ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳିତ

ମାଲକାନଗିରି : ପ୍ରାଚୀନ କାଳରୁ ନାରୀ ଶିକ୍ଷା ତଥା ନାରୀର ସ୍ଵାସ୍ଥ୍ୟ ଜନିତ ଶିକ୍ଷା ଉପରେ ସମସ୍ତ ଧର୍ମୀୟ ବିଶ୍ଵାସରେ ରହିଥିବା କୁସଂସ୍କାର, ଅନ୍ଧବିଶ୍ଵାସ ଓ ଅବହେଳା ସ୍ଵାଧୀନ ଭାରତରେ ନାରୀବାଦ ଭାବେ ଉଭା ହୋଇ ଭାରତବର୍ଷରେ ପୁରୁଷତାନ୍ତ୍ରିକ ସାମାଜିକ ବ୍ୟବସ୍ଥା ଉପରେ କୁଠାରାଘାତ କରିବାରେ ସକ୍ଷମ ହୋଇପାରିଲା । ତେବେ ଆଜି ସମୟରେ ନାରୀର ସ୍ଵତନ୍ତ୍ରତାକୁ ଆଖିରେ ରଖି ଅନ୍ତର୍ଜାତୀୟ ମହିଳା ଦିବସ ଅନେକ ମାହୋଲରେ ପାଳନ କରିବାର ଦେଖିବାକୁ ମିଳୁଥିବା ସ୍ଥଳେ ମଇ ୨୮ ସାରା ଭାରତରେ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ ହୋଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର ସହଯୋଗ ଟିମ ଏହି ସଚେତନତା ଦିବସଟିକୁ ସର୍ବସାଧାରଣ ସ୍ଥାନରେ ପାଳନ କରିଛନ୍ତି। ବାଲିମେଳାରେ ଥିବା କଲ୍ୟାଣ ମଣ୍ଡପଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବାଲିମେଳା ଡାକ୍ତରଖାନାର ପ୍ରମୁଖ ସେବିକା ସନ୍ଧ୍ୟାରାଣୀ ସ୍ଵାଇଁ ଉପସ୍ଥିତ ଥିଲେ । ସେ ଝିଅ ମାନଙ୍କୁ ମାସିକ ଋତୁସ୍ରାବ ଓ ତାକୁ ନେଇ କିପରି ପରିଚ୍ଛନ୍ନ ରହିବାକୁ ହେବ ସେ ସମ୍ପର୍କରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ଅୟୋଜନ କରାଇବାରେ ପ୍ରଚ୍ଛଦପଟ୍ଟ ଭୂମିକାରେ ରହିଥିଲେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଟୁକୁଲୁ ପ୍ରଧାନ, ମାଲକାନଗିରି ଘଡ଼ାଇ ମହାବିଦ୍ୟାଳୟର ଅଧ୍ୟାପକ ଶିଶିର କୁମାର ଖୋସଲା, ବାଲିମେଳାର ସମାଜସେବୀ ପି.ସରୋଜିନୀ ଚନ୍ଦ୍ରନ ଏବଂ କୁମାରୀ ସୁଧସିନୀ ମହାରଣା। ତା ସହ ଟିମର ଅନ୍ୟାନ୍ୟ ସଦସ୍ୟବୃନ୍ଦ ସୁନିତା ଗୁରୁ, ଘନଶ୍ୟାମ ବେହେରା, ରାହୁଲ ନିହାଲ, କମଳ ଲୋଚନ ଖିଲ, ପି. ଭେଙ୍କଟେଶ୍ ଆଦି ଏବଂ ୭ନଂ ୱାର୍ଡ ର ଆଶା କର୍ମୀ ଓ ଅଧିକା ସଂଖ୍ୟାରେ କିଶୋରୀ ଝିଅ ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ସମାଜସେବୀ ଶ୍ରୀମତୀ ପି.ସରୋଜିନୀ ଚନ୍ଦ୍ରନ କହିବା ମୁତାବକ, ସମାଜରେ ପୁରୁଷ, ନାରୀ ତଥା କିନ୍ନର ଲିଙ୍ଗଗତ ବିବିଧତା ସତ୍ତ୍ଵେ ସାମ୍ପ୍ରତିକ ସମୟରେ ଏହି ଦିବସକୁ ସମସ୍ତ ଅନୁଷ୍ଠାନ ତରଫରୁ ପାଳନ କରାଯିବା ବେଶ୍ ପ୍ରାସଙ୍ଗିକତା ରହିଛି । ଏ ସମ୍ବନ୍ଧୀୟ ଆଲୋଚନା ଦିଗରେ କୌଣସି ବ୍ୟକ୍ତି ବିଶେଷ ସଙ୍କୋଚ ତଥା ଲଜ୍ଜାବୋଧ ନ ରଖି ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ସମସ୍ତେ ପ୍ରତିବଦ୍ଧତା ପ୍ରକଟ କରିବାର ଆବଶ୍ୟକତା ରହିଛି। ଏଣୁ ଆଗାମୀ ଦିନରେ ସରକାର ଏବଂ ପ୍ରଶାସନ ଏହି ଦିବସ ପାଳନ ଅବସରରେ ସ୍ବତନ୍ତ୍ର ଦୃଷ୍ଟି ଦେବା ନିତାନ୍ତ ବିଧେୟ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *