାର ଏବେ ଲୁହ ଝରାଉଛି । ଏ ଘଟଣାର କ୍ରାଇମବ୍ରାଞ୍ଚ ସହ ଜୁଡିସିଆଲ ତଦନ୍ତ ଚାଲିଛି । ତେଣୁ ଏ ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି କରିବା ଠିକ୍ ନୁହେଁ ବୋଲି ଦଳୀୟ ନେତା କହୁଛନ୍ତି ।

ତେବେ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ତଦନ୍ତ ପ୍ରକ୍ରିୟାକୁ ନେଇ ବିରୋଧି ଆରୋପ ଜାରି ରଖିଛନ୍ତି । ଏତିକି ବେଳେ ସରକାରଙ୍କ ନିରବତାକୁ ନେଇ ଅନେକ ଦ୍ୱନ୍ଦ୍ୱ ମଧ୍ୟ ଦେଖାଦେଲାଣି । ଦିନ ଗଡିବା ସହ ତଦନ୍ତର ଦିଗ ମଧ୍ୟ ବଦଳୁଛି । ତେଣୁ ଆଗାମୀ ଦିନରେ ତଦନ୍ତ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *