ନବୀନ ନିବାସରେ ସୁରଙ୍କ ପୁଅ

() ଆଉ ନିର୍ବାଚନ ଲଢ଼ିବେନି ସୁର। ହେଲେ ସୁରଙ୍କ ଦୁଇ ପୁଅ ଲଢ଼ିବେ। ସାନ ପୁଅ ଜଟଣୀରୁ ଲଢିବା ସ୍ପଷ୍ଟ ହୋଇ ସାରିଥିଲା  ବେଳେ ଏବେ ବଡ଼ ପୁଅ ସିଦ୍ଧାର୍ଥଙ୍କ ଲାଗି ଆସନ ସନ୍ଧାନରେ ସୁର। ବୁଧବାର ନବୀନ ନିବାସରେ ସୁର ଓ ପୁଅ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ସେପଟେ ସନ୍ତାନଙ୍କୁ ରାଜନୀତିରେ ଥଇଥାନ ସହ ରାଜନୀତିରେ ପ୍ରତିଷ୍ଠିତ କରିବାର କିଛି ଏପିସୋଡକୁ ନେଇ ଦେଖିବା ଏହି ରିପୋର୍ଟରେ।

ନବୀନ ନିବାସରେ ସୁର ଓ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ। ବୁଧବାର ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ବାପ-ପୁଅ କେଉଁ ଉଦ୍ଦେଶ୍ୟରେ ଭେଟିଥିଲେ। ତାକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ସୁର। ସିଦ୍ଧାର୍ଥ ପାହାଡ଼ ଚଢ଼ି ରେକର୍ଡ କରିବାର ସଫଳତା ବାବଦରେ କୁଆଡ଼େ ଆଲୋଚନା ହୋଇଥିଲା। କୌଣସି ରାଜନୈତିକ ଚର୍ଚ୍ଚା ନୁହେଁ। ସେ ଏମିତିରେ ଆଉ ନିର୍ବାଚନ ଲଢ଼ିବେନି। ସାନ ପୁଅ ମନ୍ମଥ ଲଢ଼ିବେ ବୋଲି କହିଛନ୍ତି ସୁର। ଆଉ ମନ୍ମଥ ବି ଆଗରୁ କହିସାରିଛନ୍ତି, ସେ ଜଟଣୀରୁ ଲଢ଼ିବେ। ରାଜନୀତି ଏତେ ଜଟିଳ ନୁହେଁ ବୋଲି କହିଥିଲେ ମନ୍ମଥ। ବିନା ଟଙ୍କାରେ ନିର୍ବାଚନ ଜିତିହେବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ ଅତୀତରେ। କାମ କର। ଲୋକଙ୍କ ସହ ରୁହ। ବାପାଙ୍କ ଏହି ଆଦର୍ଶରେ ଚାଲିବାକୁ ପଣ କରିଛନ୍ତି ମନ୍ମଥ।

ଉଭୟ ସିଦ୍ଧାର୍ଥ ଓ ମନ୍ମଥ ବାପା ସୁରଙ୍କଠୁ ଅନେକ କଥା ଶିଖିଛନ୍ତି। ଯିଏ ଯୋଗ୍ୟ ସେ ବଢ଼ିବେ। ଏମିତିରେ ସୁରଙ୍କ ଭଳି ନେତା କଂଗ୍ରେସର ହୋଇଥିଲେ ବି ତାଙ୍କୁ କୌଣସି ଦଳରେ ସୀମିତ କରାଯାଇପାରେନା। ସେଥିଲାଗି ସୁରଙ୍କ ସାନ ପୁଅ ମନ୍ମଥ ସିନା ଜଟଣୀରୁ ଲଢ଼ିବେ। ହେଲେ ବଡ଼ ସିଦ୍ଧାର୍ଥ କେଉଁଠୁ ତାହେଲେ ଲଢ଼ିବେ। ଏ କଥାର ସ୍ପଷ୍ଟତା ଯଦିଓ ଆଜି ଦେଲେନି। କିନ୍ତୁ ସାଂସଦ ପାଇଁ ନୁହେଁ, ବିଧାନସଭା ଆସନ ପାଇଁ ଲଢ଼ିବେ ବୋଲି କହିଛନ୍ତି ସିଦ୍ଧାର୍ଥ। ଜଟଣୀକୁ ସାନ ଭାଇ ମନ୍ମଥ ଲାଗି ବାପା ଛାଡ଼ିଥିବାରୁ ସେ ଅନ୍ୟ ଆସନରେ ନିଜକୁ ପରୀକ୍ଷା କରାଇବେ। ବାପାଙ୍କ ବିନା ନିଜ ଦମ୍‌ରେ ଲଢିବି ବୋଲି କହିଛନ୍ତି ସିଦ୍ଧାର୍ଥ।

ରାଜନୀତି ମୈଦାନରେ ନିଜର ଦୁଇ ପୁଅଙ୍କ କ୍ଷେତ୍ର ପ୍ରସ୍ତୁତିରେ ସୁର ଲାଗିଛନ୍ତି। ସେପଟେ ପିତାଙ୍କ ଅକାଳ ବିୟୋଗ ପରେ ବିଧାନସଭାକୁ ଆସି କ୍ଷେତ୍ର ପ୍ରସ୍ତୁତ କରିସାରିଥିବା ରୁଦ୍ର ମହାରଥୀ ଓ ସୂରଜ ସୂର୍ଯ୍ୟବଂଶୀ ନିଜର ନିର୍ବାଚନୀକ୍ଷେତ୍ରରେ ଉଜ୍ୱଳ ପ୍ରତିଭା ଭାବେ ପରିଚିତି ପାଇଲେଣି ଖୁବ୍ କମ୍ ଦିନରେ। ଆଉ ପ୍ରଥମ ଥର ବିଧାୟକ ହୋଇ ବି ପ୍ରତିପକ୍ଷ ଦଳକୁ ବଡ଼ ବଡ଼ ପ୍ରସଙ୍ଗରେ ନିଜ ବାପାଙ୍କ ଅନ୍ଦାଜରେ କାଉଣ୍ଟର କରିବାକୁ ପଛାଉନାହାନ୍ତି। ଦଳ ବି ଏହି ୟୋଙ୍ଗ୍‌ ବ୍ରିଗେଡଙ୍କୁ ଅଘୋଷିତ ମୁଖପାତ୍ର ଭାବେ ଆଗକୁ ଛାଡ଼ିଛି। ସେଥିଲାଗି ତ ନବ ଦାସ ହତ୍ୟାକାଣ୍ଡ ଭଳି ହାଇପ୍ରୋଫାଇଲ ମାମଲାରେ ଦଳର ଇଙ୍ଗିତରେ ଏମାନେ ଗଣମାଧ୍ୟମକୁ ଫେସ୍ କରୁଛନ୍ତି।

ସୁର ନିଜର ଦୁଇ ପୁଅଙ୍କ ଲାଗି କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଲେଣି। ଜନତାର ନେତା କୁହାଯାଉଥିବା ସୁରଙ୍କ ଭଳି ହେଭିଓ୍ୱେଟ୍ ଦୁଇ ପୁଅଙ୍କୁ ରାଜନୀତିରେ ଥଇଥାନ କରିବାକୁ ଲାଗିପଡ଼ିଲେଣି। ଆଉ ପିତାଙ୍କ ଅକାଳ ବିୟୋଗ ପରେ କ୍ଷେତ୍ର ସମ୍ଭାଳି ରୁଦ୍ର ଓ ସୂର୍ଯ୍ୟବଂଶୀ ଖୁବ କମ୍ ଦିନରେ ପରିପକ୍ୱ ହୋଇଗଲେଣି। ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଏମିତିରେ ରାଜନୀତିରେ ସକ୍ରିୟ। ଉପନିର୍ବାଚନରେ ଦୀପାଳିଙ୍କ ଭାଗ୍ୟ ପରୀକ୍ଷାର ସମୟ ଉପନୀତ ହୋଇଗଲାଣି କହିଲେ ସମ୍ଭବତଃ ଭୁଲ୍ ହେବନି।

ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *