ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ୯ ବର୍ଷର ସଫଳତା ବିବରଣୀ ଦେଲେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ନୂଆଦିଲ୍ଲୀ : ଭାରତ ନିକଟରେ ପ୍ରାଣୀ ସମ୍ପଦ ଏବଂ କୁକ୍କୁଟ ପାଳନର ବିଶାଳ ସମ୍ପଦ ରହିଛି ଯାହା ଗ୍ରାମୀଣ ଜନସାଧାରଣଙ୍କ ସାମାଜିକ-ଆର୍ଥିକ ସ୍ଥିତିକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ପ୍ରାଣୀସମ୍ପଦ ଜୀବିକାର୍ଜ୍ଜନର ଏକ ମହତ୍ୱପୂର୍ଣ୍ଣ ଉପାଦାନ ଏବଂ ଏହା ଆୟ ବୃଦ୍ଧିରେ ସହାୟକ ହୋଇଥାଏ ତଥା ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ । ପ୍ରାଣୀପାଳନ ମାଧ୍ୟମରେ କୃଷି କ୍ଷେତ୍ରରେ ବିବିଧତା ଗ୍ରାମୀଣ ଆୟ ବୃଦ୍ଧିର ପ୍ରମୁଖ ବାହକ ମଧ୍ୟରୁ ଅନ୍ୟତମ ।

କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ପ୍ରାଣୀପାଳନ ଏବଂ ଡାଏରୀ ବିଭାଗ ସବୁ ସ୍ତରରେ ପ୍ରାଣୀ ଉତ୍ପାଦକତାରେ ସୁଧାର ଆଣିବା ଲାଗି ବିଗତ ନଅ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଉତ୍ପାଦକତାରେ ବୃଦ୍ଧି ଫଳରେ ଘରୋଇ ବଜାର ଏବଂ ରପ୍ତାନି ବଜାର ପାଇଁ ଅଧିକ ଦୁଗ୍ଧ, ମାଂସ ଏବଂ ପ୍ରାଣୀସମ୍ପଦ ଉତ୍ପାଦର ଉତ୍ପାଦନ କ୍ଷମତା ବୃଦ୍ଧିରେ ସହାୟତା ମିଳିବ। ବିଭାଗ ପକ୍ଷରୁ ପ୍ରମୁଖ ପ୍ରାଣୀ ରୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣ, ଉନ୍ମୁଳନ ଓ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରୁଛି । ବିଭାଗ ପ୍ରାଣୀ ସମ୍ପଦ କ୍ଷେତ୍ର ମାଧ୍ୟମରେ ବିଶେଷ କରି ଚାଷୀଙ୍କ ଆୟ ବୃଦ୍ଧିରେ ସହାୟତା କରିବାର ସାଧାରଣ ଉଦ୍ଦେଶ୍ୟ ନେଇ ଅନ୍ୟ ମନ୍ତ୍ରଣାଳୟ ଓ ଅଂଶୀଦାରଙ୍କ ସହିତ ମିଶି ତାଳମେଳ ପ୍ରତିଷ୍ଠା କରିବା ଲାଗି ପ୍ରୟାସ କରୁଛି ।

ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ସବୁ ଅଂଶୀଦାରଙ୍କ ସହିତ ମିଶି କାମ କରିବା ଲାଗି ସଂକଳ୍ପବଦ୍ଧ ଏବଂ ଚାଷୀମାନଙ୍କ ଘର ପାଖରେ ଗୁଣବତ୍ତାପୂର୍ଣ୍ଣ ସେବା ପ୍ରଦାନ କରିବା ଲାଗି ସର୍ବାଧିକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି ।

ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଅଧୀନରେ ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ପ୍ରମୁଖ ଉପଲବ୍ଧି ଏବଂ ପ୍ରୟାସଗୁଡ଼ିକ ନିମ୍ନରେ ଦିଆଗଲା :

ପ୍ରାଣୀ ସମ୍ପଦ କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାରେ କୃଷିର ଏକ ଗୁରୁତ୍ୱପୂର୍ଣ୍ଣ ଆନୁସଙ୍ଗିକ କ୍ଷେତ୍ର ଭାବେ କାର୍ଯ୍ୟ କରିଥାଏ। ଏହା ୨୦୧୪-୧୫ ଠାରୁ ୨୦୨୦-୨୧ ମଧ୍ୟରେ (ସ୍ଥିର ମୂଲ୍ୟ ଆଧାରରେ) ୭.୯୩ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (ସିଏସଜିଆର) ହାସଲ କରି ଆଗକୁ ବଢ଼ୁଛି । ମୋଟ୍ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ପ୍ରାଣୀସମ୍ପଦ କ୍ଷେତ୍ରର ଯୋଗଦାନ ୨୪.୩୮ ପ୍ରତିଶତ (୨୦୧୪-୧୫) ସକଳ ମୂଲ୍ୟ ବୃଦ୍ଧି (ଜିଭିଏ) (ସ୍ଥିର ମୂଲ୍ୟ ଆଧାରରେ)ରୁ ବୃଦ୍ଧି ପାଇ ୩୦.୮୭ ପ୍ରତିଶତ ଜିଭିଏ (୨୦୨୦-୨୧)ରେ ପହଞ୍ଚି ଯାଇଛି । ପ୍ରାଣୀ ସମ୍ପଦ କ୍ଷେତ୍ରର ଯୋଗଦାନ ୨୦୨୦-୨୧ରେ ମୋଟ୍ ଜିଭିଏର ୬.୨ ପ୍ରତିଶତ ରହିଛି ।

ବିଂଶତମ ପ୍ରାଣୀସମ୍ପଦ ଜନଗଣନା ଅନୁସାରେ ଦେଶରେ ପ୍ରାୟ ୩୦୩.୭୬ ନିୟୁତ ଗୋଜାତୀୟ (ମେଣ୍ଢା, ମଇଁଷି, ଗୟଳ ଓ ଚମରି ଗାଈ), ୭୪.୨୬ ନିୟୁତ ମେଣ୍ଢା, ୧୪୮.୮୮ ନିୟୁତ ଛେଳି, ୯.୦୬ ନିୟୁତ ଘୁଷୁରି ଏବଂ ପ୍ରାୟ ୮୫୧.୮୧ ନିୟୁତ କୁକୁଡ଼ା ରହିଛନ୍ତି ।

ଦୁଗ୍ଧ ଉତ୍ପାଦନ ସବୁଠୁ ବଡ଼ କୃଷି ଉତ୍ପାଦ ଭାବେ ଜାତୀୟ ଅର୍ଥବ୍ୟବସ୍ଥାରେ ୫ ପ୍ରତିଶତ ଯୋଗଦାନ ଦେଇଥାଏ ଏବଂ ୮ କୋଟିରୁ ଅଧିକ ଚାଷୀଙ୍କୁ ସିଧାସଳଖ ରୋଜଗାର ପ୍ରଦାନ କରିଥାଏ । ଭାରତ ଦୁଗ୍ଧ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଛି, ଯାହା ବିଶ୍ୱ ଦୁଗ୍ଧ ଉତ୍ପାଦନରେ ୨୩ ପ୍ରତିଶତ ଯୋଗଦାନ ଦେଇଥାଏ। ବିଗତ ୮ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୫୧.୦୫ ପ୍ରତିଶତ ବୃଦ୍ଧି ହୋଇଛି ଯାହା ୨୦୧୪-୧୫ରେ ୧୪୬.୩ ନିୟୁତ ଟନ୍ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୨୨୧.୦୬ ନିୟୁତ ଟନରେ ପହଞ୍ଚିଛି । ଦୁଗ୍ଧ ଉତ୍ପାଦନ ବିଗତ ୮ ବର୍ଷ ମଧ୍ୟରେ ୬.୧ ପ୍ରତିଶତର ବାର୍ଷିକ ବୃଦ୍ଧି ଦର (ସିଏଜିଆର)ରେ ବୃଦ୍ଧି ହାସଲ କରୁଛି, ଅନ୍ୟପଟେ ବିଶ୍ୱ ଦୁଗ୍ଧ ଉତ୍ପାଦନ ବାର୍ଷିକ ମାତ୍ର ୧.୨ ପ୍ରତିଶତ ହାରରେ ବଢ଼ିଛି । ୨୦୨୧-୨୨ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୁଗ୍ଧ ଉପଲବ୍ଧତା ୪୪୪ ଗ୍ରାମ ଦୈନିକ ହୋଇଥିବା ବେଳେ ୨୦୨୧ରେ ବିଶ୍ୱରେ ହାରାହାରୀ ଦୈନିକ ୩୯୪ ଗ୍ରାମ ଅଟେ ।

ଫୁଡ୍ ଏଣ୍ଡ ଏଗ୍ରୀକଲ୍ଚର ଅର୍ଗାନାଇଜେସନ କର୍ପୋରେଟ୍ ଷ୍ଟାଟିଷ୍ଟିକାଲ ଡେଟାବେସ (ଏଫଏଓଏସଟିଏଟି) ଉତ୍ପାଦନ ଡେଟା (୨୦୨୦) ଅନୁସାରେ, ଭାରତ ବିଶ୍ୱରେ ଅଣ୍ଡା ଉତ୍ପାଦନରେ ତୃତୀୟ ଏବଂ ମାଂସ ଉତ୍ପାଦନରେ ଅଷ୍ଟମ ସ୍ଥାନରେ ରହିଛି। ଦେଶରେ ଅଣ୍ଡା ଉତ୍ପାଦନ ୨୦୧୪-୧୫ରେ ୭୮.୪୮ ବିଲିୟନ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୧-୨୨ରେ ୧୨୯.୬୦ ବିଲିୟନରେ ପହଞ୍ଚିଛି । ଦେଶରେ ଅଣ୍ଡା ଉତ୍ପାଦନ ୭.୪ ପ୍ରତିଶତ ବାର୍ଷିକ ହାର (ସିଏଜିଆର) ସହିତ ବଢ଼ୁଛି । ୨୦୨୧-୨୨ରେ ପ୍ରତିବ୍ୟକ୍ତି ଅଣ୍ଡା ଉପଲବ୍ଧତା ବାର୍ଷିକ ୯୫ଟି ଅଣ୍ଡା ରହିଛି। ଦେଶରେ ମାଂସ ଉତ୍ପାଦନ ୨୦୧୪-୧୫ରେ ୬.୬୯ ନିୟୁତ ଟନରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୨୯ ନିୟୁତ ଟନ୍ ରେ ପହଞ୍ଚିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *