ଭୁବନେଶ୍ୱର : ହରିୟାଣା ବିଧାନସଭାର ପିଟିସନ୍ କମିଟିର ୮ ଜଣିଆ ସଦସ୍ୟ ମଙ୍ଗଳବାର ଅପରାହ୍ନରେ ଓଡ଼ିଶା ବିଧାନସଭା ଆସି କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପିଟିସନ୍ କମିଟିର ଅଧ୍ୟକ୍ଷ ବରିଷ୍ଠ ବିିଧାୟକ ଘନଶ୍ୟାମ ଦାସ ଆରୋରାଙ୍କ ସହ ଅସିଥିବା ସଦସ୍ୟମାନେ ଓଡ଼ିଶା ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତିଙ୍କ ସହ ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ନୀତିନିୟମ ସଂପର୍କରେ ବିଶଦ ଆଲୋଚନା କରିଥିଲେ । କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ଓଡ଼ିଶା ବିଧାନସଭାର ବିଭିନ୍ନ କମିଟିର କାର୍ଯ୍ୟ, ବିଭିନ୍ନ ଅଧିବେଶନରେ ହେଉଥିବା ଆଲୋଚନା ଓ ନୀତିନିୟମ ସମ୍ବନ୍ଧରେ ଅବଧାରଣା ଦେଇଥିଲେ । ହରିୟାଣାର ବିଧାୟକମାନେ ଓଡ଼ିଶା ସରକାରଙ୍କ ବିବିଧ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ।
ପିଟିସନ୍ କମିଟିର ସଦସ୍ୟମାନେ କାର୍ଯ୍ୟକାରୀ ବାଚସ୍ପତିଙ୍କୁ ହରିୟାଣା ବିଧାନସଭାର ‘ରୁଲସ୍ ଆଣ୍ଡ ପ୍ରୋସିଡ଼ିୟର’ ପୁସ୍ତିକା ପ୍ରଦାନ କରିଥିବାବେଳେ କାର୍ଯ୍ୟକାରୀ ବାଚସ୍ପତି ମଧ୍ୟ ଓଡ଼ିଶା ବିଧାନସଭାର ‘ରୁଲସ୍ ଆଣ୍ଡ ପ୍ରୋସିଡ଼ିୟର’ ପୁସ୍ତିକା ସେମାନଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ସିଂହ ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ପରିଦର୍ଶନରେ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବାକୁ ଅତିଥିମାନଙ୍କୁ ପରାମର୍ଶ ଦେଇଥିଲେ । ହରିୟାଣାର ବିଧାୟକମାନେ କାର୍ଯ୍ୟକାରୀ ବାଚସ୍ପତିଙ୍କୁ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ସହ ହରିୟାଣା ପରିଦର୍ଶନରେ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ । ଓଡ଼ିଶା ବିଧାନସଭା ପକ୍ଷରୁ ଅତିଥିମାନଙ୍କୁ ସ୍ମାରକୀ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପିଟିସନ୍ କମିଟିର ୮ ଜଣିଆ ସଦସ୍ୟମାନେ ହେଲେ ବିଧାୟକ ଜଗ୍ବୀର ସିଂ ମଲ୍ଲିକ, ଶ୍ରୀମତୀ ଗୀତା ଭୁକାଲ୍, ଶ୍ରୀମତୀ ଶକୁନ୍ତଳା ଚ୍ୟଟକ୍, ଲୀଳାରାମ୍, ଲକ୍ଷ୍ମଣ ସିଂ ଯାଦବ, ସଂଜୟ ସିଂ, ରାମ ନିବାସ ।
ଓଡ଼ିଶା ବିଧାନସଭାର ସଚିବ ଦାଶରଥି ଶତପଥୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ସାକ୍ଷାତକାର ସମୟରେ ଉପସ୍ଥିତ ରହି ଅତିଥିମାନଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ । ପରେ ଅତିଥିମାନେ ଓଡ଼ିଶା ବିଧାନସଭାର ବିଭିନ୍ନ ଗୃହକୁ ବୁଲି ଦେଖିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now