ସଂସଦର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ

() ସରିଲା ସଂସଦର ପ୍ରଥମ ପର୍ଯ୍ୟାୟ ଅଧିବେଶନ। କିନ୍ତୁ ଆରମ୍ଭରୁ ଶେଷ ଯାଏ ଆଦାନୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଥିଲା ଗୃହ। ଆଦାନୀକୁ ନେଇ ଅନେକବାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଆଜି ବି ଶେଷ ଦିନରେ କହିବାକୁ ମଉକା ମିଳୁନି ଓ ସେମାନଙ୍କ ସ୍ୱରକୁ ଚାପିଦେବାକୁ ଅନେକ ଫନ୍ଦି ହେଉଛି ବୋଲି ବିରୋଧୀ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଅଧ୍ୟକ୍ଷ ବିରୋଧୀଙ୍କ ଆଚରଣକୁ ନେଇ କ୍ଷୁବ୍ଧ ହୋଇଥିଲା ବେଳେ ବିରୋଧୀ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ଅଡ଼ି ବସିଥିଲା।

ସଂସଦର ପ୍ରଥମ ପର୍ଯ୍ୟାୟ ଅଧିବେଶନ ସରିଛି। କିନ୍ତୁ ଆଦାନୀକୁ ନେଇ ଅନେକ ବାର ଗୃହ ଅଚଳ ହୋଇଥିଲା। ଆଉ ଶେଷ ଦିନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ରାଜ୍ୟସଭାରେ। ରୁଲ୍ସ ୨୬୭ ଆଧାରରେ ଆଲୋଚନା ଲାଗି ନୋଟିସ ଦେଇଥିଲେ ବି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ଅଧ୍ୟକ୍ଷ ଜଗଦୀପ ଧନକଡ଼। ଏହା ସହ ନୋଟିସରେ କୌଣସି ନୂଆ କଥା ନାହିଁ। କାହିଁକି ଏଭଳି ଭେଳିକି କରାଯାଉଛି କହି ବର୍ଷିଥିଲେ। କେବଳ ଏତିକି ନୁହେଁ, ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ନିଜ ମନ୍ତବ୍ୟରେ ବ୍ୟବହାର କରିଥିବା ଅନେକ ଅପଶବ୍ଦକୁ ଗୃହର ବିବରଣୀରୁ ବାଦ୍ ଦେବା ସତ୍ତ୍ୱେ କାହିଁକି ସେହି କଥାକୁ ପୁଣି ଦୋହରାଉଛନ୍ତି କହି ଗର୍ଜିଥିଲେ ଧନକଡ଼। ଜୟରାମ ରମେଶଙ୍କ ଆଚରଣକୁ ନେଇ ଉତକ୍ଷିପ୍ତ ହୋଇପଡ଼ିଥିଲେ। ଗୃହ ତର୍କ, ଆଲୋଚନା ଲାଗି ଉଦ୍ଦିଷ୍ଟ। କିନ୍ତୁ ଏଠି ଚାଲିଛି କଅଣ କହି ବୁଝାଇଥିଲେ।

ସେପଟେ ଅଧ୍ୟକ୍ଷଙ୍କ ଏଭଳି ମନୋଭାବ ଦେଖି ବିରୋଧୀ ଖପ୍ପା ହୋଇ ଉଠିଥିଲେ। ଗୃହର ମଧ୍ୟଭାଗକୁ ଆସି ମୋଦି-ଆଦାନୀ ଭାଇ ଭାଇ ନାରାରେ କମ୍ପାଇଥିଲେ। ଆଉ କାଉଣ୍ଟରରେ ଶାସକ ଦଳ ବି ମୋଦି ମୋଦି ନାରାବାଜି କରିଥିଲେ। ବିରୋଧୀ ଦଳ କହିଥିଲେ, ସେମାନଙ୍କୁ ଆଲୋଚନା ଲାଗି ମଉକା ଦିଆଯାଉନି। ସରକାରୀ ଦଳ ଚାପରେ ରଜନୀ ପାଟିଲଙ୍କୁ ଗୃହରୁ ନିଲମ୍ୱନ କରାଗଲା। କୌଣସି ଅପଶବ୍ଦ ନ କହିଥିଲେ ବି ଗୃହର ବିବରଣୀରୁ ବାଦ୍ ଦିଆଯାଉଛି। ଆଦାନୀ ପ୍ରସଙ୍ଗରେ ସରକାର ବିଲକୁଲ ଆଲୋଚନା ହିଁ କରିବାକୁ ଚାହୁଁନାହାନ୍ତି। ଆଦାନୀ ଗ୍ରୁପ ହେରଫେର ମାମଲାରେ ଜେପିସି ତଦନ୍ତ ଦାବିରେ ହଟ୍ଟଗୋଳ କରିଥିଲେ ବିରୋଧୀ।

ସେପଟେ ଜାଣିଶୁଣି ଗୃହକୁ ଅଚଳ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପଶବ୍ଦ ପ୍ରୟୋଗ କରାଯାଉଛି। ଗୃହର ମର୍ଯ୍ୟାଦା ହାନୀ ସହ ଆସନକୁ ବାରମ୍ୱାର ଅବମାନନା କରୁଥିବାରୁ ବିରୋଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ରାଜ୍ୟସଭାରେ ଗୃହର ନେତା।

ରାଜ୍ୟସଭା ମାର୍ଚ୍ଚ ୧୩ ଯାଏ ମୁଲତବୀ ରଖିଛନ୍ତି ଅଧ୍ୟକ୍ଷ। ଆଦାନୀକୁ ନେଇ ଆରମ୍ଭରୁ ଯେଉଁ ଅଚଳାବସ୍ଥାର ଦୃଶ୍ୟ ଥିଲା ସଂସଦରେ, ଶେଷ ଯାଏ ଏହି ଝଡ଼ ରେ ଦିନଟିଏ ପାଇଁ ବି ସଂସଦ ସୁରୁଖୁରୁରେ ଚାଲିପାରିଲାନି।

 ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *