ଭୁବନେଶ୍ୱର : ୨୪ ବର୍ଷର ସରକାର, ମାଳ ମାଳ ଯୋଜନା କିନ୍ତୁ ଗୋଟିଏ ବି ଯୋଜନା ସଫଳ ରୂପାୟନ ହୋଇପାରିଲା ନାହିଁ ଏବଂ ଏହାର ସୁଫଳ ରାଜ୍ୟବାସୀ ପାଇଲେ ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବିଭିନ୍ନ ଯୋଜନା ନାରେ ଘୋଷଣା କରାଯାଉଛି ଏବଂ ସେସବୁ ଯୋଜନା ଗୁଡ଼ିକ ବିନା ଟେଣ୍ଡରରେ କାର୍ଯ୍ୟ କରାଯିବ । ଗତକାଲି ଓଡ଼ିଶା ସରକାର ମୋ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ୫୦ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତକୁ ଦେବାପାଇଁ ଯେଉଁ ଘୋଷଣା କରିଛନ୍ତି ତା’ର ପ୍ରକୃତି ଉଦ୍ଦେଶ୍ୟ ହେଉଛି ନିଜର ସରପଂଚ, ୱାର୍ଡମ୍ବେର ଏବଂ ଅନ୍ୟାନ୍ୟ ପଞ୍ଚାୟତ ସ୍ତରର ନେତୃବୃନ୍ଦଙ୍କୁ ଏହି ଅର୍ଥ ବିଭିନ୍ନ ଅମୁଳକ ଉପାୟରେ ବାଣ୍ଟିବା । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କଟୁଭାଷାରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ସହିତ ଏ ଯୋଜନାର ଆୟୁଷ କେତେ ବର୍ଷ ବୋଲି ପ୍ରଶ୍ନ କରିଛନ୍ତି ।
ପଟ୍ଟନାୟକ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ କାଳିଆ ଯୋଜନା, ବଳିଆ ଯୋଜନା, ପିଠା ଯୋଜନା ଇତ୍ୟାଦି ଘୋଷଣା କରାଗଲା । ଏହା ପୂର୍ବରୁ ମୋ କୁଡ଼ିଆ ଯୋଜନା, ମୋ ସାଇକେଲ ଯୋଜନା, ମୋ ମଶାରୀ ଯୋଜନା ଇତ୍ୟାଦି ଇତ୍ୟାଦି ଯୋଜନା କରାଯାଇଥିଲା । କିନ୍ତୁ କୌଣସି ଗୋଟିଏ ଫଳପ୍ରଦ ହେଲା ନାହିଁ । ସେହିପରି ଅଭାବୀ ବିକ୍ରୀ କଥା ଆଉ ଅଛପା ନାହିଁ । ରାଜ୍ୟରେ ନାରୀ ନିର୍ଯ୍ୟାତନା ସର୍ବାଧିକ । ସରକାର କହନ୍ତି ବିଜୁ ଜନତା ଦଳ ମହିଳା ମାନଙ୍କ ବଳ । ରାଜ୍ୟର ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ସାଂଘାତିକ । ଏବେ ଯେଉଁ ୪୦୦୦ କୋଟି ଟଙ୍କାର ଯୋଜନା ଘୋଷଣା କରାଗଲା ଏ ଟଙ୍କା ରାଜ୍ୟ ରାଜକୋଷକୁ ଲୁଟ କରି ବିଜୁ ଜନତା ଦଳକୁ ପଞ୍ଚାୟତ ସ୍ତରରେ ସଶକ୍ତ କରିବାପାଇଁ ଏ ଯୋଜନା । ଗ୍ରାମାଞ୍ଚଳର ବିକାଶ କଥା ନିର୍ବାଚନ ଆସିଲେ କେବଳ ମନେ ପଡ଼ୁଛି । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟର ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ରାଜ୍ୟର ସ୍ଥାନ ୧୪ ରୁ ଯାଇ ୨୪କୁ ଖସିଲାଣି ତଥାପି ଚିନ୍ତା ନାହିଁ । କଂଗ୍ରେସ ସରକାର ସମୟରେ ଯେଉଁ ସବୁ ସ୍କୁଲ ଗୁଡ଼ିକ କରାଯାଇଥିଲା ସେଗୁଡ଼ିକ ରଙ୍ଗ ଦେଇ ବାହସପଟ ମାରୁଛନ୍ତି । ରାଜ୍ୟରେ ୫୩ ହଜାର ଶିକ୍ଷକ ନାହାନ୍ତି । ୨୦୨୧ ମସିହା ସୁଦ୍ଧା ପ୍ରତି ଗାଁକୁ ସ୍ୱଚ୍ଛ ପିଇବାପାଣି ଯୋଗାଇ ଦେବାପାଇଁ ଧାର୍ଯ୍ୟ କରିଥିଲେ । କିନ୍ତୁ ବାସ୍ତବ ସ୍ଥିତି କ’ଣ? ଯଦି ୪୦୦୦ କୋଟି ଟଙ୍କା ବ୍ୟୟରେ ୩୧୪ ବ୍ଲକରେ ୩୧୪ଟି ଶୀତଳ ଭଣ୍ଡାର କରାଯିବ ତାହାର ଲାଭ ଆମ ଓଡ଼ିଶା ପାଇବ ।
ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ କହିଲେ ରାଜ୍ୟରେ ୪୪ ହଜାର ୯ଶହ ସ୍କୁଲରେ ପାଖାପାଖି ଗୋଟିଏ ମାତ୍ର କ୍ଲାସ ରୁମ ଅଛି । ଯେଉଁଥିରେ କି ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପିଲାମାନଙ୍କୁ ପଢ଼ାଯାଉଛି ଏ ହେଉଛି ଏ ସରକାରଙ୍କର ଉପଲବ୍ଧି । ନବୀନ ବାବୁଙ୍କ ସରକାର କୌଣସି ଜଣେ ମନ୍ତ୍ରୀ ତାଙ୍କ ବିଭାଗର ସଫଳତା କହିପାରିବେ କି ? ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ରସାତଳକୁ ଚାଲିଯାଇଛି । ଏ ସରକାର ଦୁର୍ନୀତିକୁ ନୀତି କରିସାରିଛନ୍ତି । ଲକ୍ଷ ଲକ୍ଷ ଯୁବକ ଆଜି ବେରୋଜଗାର । ନିଯୁକ୍ତିର ସୁଯୋଗ ନାହିଁ । କୋଟି କୋଟି ଟଙ୍କାର ପୁଞ୍ଜିବିନିଯୋଗର ଚିଠା ଗଣମାଧ୍ୟମରେ ବଣ୍ଟା ଯାଉଛି କିନ୍ତୁ ନିଯୁକ୍ତି କାହିଁ । ଶିଳ୍ପ କେଉଁଠି ସ୍ଥାପନ ହେଲା । ରାଜ୍ୟରେ ଯେତେ ଗୁଡ଼ିଏ ଲଘୁ, ମଧ୍ୟମ ଧରଣର ଶିଳ୍ପ କଂଗ୍ରେସ ସରକାର ସମୟରେ ହୋଇଥିଲା ସେଗୁଡ଼ିକ ସବୁ ବନ୍ଦ କରିଦିଆଗଲା । ରାଜ୍ୟରେ ୨୪ବର୍ଷ ଭିତିରେ ୨୪ଟି କୃଷି ଭିତ୍ତିକ ଶିଳ୍ପର ନା କହିପାରିବେ କି ? ୩୦ଲକ୍ଷ ଓଡ଼ିଆ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଓଡ଼ିଶାର ବିକାଶ କିଭଳି ହେଉଛି? ଗ୍ରାମାଞ୍ଚଳର ଯଦି ଏତେ ସୁଯୋଗ ଅଛି ଏତେସବୁ ଲୋକ ବାହାରକୁ କାହିଁକି ଯାଉଛନ୍ତି । ମେରୁଦଣ୍ଡ ବିହୀନ ସରକାର କେବଳ କୋମାରେ ଚାଲିଛି ବୋଲି ପଟ୍ଟନାୟକ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now