ଟାଟା ପାୱାର କାର୍ୟ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ଓ ଆନ୍ଦୋଳନ

ଭୁବନେଶ୍ୱର : ‘ବିଜୁଳି ଯମଯନ୍ତ୍ରଣା ବେଳେ ମୁଖ୍ୟମନ୍ତ୍ରୀ ମୂକ ବଧିର କାହିଁକି?’, ‘ବଳକା ବିଜୁଳି କହୁଛ – ଅଘୋଷିତ ବିଜୁଳି କାଟ୍ କାହିଁକି ?’ ‘ଦଲାଲ୍ ବିଜେଡି ସରକାର – ଆମକୁ ନାହିଁ ଦରକାର’, ‘କମିଶନ ଖୋର – ବିଜେଡି ସରକାର’, ‘ଅପାରଗ ଶକ୍ତିମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ’, ‘ବିଜେଡି ସରକାର – ଟାଟା କମ୍ପାନୀର ଦଲାଲି ବନ୍ଦ କର’ । ଏଭଳି ଅନେକ ଦାବୀ ନେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଆହ୍ୱାନକ୍ରମେ ଗତ ଦୁଇ ଦିନ ହେଲାଣି ରାଜ୍ୟର ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ବିକ୍ଷୋଭ ଓ ଆନ୍ଦୋଳନ କରିଛି ଭାରତୀୟ ଜନତା ପାର୍ଟୀ ।

ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଙ୍ଘନ କରିଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା, ପବନ, ଧୂଳିଝଡରେ ଯେଉଁଭଳି ଭାବରେ ମନଇଚ୍ଛା ବିଦ୍ୟୁତ୍ କାଟ କରାଯାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ରାଜ୍ୟବାସୀଙ୍କୁ ନିରବିଚ୍ଛନ ଭାବେ ବିଜୁଳି ସେବା ଯୋଗାଇ ଦେବାର ଦାୟୀତ୍ୱ ନେଇଥିବା ଟାଟା ପାୱାର ସମସ୍ତ ଚୁକ୍ତି ଓ ନିୟମକୁ ଖିଲାପ କରୁଛି ଏବଂ ଗ୍ରାମାଞ୍ଚଳରେ ଦିନକୁ ୪-୫ ଘଣ୍ଟାରୁ ଉର୍ଦ୍ଧ୍ୱ ଏବଂ ସହରାଂଚଳରେ ଦିନକୁ ୨୦-୨୫ ଥର ଅଘୋଷିତ ପାୱାର କଟ୍ କରୁଛି । ଓଡିଶା ସରକାର ଟାଟା ପାୱାର କମ୍ପାନୀ ଆଗରେ ବନ୍ଧା ପଡିଥିବାରୁ ସାଧାରଣ ଉପଭୋକ୍ତା ନାହିଁନଥିବା କଷ୍ଟ ଭୋଗୁଛନ୍ତି । ବିଜୁଳି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କମ୍ପାନୀ ପ୍ରୀତି ପ୍ରତିବାଦରେ ଭାରତୀୟ ଜନତା ପାର୍ଟୀ ତରଫରୁ ଗତ କାଲି ଏବଂ ଆଜି ଦୁଇ ଦିନ ଧରି ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ୟ୍ୟାଳୟ ସମ୍ମୁୁଖରେ ବିକ୍ଷୋଭ ଓ ଆନେ୍ଦାଳନ କରାଯାଇଛି ।

୧୯୯୫ ମସିହାରୁ ବିଜୁଳି ବିଭାଗ ଭିତିଭୁମିର ଆଧୁନିକୀକରଣ ପାଇଁ ଖର୍ଚ୍ଚ ହୋଇଥିବା ହଜାର ହଜାର କୋଟି ଟଙ୍କାର ହିସାବ ଦେବାରେ ବିଫଳ ହୋଇଛି ବିଜେଡି ସରକାର । ସାମାନ୍ୟ ଝଡ ପବନ ଓ ବର୍ଷାରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟି ଦିଆଯାଉଛି । ଓଇଆରସିର ନିୟମକୁ ଉଲ୍ଲଙ୍ଘନ କରି ବିଜୁଳି ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ୨୭୨୭ କୋଟି ଟଙ୍କା ଆଦାୟ କରାଯାଇଥିଲା ଏବଂ ଏହି ଟଙ୍କା ଫେରାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ୱେ ତାହା ଫେରସ୍ତ କରିଲେ ନାହିଁ । ପାୱାର କଟ୍ କୁ ପାୱାର ଟ୍ରିପ୍ ବୋଲି କହି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଟାଟା ପାୱାର ସପକ୍ଷରେ ଯୁକ୍ତି ବାଡିଲେ ଏବଂ ଟାଟା ପାୱାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଲେ । ଅଘୋଷିତ ପାୱାର କଟ୍କୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଶକ୍ତି ବିଭାଗ ପ୍ରସ୍ତୁତ ନଥିବାକୁ ପରୋକ୍ଷରେ ସ୍ୱୀକାର ମଧ୍ୟ କରିଲେ । ରାଜ୍ୟ ସରକାର ଶକ୍ତି ବିଭାଗ ମନ୍ତ୍ରୀଙ୍କ ଅବହେଳା ଓ ଟାଟା ପାୱାର କମ୍ପାନୀ ପ୍ରୀତି ପାଇଁ ଖିଲାପକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି ସମସ୍ତେ ଏକ ସ୍ୱରରେ କହିଛନ୍ତି ।

ଏହି ବିକ୍ଷୋଭ ଏବଂ ଆନେ୍ଦାଳନ କଟକ, ସମ୍ବଲପୁର, ବାଲେଶ୍ୱର, ଅନୁଗୁଳ, ବ୍ରହ୍ମପୁର, ରାଉରକେଲା, କୋରାପୁଟ, ସୁନ୍ଦରଗଡ, ପୁରୀ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, କେନ୍ଦୁଝର, ଦେବଗଡ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ମାଲକାନଗିରି, ଗଜପତି, ନୟାଗଡ, ଭଦ୍ରକ, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ବଲାଙ୍ଗିର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଏବଂ ବିଜେପି ନେତୃବୃନ୍ଦ, କାର୍ୟ୍ୟକର୍ତାଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *